ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ନିକଟରେ ପୁରୀଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦ଟି ପ୍ରସ୍ତାବ ଅନୁମୋଦିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି। ନୂତନ ବ୍ୟବସ୍ଥାର ସଠିକ୍ ଲାଗୁ କରାଗଲେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିବା ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ବିଶିଷ୍ଟ ଶିକ୍ଷାବିତ୍, ଭାଷାତତ୍ତ୍ୱବିତ୍ ଏବଂ ସାମାଜିକ କର୍ମୀ ମତ ଦେଇଛନ୍ତି। ଏହି କ୍ରମରେ ସେମାନେ ମଧ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି।

 ପ୍ରଫେସର ରଜତ କର, ଶିକ୍ଷାବିତ୍

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସରକାର ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ। କେବଳ ଘୋଷଣା କରିଦେଲେ ଭାଷାର ସୁରକ୍ଷା ହୋଇପାରିବ ନାହିଁ, ବରଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଗୁରୁ ଦାୟିତ୍ୱ ବହନ କରିବାକୁ ହେବ।

ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଏକ ସାଧୁ ଉଦ୍ୟମ। ତେବେ ଏଥିପାଇଁ ବ୍ୟାପକ ପଦକ୍ଷେପ ନେବା ଦରକାର। ଯେଉଁମାନେ ଓଡ଼ିଶାକୁ ଆସିବେ ସେମାନଙ୍କ ପାଖରେ ଓଡ଼ିଆ ବହିପତ୍ର ମଧ୍ୟ ପହଞ୍ଚିବା ଆବଶ୍ୟକ।

ପ୍ରତି ଜିଲ୍ଲାରେ ପୁସ୍ତକାଗାର ଅଛି। ରାଜା ରାମମୋହନ ଲାଇବ୍ରେରୀ ଯୋଜନା ମାଧ୍ୟମରେ ସେଠାକୁ ଓଡ଼ିଆ ବହି ଯୋଗାଇ ଦିଆଯାଉଛି। କିନ୍ତୁ ଅନେକ ସମୟରେ ପାଠକମାନଙ୍କ ଆଗ୍ରହ ଓ ଆବଶ୍ୟକତା ମେଣ୍ଟି ପାରୁ ନଥିବାରୁ ତାହା ସେମାନଙ୍କ କାର୍ଯ୍ୟରେ ଲାଗୁ ନାହିଁ। ପୂର୍ବରୁ ଡିପିଆଇଙ୍କ ମାଧ୍ୟମରେ ଉପାଦେୟ ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ପାଇଁ କିଣାଯାଉଥିଲା। ଏହି ବ୍ୟବସ୍ଥା ଏବେ ବନ୍ଦ ହୋଇଯାଇଛି। ଏହାର ସାନି ପ୍ରଚଳନ କରାଗଲେ ଓଡ଼ିଆ ଭାଷାର ବିକାଶରେ ସହାୟକ ହୋଇପାରନ୍ତା।

ଓଡ଼ିଶା ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଦ୍ୟମ ପୂର୍ଣ୍ଣ ମାତ୍ରାରେ ସ୍ୱାଗତଯୋଗ୍ୟ। କିନ୍ତୁ ସେଥିରେ ପ୍ରାଚୀନ ସାହିତ୍ୟକୁ ମଧ୍ୟ ସ୍ଥାନ ଦେବା ଜରୁରୀ। ଓଡ଼ିଆ ଭାଷା ସାହିତ୍ୟ କହିଲେ କେବଳ ଆଧୁନିକ ଗୀତ ଓ ଗଳ୍ପକୁ ବୁଝାଏ ନାହିଁ। ଉପେନ୍ଦ୍ର ଭଞ୍ଜ, ଦିନକୃଷ୍ଣ ଦାସଙ୍କ ଭଳି ପ୍ରାଚୀନ କବିଙ୍କ ରଚନା ପଢ଼ିବା ଓ ପଢ଼ାଇବାର ବ୍ୟବସ୍ଥା ହେବା ଜରୁରୀ।

ଡକ୍ଟର ଫନୀ ମହାନ୍ତି, କବି ଓ ଶିକ୍ଷାବିତ୍

ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ସ୍ୱାଗତର ବିଷୟ। ତେବେ ଏହି ଘୋଷଣାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପାଇଁ  ଆବଶ୍ୟକ ଆନ୍ତରିକତା ଓ ଗଭୀର ନିଷ୍ଠା। ତେଣୁ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ପାଇଁ ଗଢ଼ାଯାଇଥିବା ସ୍ୱତନ୍ତ୍ର ବିଭାଗରେ ଦକ୍ଷ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ସେମାନଙ୍କ ବଳିଷ୍ଠ  ଉଦ୍ୟମ ଓ ନିଷ୍ଠାପର କାର୍ଯ୍ୟକଳାପ ଦ୍ୱାରା ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ହୋଇପାରିବ।

ଯୁବପିଢ଼ିଙ୍କ ମନରେ ଓଡ଼ିଆ ଭାଷା ଓ ସାହିତ୍ୟର ମହତ୍ତ୍ୱ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯିବା ନିହାତି ଜରୁରୀ। ପୂର୍ବସୂରୀଙ୍କ ଅବଦାନ ଓ ସୃଷ୍ଟି ସମ୍ପର୍କରେ ସେମାନେ ଅବଗତ ହେବା ମଧ୍ୟ ଆବଶ୍ୟକ। ତେଣୁ ଏ ବାବଦରେ ସରକାର ଚିନ୍ତା କରିବା ଦରକାର।

ଦେଖିବାକୁ ଗଲେ ଗ୍ରାମ୍ୟ ପାଠାଗାରକୁ ଆବଶ୍ୟକ ସରକାରୀ ପ୍ରୋତ୍ସାହନ ମିଳୁନାହିଁ। ଏକଦା ଭାଗବତ ଟୁଙ୍ଗୀର ମହତ୍ତ୍ୱ ଗାଁଗହଳିର ଲୋକମାନେ ବେଶ୍ ଅନୁଭବ କରୁଥିଲେ। ସେ ସମୟରେ ସାକ୍ଷରତା ହାର କମ୍ ଥିଲା। ଜ୍ଞାନବିଜ୍ଞାନ ସମ୍ପର୍କରେ ସେମାନେ ଥିଲେ ଅଜ୍ଞ। କିନ୍ତୁ ଭାଗବତ ଟୁଙ୍ଗୀର ଚର୍ଚ୍ଚା ଗ୍ରାମ୍ୟ ଜୀବନରେ ସୃଷ୍ଟି କରୁଥିଲା ଏକ ଆଧ୍ୟାତ୍ମିକ ଭାବଧାରା। ଆଜି ଯେତେବେଳେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର କଥା ଚିନ୍ତା କରାଯାଉଛି ଦେଖିବାକୁ ହେବ ଯେ, ଏହା କିଭଳି ଆମର ନୂତନ ଜୀବନଶୈଳୀକୁ ପ୍ରଭାବିତ କରିପାରିବ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ରାଜା ରାମମୋହନ ରାୟ ଲାଇବ୍ରେରୀ ଯୋଜନାରେ ଅର୍ଥ କମ୍ ଆସୁଛି। ବହି ଚୟନ ପଦ୍ଧତିରେ ମଧ୍ୟ କେତେକ ତ୍ରୁଟି ରହିଛି। ବିଭିନ୍ନ ବିଭାଗ ପାଇଁ ଅଭିଜ୍ଞ ଲୋକ ନଥିବାରୁ ଗୁଣାତ୍ମକ ଦୃଷ୍ଟିରୁ ଭଲ ବହି କିଣାଯାଇ ପାରୁନାହିଁ। ବହି ରଖିବା ପାଇଁ ଜିଲ୍ଲା ପାଠାଗାରଗୁଡ଼ିକରେ ଆବଶ୍ୟକ ସୁବିଧା ନାହିଁ। ସରକାର ଜିଲ୍ଲା ପାଠାଗାରଗୁଡ଼ିକରେ ବହି ପହଞ୍ଚାଇବା ସହ ଆନୁସଙ୍ଗୀକ ବ୍ୟବସ୍ଥା କରିବା ଜରୁରୀ।

ଲିଟେରାରୀ ଇଭେଣ୍ଟ ଅନେକ ସମୟରେ ପ୍ରହସନରେ ପରିଣତ ହୋଇଛି। ତେବେ ଜିଲ୍ଲା ସ୍ତରରେ ଏବଂ ଗ୍ରାମାଞ୍ଚଳରେ ପୁସ୍ତକ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ପାଇଁ ପୁସ୍ତକମେଳାର ଆବଶ୍ୟକତା ରହିଛି। ଭାଷା ଓ ସାହିତ୍ୟ ପ୍ରତି ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ରହିଛି। ତେବେ ସେମାନଙ୍କୁ ଉପଯୁକ୍ତ ପରିବେଶ ମିଳୁ ନଥିବାରୁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ସେମାନେ ଆକୃଷ୍ଟ ହୋଇପାରୁ ନାହାନ୍ତି। ସରକାର ଯେଉଁ ନୂଆ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ପରିକଳ୍ପନା କରିଛନ୍ତି ସେଥିରେ ଦକ୍ଷ ଓ ଅଭିଜ୍ଞ ଅଧିକାରୀ ରହିଲେ ଏହି ବିଭାଗ ଠିକ୍‌ରେ କାର୍ଯ୍ୟ କରିପାରିବ।

ଡକ୍ଟର ସଙ୍ଘମିତ୍ରା ମିଶ୍ର, ଶିକ୍ଷାବିତ୍

କ୍ୟାବିନେଟ୍ ନିଷ୍ପତ୍ତି ଓଡ଼ିଆ ଭାଷାପ୍ରେମୀଙ୍କୁ ଦେଇଛି ଯଥୋଚିତ ସମ୍ମାନ। ଯେଉଁମାନେ ଭାଷା ଆଇନର ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ସ୍ୱାଗତଯୋଗ୍ୟ।

“ଓରିଶା’ “ଓଡ଼ିଶା’ ହେବା ଦିନ ଗର୍ବ ଗୌରବରେ ଫୁଟିଥିଲା ବାଣ। ଆତଶବାଜିରେ କମ୍ପିଥିଲା ଗାଁ ଦାଣ୍ଡ। ଏବେ ପୁଣି ଆସିଛି ଖୁସିର ଦିନ। ଓଡ଼ିଆ ଭାଷା ତା’ର ହୃତ ଗୌରବ ଫେରିପାଇବା କ୍ଷେତ୍ରରେ ଏହା ଏକ ଭଲ ପଦକ୍ଷେପ।

ଆମ ରାଜ୍ୟରେ ଏବେବି ଅନେକ କ୍ଷେତ୍ରରେ ଇଂରାଜୀ ମାଧ୍ୟମରେ ପାଠ ପଢ଼ାଯାଉଛି। ଏହାର ଅର୍ଥ ନୁହେଁ, ଆମେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଅଣଦେଖା କରୁଛୁ। ଛାତ୍ରଛାତ୍ରୀମାନେ ସବୁବେଳେ ଦୁଇ ଭାଷା ମଧ୍ୟରେ ସମାନତା ରକ୍ଷା କରି ଆସୁଛନ୍ତି। ହେଲେ ଆମମାନଙ୍କ ମନରେ ଥିବା ହିନମନ୍ୟତା ଓଡ଼ିଆ ଭାଷାକୁ ସଙ୍କଟରେ ପକାଇଥିଲା। ଅନେକ ଲୋକଙ୍କ ଧାରଣା ଯେ ଓଡ଼ିଆରେ ପଢ଼ିଲେ ଭଲ ଚାକିରି ମିଳିବ ନାହିଁ। ଏହି ଚିନ୍ତାଧାରା ଏବେ ଦୂର ହୋଇଛି।

ସାଧାରଣତଃ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଆ ବିଷୟର ପାଠ୍ୟପୁସ୍ତକ ପଢ଼ନ୍ତି ନାହିଁ। ମାନେ ବହି ପଢ଼ିଦେଲେ ଓଡ଼ିଆରେ ପାସ୍ କରିବା ସହଜ ବୋଲି ସେମାନେ ଧରିନେଉଥିଲେ। ସେମାନଙ୍କ ଧାରଣା ଭୁଲ୍ ବୋଲି ଏବେ ସେମାନେ ହୁଏତ ଅନୁଭବ କରିବେ। କାରଣ ଏବେ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଗୁରୁତ୍ୱ ଦିଆଯିବ। ପ୍ରାଣ ପ୍ରାଚୁର୍ଯ୍ୟରେ ଭରିଯିବ ଓଡ଼ିଆ ଭାଷା ଓ ସାହିତ୍ୟ।

ନଟବର ଖୁଣ୍ଟିଆ, ଲେଖକ ଓ ସ୍ତମ୍ଭକାର

ଦୀର୍ଘ ଦିନର ଆନ୍ଦୋଳନ ପରେ ରାଜ୍ୟ ସରକାର ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଗ୍ରହଣ କରିଛନ୍ତି ଅନେକ ପଦକ୍ଷେପ। ଏହା ସ୍ୱାଗତଯୋଗ୍ୟ। ଏହିସବୁ ଯୋଜନାର ସଫଳ ରୂପାୟନ ପାଇଁ ସିଭିଲ୍ ସୋସାଇଟିର ଭୂମିକା କିଛି କମ୍ ନୁହେଁ। ତେବେ ବ୍ୟବସ୍ଥା ଭିତରେ କୌଣସି ଦୋଷ, ତ୍ରୁଟି ଓ ଦୁର୍ବଳତା ଦେଖିଲେ ଆନ୍ଦୋଳନ ନକରି ପ୍ରସ୍ତାବ ମାଧ୍ୟମରେ ସରକାରଙ୍କୁ ଚେତେଇ ଦେବାର ଆବଶ୍ୟକତା ରହିଛି। ଫଳରେ ସରକାର ତତ୍ପର ହୋଇଉଠିବେ।

ଆମେ ସମସ୍ତେ ଆଜି ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରିବା ଦରକାର। ରାଜ୍ୟ ଭିତରେ କିମ୍ବା ବାହାରକୁ ଗଲେ ଓଡ଼ିଆରେ କଥାବାର୍ତ୍ତା ହେବା ନିହାତି ଦରକାର। ମନ୍ତ୍ରୀ, ବିଧାୟକ ଓ ମୁଖ୍ୟମନ୍ତ୍ରୀ ଭାଷା ଓ ଜାତିପ୍ରେମୀ ହେଲେ ଯୋଜନାର ସଫଳ ରୂପାୟନ ସମ୍ଭବ। ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ବାସ୍ତବତା ସମ୍ପର୍କରେ ସମୀକ୍ଷା କଲେ ପ୍ରକୃତ କାର୍ଯ୍ୟ ସାଧିତ ହୋଇପାରିବ।

ସୁଦର୍ଶନ ଦାସ, ସାମାଜିକ କର୍ମୀ ଓ ସ୍ତମ୍ଭକାର

ଏବେ ଓଡ଼ିଆ ଭାଷା ସାଧାରଣ ଲୋକଙ୍କ ଭାଷା ସହିତ ରାଜ୍ୟ ଶାସନର ଭାଷାରେ ପରିଣତ ହେବାକୁ ଯାଉଛି। ଏହା ଖୁବ୍ ଭଲକଥା।

କ୍ୟାବିନେଟ୍ ନିଷ୍ପତ୍ତି ପରେ ଜନ୍ମ ନେଇଛି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ରକ୍ଷା କରିବାରେ ବିଶେଷ ସହାୟକ ହେବ। ବଢ଼ିବ ଓଡ଼ିଆ ଭାଷାର ଆଦର। ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି। ଆନ୍ଦୋଳନକାରୀଙ୍କ ଯୁକ୍ତି ଯଥାର୍ଥ ବୋଲି ସରକାର ବୁଝିଛନ୍ତି।

ଏହି ନୂଆ ନିଷ୍ପତ୍ତି ସହ ଏବେ ଲାଗୁ ହେବାକୁ ଯାଉଛି କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ। ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଯେଉଁ ଆଶଙ୍କା ଲାଗି ରହିଥିଲା ଏବେ ତାହା ଏକପ୍ରକାର ଦୂର ହେବାରେ ଲାଗିଛି। ୧୯୫୪ ମସିହାରେ ନବକୃଷ୍ଣ ଚୌଧୁରୀ ଭାଷା ଆଇନ୍ ମାଧ୍ୟମରେ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ ତାହାର ବାସ୍ତବ ରୂପାୟନ ପାଇଁ ଆଉ ବେଶୀ ସମୟ ଲାଗିବ ନାହିଁ।

ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ନେଇ ସବୁବେଳେ ପ୍ରଶ୍ନ ଉଠୁଥିଲା। ଭାଷାର ପ୍ରତିଷ୍ଠା ଓ ପ୍ରସାର କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଆସୁଥିବାରୁ ତାହା ସୃଷ୍ଟି କରିଥିଲା ଏକ ଆହ୍ୱାନ। କିନ୍ତୁ ଏବେ ସରକାର ଯେଉଁସବୁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଏସବୁ ବାଧକକୁ ଦୂର କରିବାକୁ ସକ୍ଷମ ହେବ। କେବଳ ସେତିକି ନୁହେଁ, ଆଗାମୀ ପିଢ଼ି ପାଇଁ ପ୍ରଶସ୍ତ ହେବ ରାସ୍ତା। କିନ୍ତୁ ଏହି ପ୍ରକ୍ରିୟା ମଧ୍ୟରେ, ବିଶେଷକରି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟାପକ ପ୍ରୟୋଗ ବେଳେ ଆମ ଭାଷା ଯେପରି ବିକୃତ ନହୁଏ ସେଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ।

LEAVE A REPLY

Please enter your comment!
Please enter your name here