ଛନ୍ଦା ମିଶ୍ର

“ତମେ ରୋଷେଇ କଲାବେଳେ ତମ ଧ୍ୟାନ କୁଆଡେ ଥାଏ? ୟାକୁ କଣ ମଣିଷ ଖାଆନ୍ତି ? କଣ ଢ଼ିମାଢ଼ିମା ଆଖିରେ ଚାହିଁଛ? ହଁ ହଁ ଏଥର ଲୁହ ଗଡିପଡିବ। ନିଅ ଯାହା ରାନ୍ଧିଛ ନିଜେ ଖାଅ।” ଏହା କହି ଥାଳିଟିକୁ ଠେଲିଦେଇ, ଅଧାଖିଆ ହୋଇ ଉଠି ଚାଲିଗଲେ ଅଭିଳାଷ। ଆଖିରୁ ଲୁହଗୁଡିକ ବିନା ନିମନ୍ତ୍ରଣରେ ବି ଆସି ପହଞ୍ଚିଯାଇଥିଲା। ମୀରା ଧୀରେ ଧୀରେ ଅଇଁଠାଥାଳି ଉଠେଇ ନେଲା। ଅନ୍ୟଦିନ ହୋଇଥିଲେ, ସେଇ ଥାଳିରେ ଆଉ ଟିକେ ଭାତ ବାଢ଼ିନେଇ ବସିଯାଇଥାନ୍ତା ହେଲେ ଆଜି, ଭାତଗୁଣ୍ଡା ଭିତରକୁ ତ ଯିବନି ଓଲଟି ଭିତରେ ଥିବା ସକାଳ ଜଳଖିଆ ଟିକକ ବି ବାହାରିଯିବାକୁ ତତ୍ପର ହୋଇଉଠିଲାଣି। କୋହରେ ଛାତିପେଟ ସବୁ ଥରିଯାଉଛି।
ବାପାଙ୍କର ଅଲିଅଳି ମୀରାକୁ, ବୋଉ ଯେବେ ରନ୍ଧାଘରକୁ ଡାକେ, ବାପା ଆକଟ କରନ୍ତି, କହନ୍ତି, “ଥାଉଥାଉ ତୁମ ରନ୍ଧା ବଢ଼ା, ଝିଅ ମୋର ବଡ଼ ହେଲେ ଆପେ ସବୁ ଶିଖିଯିବ। ଆଉ ମୀରା ବି କେବେ ଆଗ୍ରହ ଦେଖେଇନି ରୋଷେଇ ପ୍ରତି। ପାଠପଢ଼ା, ଗୀତ, ନାଚ ଓ ସାଙ୍ଗସାଥୀଙ୍କ ମଧ୍ୟରେ ଦିନ ବିତିଯାଇଛି। ଆଉ ଅଭିଳାଷଙ୍କ ସହ ବାହାଘର ଏତେ ଜଲଦି ଆଉ ଏପରି ପରିସ୍ଥିତିରେ ହେଲା ଯେ, ଟିକେ ରନ୍ଧାରନ୍ଧି ଶିଖିବା ପାଇଁ ତାକୁ ସମୟ ମଧ୍ୟ ମିଳିଲା ନାହିଁ। ତେବେ ଅଭିଳାଷ ଜଣେ ଭଲ ବ୍ୟକ୍ତି। ହେଲେ ପାନରୁ ଚୂନ ଖସିଲେ ଚିଡି ଉଠନ୍ତି। ଆଉ ଖାଇବସିଲେ ଏତେ ବାହୁନନ୍ତି ଯେ, ତାହା ମୀରା ପାଇଁ ଅସହ୍ୟ ହୋଇପଡେ। କେବେ ବହିପଢ଼ି, କେବେ କୁକରି ସୋ ଦେଖି ସେ, ତାଙ୍କ ପସନ୍ଦର ରାନ୍ଧିବାକୁ ଚେଷ୍ଟା କରେ, ହେଲେ କୁଆଡେ କଣ ବିଗିଡି ଯାଏ। ସେ କିଛି ଜାଣିପାରିନି। ଆଜି ନ୍ୟୁଜ ପେପର ଦେଖି, ସେ ବଟର ଚିକେନ ରାନ୍ଧିଥିଲା। ଭାବିଥିଲା, ଅଭିଳାଷ ତାକୁ ତାରିଫ କରିବେ ବୋଲି ହେଲେ ଫଳ ହେଲା ବିପରୀତ।
ଅଇଁଠା ପୋଛିସାରି କପଡାଟା ଧୋଇଲା ବେଳକୁ, ବାଟଘରୁ ଶ୍ୱଶୁର ଡାକିଲେ “ମା’ରେ, ଅଭି ଯଦି ଖାଇସାରିଲାଣି, ତାହେଲେ ତୋର ମୋର ଖାଇବା ବାଢ଼ୁନୁ।
ଶ୍ୱଶୁର ଭାରି ଭଲ ମଣିଷ, ବେଶ୍ ସୁଖର ଦୁଃଖର। ତାଙ୍କ ସ୍ନେହବୋଳା କଥା ଶୁଣି ମୀରାର କୋହ ଦ୍ୱିଗୁଣିତ ହେଉଥିଲା। କିନ୍ତୁ ସ୍ଵାମୀଙ୍କ କଥା ତ ସେ ଆଉ ଶ୍ୱଶୁରଙ୍କ ଆଗରେ କହିପାରିବନି।
ଶ୍ୱଶୁରଙ୍କ ପାଇଁ ବାଢ଼ିଦେଇ ଠିଆହୋଇ ରହିଲା ମୀରା। ଶ୍ୱଶୁର କହିଲେ, ମା’ ତୋର ଆଣିବୁ ନି କି?
ମୀରା କହିଲା – ନାଁ ବାପା, ମୋ ପେଟଟା ଟିକେ ଭଲ ଲାଗୁନି, ମତେ ଭଲ ଲାଗିଲେ ଖାଇନେବି।”
ଶ୍ୱଶୁର ଦୁଇ ତିନି ଗୁଣ୍ଡା ଖାଇସାରି କହିଲେ, “ଆଜି ଚିକେନଟା ଭାରି ବଢ଼ିଆ ହୋଇଛି। ଖାଲି ଟିକେ ଲୁଣ କମ ଲାଗୁଛି। ମତେ ଟିକେ ଲୁଣ ଦେଲୁ।”
“ହେ ଭଗବାନ, ମୁଁ ତ ଆଜି ଚିକେନରେ ଲୁଣ ହିଁ ପକେଇନି। ପୂରା ଭୁଲି ଯାଇଛି।” କହି ଜିଭ କାମୁଡି ପକେଇ, ମୀରା, ଲୁଣଡବା ଖୋଲି ଲୁଣ ପକେଇ ଗୋଳେଇ ଦେଲା। ଶ୍ୱଶୁର ଖାଉଖାଉ ତା ରନ୍ଧାର ବେଶ୍ ତାରିଫ୍ କରୁଥାଆନ୍ତି। ପୁଣି ମୀରା ଆଖିରୁ ଅମାନିଆଁ ଲୁହର ଧାର ଗଡିପଡିଲା। ସେ ଭାବୁଥିଲା ଗୋଟିଏ ରକ୍ତର ହେଲେ ମଧ୍ୟ ବାପପୁଅ ଦୁଇଜଣଙ୍କ ବିଚାରଧାରାରେ କେତେ ଭିନ୍ନତା ସତେ !
ଶ୍ୱଶୁର ବେଶ୍ ମନ ଚିହ୍ନିବାର ମଣିଷଟିଏ। ହସିଦେଇ ପାଖରେ ବସିବାର ଇଙ୍ଗିତ ଦେଲେ ପଚାରିଲେ, କଣ ହୋଇଛି ମା, ମତେ କହିବୁନି।” କାନ୍ଦିପକାଇବାକୁ ଇଚ୍ଛା ହଉଥିଲା ମୀରାର। ହେଲେ ସ୍ଵାମୀ-ସ୍ତ୍ରୀର ସମ୍ପର୍କକୁ ଦୁଷ୍ଟିରେ ରଖି ଚୁପ୍ ରହିଲା ସେ।
ତା’ର ମଥାକୁ ହାତରେ ସାଉଁଳାଇ ଦେଇ ଶ୍ୱଶୁର କହିଲେ – ମା’ ତୋର ଏଇ ବୁଢ଼ାପୁଅଟା ପାଖରେ କଣ ଲୁଚଉଛୁ। ନିଶ୍ଚେ ଅଭି କିଛି କହିଥିବ। ଏକଥା ଶୁଣି ନିଜକୁ ଆଉ ସମ୍ଭାଳି ପାରିଲାନି ମୀରା। କାନ୍ଦି ଉଠିଲା କଇଁକଇଁ ହୋଇ। କହିଲା ବାପା, ଆଜି ମୋର ଭୁଲ ଥିଲା, ମୁଁ ଚିକେନରେ ଲୁଣ ପକେଇବାକୁ ଭୁଲିଗଲି। ହେଲେ ଯେଉଁଦିନ ଭଲ ରନ୍ଧାବଢ଼ା ହୋଇଥାଏ, କାହିଁ ସେ ତ ଥରେ ହେଲେ ମତେ ‘ଭଲହୋଇଛି’ କହି ପ୍ରଶଂସା କରନ୍ତି ନାହିଁ। ଇଏ ଏତେ ଚିଡଚିଡା କାହିଁକି? ମୁଁ ମୋ ପାରୁପର୍ଯ୍ୟନ୍ତ ସବୁକାମ ଠିକ୍ ଭାବରେ କରିବାକୁ ଚେଷ୍ଟାକରେ, କିନ୍ତୁ ଯଦି କେବେ ସେଥିରେ କିଛି ତ୍ରୁଟି ରହିଯାଏ, ସଙ୍ଗେସଙ୍ଗେ ଇଏ ଚିଡି ଉଠି ମନଇଚ୍ଛା ଗାଳିଦଅନ୍ତି। ମୁଁ ବାହାହେଲା ଦିନୁ, କେବେ ଥରେ ହେଲେ ପ୍ରଶଂସା ଧାଡିଏ କଥା ତାଙ୍କଠାରୁ ଶୁଣିପାରିନି। ଏମିତି କାହିଁକି ବାପା? ସେ ତ ଆପଣଙ୍କ ପୁଅ। ହେଲେ ଆପଣଙ୍କ କଥା ଶୁଣିଲେ ସବୁ କଷ୍ଟ ଲାଘବ ହୋଇଯାଏ। କିନ୍ତୁ ଆପଣ ଓ ତାଙ୍କ ଭିତରେ ଏତେ ତଫାତ୍ କିପରି?
ଶ୍ୱଶୁର ହାତଧୋଇ ଆସି ପାଖରେ ବସିପଡି କହିଲେ – ମା’ରେ କଥା କହିବାଟା ଗୋଟିଏ କଳା। କଥାରେ ଅଛି, ଜିଭକୁ ନିଜ ଆୟତରେ ରଖୁଥିବା ଲୋକର କେହି ଶତ୍ରୁ ନଥାନ୍ତି। ଆଉ ଅଭିର କଥା ଯାହା ତୁ କହିଲୁ, ସବୁ ସତ ସେ ପିଲାବେଳୁ ଏପରି, ଟିକିଏ ଏପଟ ସେପଟ ଦେଖିଲେ ଚିଡିଉଠେ। କାହାକୁ ପ୍ରଶଂସା କରିବା ତାକୁ ଜଣାନାହିଁ। ହେଲେ ମା, ତୋ ଭଲପାଇଁ ଗୋଟଏ କଥା କହୁଛି। ତା’ କଥାକୁ ଜମା ଧରିବୁନି।
ତୁମେମାନେ ନୂଆନୂଆ ସଂସାର କରିଛ। ଆଗକୁ ପୂରା ଜୀବନଟା ପଡିଛି। ଆଉ ତୁ ହେଉଛୁ ଏ ସଂସାରର ମେରୁଦଣ୍ଡ। ଏସବୁ ଛୋଟିଆ ମୋଟିଆ କଥାରେ ତୁ ହସିଦେଇ ଚାଲିଗଲେ ସେ ବଳେ ନିଜର ଭୁଲ ବୁଝିପାରି ନିଜକୁ ସୁଧାରିନେବ। ମୋର ଅଭିଜ୍ଞତାରୁ ତତେ କଥାଟିଏ କହୁଛି – ଆଗେ ମୁଁ ଭାରି ବଦରାଗି ଥିଲି। କଥାରେ କଥାରେ ଚିଡିଉଠି ତୋ ଶାଶୁକୁ ମନଇଚ୍ଛା ବକି ଯାଉଥିଲି। ଥରେ ବଡ଼ ଏକ କାଚର ଜଗ ମୋ ହାତବାଜି ଭାଙ୍ଗିଗଲା କିନ୍ତୁ ତୋ ଶାଶୁକୁ ମୁଁ ଗାଳିଦେବାରେ ଲାଗିଲି। ସେ ଖାମଖିଆଲି ହୋଇ ଏଠିସେଠି ଜିନିଷ ପତ୍ର ରଖୁଥିବାରୁ ଏପରି ହେଲା ବୋଲି କହି ସେ ମଧ୍ୟ ମୋ ଗାଳିଶୁଣି ଚୁପ ହୋଇରହିଲା। ତେବେ ଆଉ କେହି ଜାଣୁ, ବା ନ ଜାଣୁ ମନ ଜାଣେ ପାପ। ତେଣୁ ମନେମନେ ମୁଁ ନିଜର ଭୁଲ ପାଇଁ ମୁଁ କିଛିଦିନ ସନ୍ତୁଳି ହେଲି। ଦିନେ ନିଜର ଅହଂକାର ତ୍ୟାଗ କରି, ତା ହାତ ଧରିପକାଇ କହିଲି- ମୁଁ ତୁମର ଭୁଲ ନଥାଇ, ତୁମକୁ ଏତେ କଥା ଗାଳିଦେଲି ଅଥଚ ତୁମେ କିଛି ହେଲେ ପ୍ରତିକ୍ରିୟା ଦେଖାଇଲ ନାହିଁ। ଜାଣୁ ମା’ ସେ ମତେ କଣ ଉତ୍ତର ଦେଲା କହିଲା – ଯାହାର ଯାହା ଉପରେ ଅଧିକାର ଥାଏ, ସେ ତା’ ଉପରେ ରାଗେ। ତେଣୁ ତୁମେ ମୋ ଉପରେ ରାଗିବନି ତ ରାଗିବ କାହା ଉପରେ?
ମୁଁ କହିଲି- ତେବେ କଣ ତୁମର ମୋ ଉପରେ କୌଣସି ଅଧିକାର ନାହିଁ। କାଇଁ ତୁମେ ତ ମୋ ଉପରେ ରାଗିଲନି? ତୋ ଶାଶୁ ଉତ୍ତର ଦେଲା ମୋର ତୁମ ଉପରେ ଅଧିକାର ଅଛି, ସେ ଅଧିକାର ସ୍ନେହର, ଶ୍ରଦ୍ଧାର ଯଦି ତୁମେ ରାଗିବ, ଆଉ ମୁଁ ବି ରାଗିବି ତା ହେଲେ ଆମ ସଂସାର କିପରି ଚାଲିବ କହିଲ।” ଜାଣିଲୁ ମା’ ସେହିଦିନୁ ମୁଁ ନିଜକୁ ବଦଳାଇବାକୁ ଚେଷ୍ଟା କଲି। ଆଉ ବଦଳାଇ ସାରିଲା ବେଳକୁ ଦେଖ, ଆଜି ତୋ ଶାଶୁ ମୋ ପାଖରେ ନାହିଁ। ଜୀବନରେ ଏଭଳିଆ କିଛି ପରିସ୍ଥିତି ଆସେ, ଯେତେବେଳେ କିଛି ଭିନ୍ନ ମଣିଷଙ୍କ ଭିନ୍ନ କଥା, ଆମ ମନକୁ ଚହଲାଇ ଦିଏ। ଆମ ଜୀବନ ହୋଇ ଉଠେ ସ୍ଵତନ୍ତ୍ର। ଆମେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଉ। ତେଣୁ ଯେକୌଣସି ପରିସ୍ଥିତି ଆସୁନା କାହିଁକି ତୁ ଯଦି ନିଜ ମନୋବଳ ଦୃଢ଼ କରି ଠିଆ ହେବୁ, ସେ ପରିସ୍ଥିତି ଗୁଡ଼ିକୁ ଧୈର୍ଯ୍ୟ ଓ ସାହସର ସହ ସାମନା କରିବୁ, ତେବେ ତୋ ଜୀବନ ହେବ ସୁଖମୟ।
ଆରେଆରେ ମୁଁ କହୁକହୁ ଏତେ ବେଳ ହୋଇଗଲାଣି। ‘ଭୋକରେ ମୋ ମା’ଟା ଆଉଟୁପାଉଟୁ ହୋଇଯିବଣି। ଗଲୁ ମାଦ ଭାତବାଢ଼ି ଆଣିଲୁ ମୁଁ ଏଇଠି ବସିଛି, ତୁ ଖାଇ ସାରିଲେ ଉଠିବି ।”
ମୀରା ହାତ ଧୋଇ ନିଜ ପାଇଁ ଭାତ ବାଢ଼ୁଥିଲା ବେଳେ ଏପରି ଶ୍ୱଶୁରଟିଏ ପାଇ ନିଜକୁ ଧନ୍ୟ ମଣୁଥିଲା।
(ସୌଜନ୍ୟ – ଭିନ୍ନ ମଣିଷ)














