ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ଜଗତର ବହୁ ନାମୀଦାମୀ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି ବାହିର ଶାହ। କ୍ରିକେଟର ଶିଶୁ କୁହାଯାଉଥିବା ଦେଶ ଆଫଗାନିସ୍ତାନର ଯୁବ କ୍ରିକେଟରଙ୍କ ପ୍ରତିଭା ସାରା ବିଶ୍ଵକୁ ଚମକାଇ ଦେଇଛି।

ଅଷ୍ଟ୍ରେଲିଆର ସାର୍ ଡୋନାଲ୍ଡ ବ୍ରାଡମ୍ୟାନ୍ ନିଜ କ୍ୟାରିୟରରେ ୨୩୪ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୯୫.୧୪ ଆଭରେଜରେ ୨୮,୦୬୭ ରନ କରିଛନ୍ତି। କିନ୍ତୁ ବାହିର ଶାହ ଏପର୍ଯ୍ୟନ୍ତ ପ୍ରଥମଶ୍ରେଣୀ କ୍ୟାରିୟରରେ ୭ଟି ମ୍ୟାଚ ଖେଳି ୧୨୧.୭୭ ଆଭରେଜରେ ୧୦୯୬ ରନ କରିଛନ୍ତି। ୧୮ବର୍ଷ ବୟସର ବାହିର୍ ପ୍ରଥମଶ୍ରେଣୀ କ୍ରିକେଟରେ ସବୁଠାରୁ ଅଧିକ ଆଭରେଜରେ ଦ୍ରୁତ ୧୦୦୦ ରନ୍ ପୂରଣ କରିଛନ୍ତି, ଯାହା କ୍ରିକେଟ ଇତିହାସରେ ପ୍ରଥମ ଘଟଣା।

ଗଡ ଅଫ୍ କ୍ରିକେଟ୍ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ବି ବହୁ ପଛରେ ପକାଇଦେଇଛନ୍ତି ବାହିର। ପଦାର୍ପଣ ମ୍ୟାଚରେ ବାହିର ଅପରାଜିତ ୨୫୬ ରନ କରିଥିଲେ। ଏହା ପଦାର୍ପଣ ମ୍ୟାଚରେ ଯେକୌଣସି କ୍ରିକେଟରଙ୍କ ଦ୍ଵିତୀୟ ସର୍ବାଧିକ ସ୍କୋର। ପ୍ରଥମ ମ୍ୟାଚ ଖେଳିବାର ୫ଟି ଇଂନିସ ପରେ ତାଙ୍କ ଜୀବନର ପ୍ରଥମ ତ୍ରିଶତକ ହାସଲ କରିଥିଲେ। ସେ ଏହି ମାମଲାରେ ପାକିସ୍ତାନର ଜାଭେଦ୍ ମିଆଁଦାଦଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ ତ୍ରିଶତକ ମାରିଛନ୍ତି।

ବାହିରଙ୍କ ଏହି ଅନନ୍ୟ କୃତି ପାଇଁ ଅନ୍ତର୍ଜାତିୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

Comment