ଓଡ଼ିଶାଲାଇଭ୍‍ ପଲିଟିକାଲ୍‍ ବ୍ୟୁରୋ

  • କ୍ରମାଗତ ଭାବେ ଥାର୍ଡ ଫ୍ଲୋର କ୍ଷମତା କେନ୍ଦ୍ରକୁ ନେଇ ଉଠୁଥିବା ଅଭିଯୋଗର ଉତ୍ତର ରଖିଲେ ନବୀନ
  • କିଛି ନୂଆ କଥା ନୁହେଁ: ନବୀନ
  • ଦଳ ଭିତରେ ବିରୋଧୀଙ୍କ ଆଚରଣର କଡ଼ା ଜବାବ ଦିଆଯିବ

କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିବା ବିଜେଡି ନେତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଆଙ୍ଗୁଠି ଦେଖାଇଛନ୍ତି। ଦଳ ଭିତରେ ଶୃଙ୍ଖଳା ରକ୍ଷା କରୁନଥିବା ଅବୁଝା ନେତାଙ୍କୁ ଠିକଣା ସମୟରେ ଉଚିତ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି।

“ଯେତେବେଳେ ସେମାନଙ୍କ ପାଖରେ ଆଉ କୌଣସି ପ୍ରସଙ୍ଗ ନଥାଏ ସେମାନେ ମୋ ଅଫିସକୁ ଟାର୍ଗେଟ କରନ୍ତି। ଏହା କିଛି ନୂଆ କଥା ନୁହେଁ। ତେବେ ଠିକଣା ସମୟରେ ସେମାନଙ୍କ କଥାର ଉଚିତ ଜବାବ ଦିଆଯିବ”, ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ବିକାଶକୁ ମୁଖ୍ୟ ପ୍ରସଙ୍ଗ ଭାବେ ଉଠାଇଛନ୍ତି ନବୀନ। ଦଳ ଭିତରେ ବିରୋଧୀମାନଙ୍କ କଟାକ୍ଷର ଜବାବ ଦେବା ଅବସରରେ ସେ କହିଛନ୍ତି, “ମୁଁ ଏବେ ରାଜ୍ୟର ବିକାଶ ପାଇଁ କାମ କରିଚାଲିଛି। ଏକଥା ଓଡ଼ିଶାର ଜନସାଧାରଣ ଭଲଭାବେ ଜାଣିଛନ୍ତି।” ଏକଥା କହିଲା ବେଳେ ତାଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି, ତା’ ପଛର କାରଣ ଜନସାଧାରଣଙ୍କୁ ଅଛପା ନାହିଁ ବୋଲି ନବୀନ ପଟ୍ଟନାୟକ ସାଙ୍କେତିକ ଭାଷାରେ ଜଣାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଚାଲେନାହିଁ। ଦଳର ପ୍ରତିଟି କାରବାରକୁ ନିୟନ୍ତ୍ରଣ କରନ୍ତି ଥାର୍ଡ ଫ୍ଲୋର। ଅର୍ଥାତ ସଚିବାଳୟର ତୃତୀୟ ମହଲାରେ ଥିବା କାର୍ଯ୍ୟାଳୟର ଜଣେ ଅଣଓଡ଼ିଆ ଅଫିସର। ଗତ ଦୁଇଦିନ ଧରି ଏହି ପ୍ରସଙ୍ଗକୁ ନେଇ ବେଶ୍‍ ଉଠାପକା ଚାଲିଛି। ଦଳରେ କଣଠେସା ହୋ‍ଇଥିବା ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ଏ ବିଷୟରେ ଖୋଲାଖୋଲି ପ୍ରଶ୍ନ ଉଠାଇଥିଲେ। ତାଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଦଳରୁ ନିକଟରେ ଇସ୍ତଫା ଦେଇଥିବା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂହ। ରମାରଞ୍ଜନ ଆଉ ପାଦେ ଆଗେଇଯାଇ ଥାର୍ଡ ଫ୍ଲୋରର ‘ତାମିଲ ବାବୁ’ ବୋଲି ଅଭିଯୋଗ ଉଠାଇଥିଲେ।

ତେବେ ଦଳ ପକ୍ଷରୁ ଏହି ଅଭିଯୋଗର ଖଣ୍ଡନ କରାଯାଇଥିଲା। ଦଳର ମୁଖପାତ୍ର ସାଂସଦ ପ୍ରତାପ ଦେବ ବୈଜୟନ୍ତଙ୍କ ଅଭିଯୋଗର ଉତ୍ତର ରଖିଥିଲେ।

ବିଜେଡିର ଆଭ୍ୟନ୍ତରୀଣ କଳି ବିଜେପିକୁ ବେଶ୍‍ ସୁହାଉଛି। ବିଜେପିର ଛାମୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥାକୁ ନେଇ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋ‍ଇଛି ବୋଲି ପ୍ରଶ୍ନ ଉଠାଇଥିଲେ।

ଆଜି ଏ ପ୍ରସଙ୍ଗରେ ନବୀନ ମୁହଁ ଖୋଲିବା ପରେ ଘଟଣା ଆଉ ପାଦେ ଆଗକୁ ଯାଇଛି। ତେବେ ଦଳର କାର୍ଯ୍ୟଧାରା ପ୍ରସଙ୍ଗରେ ବାରମ୍ବାର ପ୍ରଶ୍ନ ଉଠାଉଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଖୋଲାଖୋଲି ଟାର୍ଗେଟ କରିଥିବା ନିଜ ଦଳର ନେତା ବୈଜୟନ୍ତଙ୍କ ମୁହଁ କିଭଳି ନବୀନ ବନ୍ଦ କରିବେ, ତାହା ଗୁରୁତ୍ୱପୂର୍ଣ୍ଣ। ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା ବିଜେଡିରେ ବୈଜୟନ୍ତ ଦିନ ଗଣିବା ଆରମ୍ଭ କରିଦିଅନ୍ତୁ!

“ଯେ କୌଣସି ସମୟରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ”

ଚଳିତବର୍ଷ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ହେବା ନେଇ ଯେଉଁ ଚର୍ଚ୍ଚା ଜାରି ରହିଛି, ସେ ବାବଦରେ ନିଜର ସ୍ପଷ୍ଟ ମତ ରଖିଛନ୍ତି ନବୀନ। ସେ କହିଛନ୍ତି ଯେ କୌଣସି ସମୟରେ ଦେଶରେ ନିର୍ବାଚନ ହେଲେ ତା’ର ମୁକାବିଲା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି।

ଅତୀତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନ ସମ୍ପର୍କରେ ଏକ ପ୍ରକାର ମନ୍ତବ୍ୟ ଦେଇଥିଲେ। ତା’ ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ଉଭୟଠାରୁ ବିଜେଡି ସମାନ ଦୂରତା ବଜାୟ ରଖିବ ବୋଲି ସେ ସ୍ପଷ୍ଟ କରିଥିଲେ। ଏଣୁ ଦେଶରେ ଯେଉଁ ତୃତୀୟ ସାମ୍ମୁଖ୍ୟ ମେଣ୍ଟ କଥା କୁହାଯାଉଛି ଏବଂ ସେଥିରେ ନବୀନଙ୍କ ଭୂମିକା ସମ୍ପର୍କରେ ଅଧିକ ଆଲୋଚନା ହୋ‍ଇଛି, ସେଭଳି କୌଣସି ସମ୍ଭାବନାକୁ ସେ ଖଣ୍ଡନ କରିଛନ୍ତି।

Comment