ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଚାଲିଥିବା ଅହିଂସା ଯାତ୍ରାରେ ସୋମବାର ସାମିଲ୍‌ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହି ଅହିଂସା ଯାତ୍ରାର ନେତୃତ୍ୱ ନେଉଥିବା ଜୈନ ଧର୍ମଗୁରୁ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଙ୍କ ପ୍ରବଚନ ଶୁଣିଥିଲେ। ଏହାସହ ଜୈନ ଧର୍ମ ସମ୍ପର୍କିତ ବିଭିନ୍ନ ଷ୍ଟଲ୍‌ ବୁଲିଥିଲେ।

ସଦ୍‌ଭାବନା, ନୈତିକତା ଏବଂ ନିଶାମୁକ୍ତିର ବାର୍ତ୍ତା ନେଇ ବାହାରିଛି ଏହି ଅହିଂସା ଯାତ୍ରା। ୨୦୧୪ରୁ ଦିଲ୍ଲୀ ଲାଲକିଲ୍ଲାରୁ ଏହି ଯାତ୍ରା ବାହାରିଥିଲା। ୩ଟି ଦେଶ ଏବଂ ୧୮ଟି ରାଜ୍ୟ ଏହି ଯାତ୍ରା ପରିକ୍ରମା କରିବା ପରେ ଜାନୁଆରୀ ୧୩ ତାରିଖରେ ଏହା ଭୁବନେଶ୍ବରରେ ପହଞ୍ଚିଥିଲା। ହଜାର ହଜାର ଅନୁଗାମୀଙ୍କ ଗହଣରେ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ ପଦଯାତ୍ରାରେ ଲକ୍ଷ୍ମୀସାଗର ମେଳଣ ପଡ଼ିଆକୁ ଆସିଥିଲେ।

ମେଳଣ ପଡ଼ିଆରେ ଆୟୋଜିତ ବର୍ଦ୍ଧମାନ ମହୋତ୍ସବରେ ଆଚାର୍ଯ୍ୟ ପ୍ରବଚନ ଦେବା ସହ ସଚେତନତାର ବାର୍ତ୍ତା ଦେଉଛନ୍ତି। ୧୭ ତାରିଖରେ ଏହି ଉତ୍ସବ ଉଦ୍‌ଯାପିତ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଏକ ମହତ ଉଦ୍ଦେଶ୍ୟ ନେଇ ଜୈନ ଧର୍ମଗୁରୁ ଅହିଂସା ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରା ଭୁବନେଶ୍ୱରରେ ପହଞ୍ଚିଛି। ଯେଉଁ ଲକ୍ଷ୍ୟ ନେଇ ଏହି ଯାତ୍ରା ଆରମ୍ଭ ହୋଇଛି ତାହା ସଫଳ ହେଉ।”

ସଦ୍‌ଭାବନା, ନୈତିକତା ଏବଂ ନିଶାମୁକ୍ତ ରାଷ୍ଟ୍ର ନିର୍ମାଣ ଗଠନର ଲକ୍ଷ୍ୟ ନେଇ ଅହିଂସା ଯାତ୍ରା ବାହାରିଛି।

ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣ କୁହନ୍ତି, “ସମାଜରେ ସଦ୍‌ଭାବନା, କାର୍ଯ୍ୟରେ ନୈତିକତା, ସ୍ବଚ୍ଛତା ଓ ସଚ୍ଚୋଟପଣିଆ ଏବଂ ନିଶାଠାରୁ ଦୂରେଇ ରହିବାର ବାର୍ତ୍ତା ଆମେ ପ୍ରଚାର କରୁଛୁ। ଲୋକମାନେ ସୁସ୍ଥ ଜୀବନଯାପନ କରନ୍ତୁ ବୋଲି ଆମେ ଚାହୁଁଛୁ। ଲୋକେ ଏହି ବାର୍ତ୍ତାକୁ ଗ୍ରହଣ କରୁଛନ୍ତି।”

ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶିମ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ଜୈନ ଧର୍ମର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

୧୩ ତାରିଖରେ ଏହି ଯାତ୍ରା ଭୁବନେଶ୍ୱରରେ ପହଞ୍ଚିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସ୍ୱାଗତ କରିଥିଲେ। ମହାଶ୍ରମଣ ଓଡ଼ିଶାରେ ୧୦୦ ଦିନ ଧରି ବିଭିନ୍ନ ଜାଗାରେ ଅହିଂସା ପଦଯାତ୍ରା କରିବେ।

Comment