ଭାସ୍କର ପରିଚ୍ଛା

କୁହାଯାଏ ରାଜନୀତିର ଓଟ କେତେବେଳେ କେଉଁ ଚକଡା ଉପରେ ବସିବ ତାହାର ଭବିଷ୍ୟବାଣୀ କେହି ବି କରି ପାରିବେ ନାହିଁ। ୨୦୧୯ ସଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ମାହୋଲ ସେତିକି ବଦଳୁଛି। ରାଜନୀତି ଏବେ ୧୮୦ ଡିଗ୍ରୀ ଘୁରି ବୁଲିବା ଦେଖା ଯାଉଛି। ପଶ୍ଚିମବଙ୍ଗରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ଏହି ପରିବର୍ତ୍ତନ ଆଖିରେ ପଡୁଛି।

ମୁସଲିମ ତୁଷ୍ଟିକରଣର ବଦନାମ ମୁଣ୍ଡେଇ ଆସିଥିବା କଂଗ୍ରେସ ଦଳ ଏବେ ହିନ୍ଦୁଙ୍କୁ ଖୁସି କରିବାରେ ଲାଗିପଡ଼ିଛି। ତାହା ନ ହୋଇଥିଲେ ଗୁଜରାଟର ସୌରାଷ୍ଟ୍ରରେ ୧୪୮ଟି ମନ୍ଦିରରେ ଦଳର କର୍ମକର୍ତ୍ତାମାନେ ‘ଶ୍ରୀରାମ ସନ୍ଧ୍ୟା ଆଳତି କମିଟି’ ଗଠନ କରି ନଥାନ୍ତେ। ଖାଲି ସେତିକି ନୁହେଁ, ରାହୁଲ ଗାନ୍ଧିଙ୍କ ଦଳ ପକ୍ଷରୁ ସେଠାରେ ପୂଜା ସାମଗ୍ରୀର ଗୋଟିଏ ଗୋଟିଏ କିଟ ଶ୍ରଦ୍ଧାଳୁଙ୍କ ପାଇଁ ବଣ୍ଟାଯିବାର ଯୋଜନା କରାଯାଇଛି।

ବିଜେପିର ମୁସଲିମ ପ୍ରୀତି

ଏଣେ ପଶ୍ଚିମବଙ୍ଗରେ ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ହାତେଇବା ପାଇଁ ବିଜେପି ଗୁରୁବାର ଦିନ ସଂଖ୍ୟାଲଘୁଙ୍କ ଏକ ସମ୍ମିଳନୀ ଆୟୋଜନ କରୁଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ପଶ୍ଚିମବଙ୍ଗର ୩୦ ପ୍ରତିଶତ ମୁସଲିମ ଜନସଂଖ୍ୟାକୁ ନିଜ ଆଡ଼କୁ ଟାଣିବା।

ମମତାଙ୍କ ଗୀତାଜ୍ଞାନ ଯୋଗ

କଥାଟି କେବଳ ବିଜେପି ଓ କଂଗ୍ରେସ  ନିକଟରେ ଅଟକି ନାହିଁ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ମମତା ବାନାର୍ଜୀ  ୟୁ-ଟର୍ଣ୍ଣ ନେବାକୁ ଯାଇ ସଫ୍ଟ ହିନ୍ଦୁତ୍ୱର ରାସ୍ତା ଧରିଛନ୍ତି।ନିକଟରେ ମମତା ୮ ହଜାରରୁ ଅଧିକ ବ୍ରାହ୍ମଣ ଓ ପୁରୋହିତଙ୍କୁ ଗୋଟିଏ ଗୋଟିଏ ଗୀତା ଉପହାର ଦେଇଥିଲେ। ମମତା ଏହା ପୂର୍ବରୁ କହି ସାରିଛନ୍ତି ଯେ, ସେ ନିଜେ ହିନ୍ଦୁ ଛଡ଼ା ଆଉ କିଛି ନୁହନ୍ତି। ଏଠି ମନେ ପକାଇ ଦେବା ଉଚିତ ହେବ ଯେ, ବିଜେପି ମମତାଙ୍କ ଉପରେ ମୁସଲିମ ତୁଷ୍ଟିକରଣର ଅଭିଯୋଗ ବରାବର ଲଦି ଆସିଛି।ବଙ୍ଗଳାରେ କିଛି ସ୍ଥାନରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ବିଜେପିକୁ ଏହି ଅଭିଯୋଗ ଆଣିବାରେ ସହାୟକ ହୋଇଛି।ତେଣେ ମମତା ବିଜେପିକୁ ତ ମୁସଲିମ ବିରୋଧୀ ଆଖ୍ୟା ଆଗରୁ ଦେଇ ସାରିଛନ୍ତି।

ଏହିଭଳି ଦେଖିବାକୁ ଗଲେ ବର୍ତ୍ତମାନ ଦେଶର ରାଜନୀତି ଏକ ରୋମାଞ୍ଚକର ମୋଡ଼ ନେଇଛି।ଦୁଇଟି ଯାକ ଜାତୀୟ ଦଳ – ବିଜେପି ଓ କଂଗ୍ରେସ – ନିଜ ନିଜ ଛବିରେ ସୁଧାର ଆଣିବା ପାଇଁ  ବଦ୍ଧପରିକର। ଏହି କାରଣରୁ ମୁସଲିମ ବିରୋଧୀ କୁହାଯାଉଥିବା ବିଜେପି  ମୁସଲିମ ସମ୍ମିଳନୀ ଡାକୁଛି ତ ମୁସଲିମ ତୁଷ୍ଟିକରଣ ଅଭିଯୋଗର ଶିକାର ହେଉଥିବା ମମତା ଗୀତା ବହି ବାଣ୍ଟି ନରମ ହିନ୍ଦୁତ୍ୱ ଗ୍ରହଣ କରିବା ପାଇଁ ପଛାଉ ନାହାନ୍ତି।

କଂଗ୍ରେସର କାୟାକଳ୍ପ
ଗୁଜରାଟ ନିର୍ବାଚନ ସମୟରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲଙ୍କ ପକ୍ଷରୁ ରାମ ମନ୍ଦିର ନିର୍ମାଣ ମାମଲାରେ ଶୁଣାଣି ଘୁଞ୍ଚାଇ ଦିଆଯାଉ ବୋଲି ସୁପ୍ରିମ କୋର୍ଟରେ ଆବେଦନ କରିବା ଘଟଣାରେ କ୍ଷତିଗ୍ରସ୍ତ କଂଗ୍ରେସ ମଧ୍ୟ  ନିଜ ଛବିକୁ ସୁଧାରିବା ପାଇଁ ଏବେ  ଆପ୍ରାଣ ଉଦ୍ୟମ ଚଳାଇଛି।ଗୁଜରାଟ ନିର୍ବାଚନ ବେଳେ ରାହୁଲ ଗାନ୍ଧି ୨୦ଟି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏବେ ୧୪୮ ଗାଁରେ ଶ୍ରୀରାମ ସନ୍ଧ୍ୟା ଆଳତି ଆୟୋଜିତ କରିବା ସହିତ ‘କାୟାକଳ୍ପ’ କରିବା ପାଇଁ ଚାହୁଁଛି କଂଗ୍ରେସ। ଏଥିସହିତ ସ୍ଥାନୀୟ କଂଗ୍ରେସ ନେତାମାନଙ୍କ ପକ୍ଷରୁ ସପ୍ତାହରେ ୧୪ ଥର ଆଳତି ପାଇଁ ପୂଜା କିଟ୍ ପ୍ରସ୍ତୁତ କରାଯାଇଛି।

କହିବାର କଥା ହେଉଛି ୨୦୧୯ ମହାସମର ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ  ଭାବମୂର୍ତ୍ତି ସଜାଡ଼ିବାର ଏହା ଅୟମାରମ୍ଭ ମାତ୍ର। ଆଗକୁ ବହୁ ଅଦେଖା କଥା ଦେଖିବାକୁ ମିଳିବ ଓ ଅଶୁଣା କଥା ଶୁଣିବାକୁ ମଧ୍ୟ ମିଳିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment