ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଡାକୋଟା ଡିସି-୩’ ବିମାନରେ ବିଜୁବାବୁ ଯାଇଥିଲେ ଇଣ୍ଡୋନେସିଆ। ଗୃହବନ୍ଦୀ ଅବସ୍ଥାରେ ଥିବା ସେଠାକାର ଉପ-ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଥିଲେ ବିଜୁବାବୁ। ଏବେ ଏହି ବିମାନ କୋଲକାତାରେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରହିଛି। ଏହାକୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଓଡ଼ିଶାକୁ ଅଣାଯିବ ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ। କଟକସ୍ଥିତ ଆନନ୍ଦଭବନରେ ଡାକୋଟାକୁ ରଖାଯିବ। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଆନନ୍ଦ ଭବନ ସମ୍ମୁଖ ପଡ଼ିଆରେ ପ୍ରସ୍ତୁତି ଆରମ୍ଭ ହୋଇଛି।

କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିଛନ୍ତି, “ଡାକୋଟା ବିମାନ ସହ ବିଜୁବାବୁଙ୍କ ସ୍ମୃତି ଜଡ଼ିତ ହୋଇ ରହିଛି। ଏହି ବିମାନ ଜରିଆରେ ବିଜୁବାବୁ ଦୁଃସାହସିକ କୌଶଳ ପ୍ରଦର୍ଶନ କରିଥିଲେ। କଟକ ଆସିବା ପରେ ଯୁବପିଢ଼ି ଏହି ବିମାନ ସମ୍ପର୍କରେ ଅବଗତ ହେବା ସହ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବେ।”

“ଡାକୋଟା ବିମାନକୁ ୩ ଖଣ୍ଡ କରାଯାଇ କଟକ ଅଣାଯିବ। ଏଠାକୁ ଆସିବା ପରେ ପୁଣି ଏହାକୁ ଯୋଡ଼ାଯିବ। ବିମାନ ସମ୍ପର୍କରେ ବର୍ତ୍ତମାନର ଯୁବ ପିଢ଼ି ବହୁତକିଛି ଜାଣିପାରିବେ”, କହିଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ।

ଡାକୋଟାରେ ବିଜୁ ଯାଇଥିଲେ ଇଣ୍ଡୋନେସିଆ

୧୯୪୭ରେ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଏୟାରଲାଇନ୍‌ସ। କୋଲକାତାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ଏଥିରେ ୧୫ଟି ଡାକୋଟା ବିମାନ ରଖାଯାଇଥିଲା। ଏହି ବିମାନ କାଶ୍ମୀରରେ ସେନା ବାହିନୀର ଯବାନମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ଥିଲା। ଉତ୍ତରପୂର୍ବ ଭାରତରେ ସେନା ଶରଣାର୍ଥୀଙ୍କୁ ସେବା ଯୋଗାଇ ଆସୁଥିଲା।

୧୯୪୭ ଜୁଲାଇ ୨୧ରେ ବିଜୁବାବୁ ଏହି ଡାକୋଟା ଡିସି-୩ ବିମାନକୁ ନିଜେ ଚଳାଇ ଇଣ୍ଡୋନେସିଆ ଯାଇଥିଲେ। ଇଣ୍ଡୋନେସିଆର ତତ୍କାଳୀନ ଉପ-ରାଷ୍ଟ୍ରପତି ମହମ୍ମଦ ହାଟା ଓ ପ୍ରଧାନମନ୍ତ୍ରୀ ସାହାରିୟରଙ୍କୁ ଗୃହବନ୍ଦୀ ଅବସ୍ଥାରୁ ଉଦ୍ଧାର କରି ବିଜୁବାବୁ।

ବିଜୁଙ୍କର ଏହି ସାହସିକତା ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୂତ୍ର ଉପାଧିରେ ଭୂଷିତ କରିଥିଲେ। ବର୍ତ୍ତମାନ ଏହି ବିମାନ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ କୋଲକାତାରେ ରହିଛି। ନେତା ସୁଭାଷ ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର ସଂଗ୍ରାହଳୟରେ ରଖାଯାଇଛି।

ବିଜୁବାବୁଙ୍କ ଡାକୋଟା ସମ୍ପର୍କରେ ଏଏଆଇର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ସୂଚନା ଦେବାକୁ ବିମାନକୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି।

Comment