ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ମୋଦି
  • ଗୁଜରାଟର ଅହମ୍ମଦାବାଦ ପାଲଟି ଯାଇଛି ଭାରତର ଦ୍ୱିତୀୟ ରାଜଧାନୀ!
  • ୩ ବର୍ଷରେ ୩ ବିଦେଶୀ ଅତିଥି ଆସିଲେଣି ଗୁଜରାଟ
  • ୨୦୧୪ରେ ଆସିଥିଲେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍
  • ୨୦୧୭ ସେପ୍ଟେମ୍ବରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ
  • ୨୦୧୮ ଜାନୁଆରୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ

ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦିଙ୍କର ଗୁଜରାଟ ମୋହ ଛାଡ଼ିନି। ନୂଆଦିଲ୍ଲୀକୁ ପ୍ରଧାନମନ୍ତ୍ରୀ ଯେତିକି ଗୁରୁତ୍ୱ ଦେଉଛନ୍ତି ତାଠୁ ଅଧିକ ଗୁରୁତ୍ବ ଦେଉଛନ୍ତି ଅହମ୍ମଦାବାଦକୁ। ସେଥିପାଇଁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ  ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଆସିଲେ ମୋଦି ତାଙ୍କୁ  ଅହମ୍ମଦାବାଦ ଆଣି ଭବ୍ୟ ସମ୍ବର୍ଦ୍ଧନା ଦେଉଛନ୍ତି।

ରାଜନୀତି ଦୃଷ୍ଟିକୋଣରୁ ଗୁଜରାଟ ଏହି ୩ ବର୍ଷ ଭିତରେ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ନୂଆଦିଲ୍ଲୀ ପରେ ଗୁଜରାଟର ଅହମ୍ମଦାବାଦ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ସ୍ଥାନରେ ରହିଛି। ନୂଆଦିଲ୍ଲୀ ପରେ ଅହମ୍ମଦାବାଦକୁ ଦେଶର ଦ୍ୱିତୀୟ ରାଜଧାନୀ ଭାବେ ବିବେଚନା କରାଯାଉଛି।

ରୋଡ୍ ସୋ’ରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ମୋଦି

୨୦୧୪ରେ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ପୂର୍ବରୁ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗୁଜରାଟର ଅନେକ ବିକାଶ ହୋଇଥିବା କୁହାଯାଉଛି। ଏଣୁ ଗୁଜରାଟରେ ହୋଇଥିବା ବିକାଶକୁ ଅନ୍ତର୍ଜାତୀୟ ସମୂହର ରାଷ୍ଟ୍ର ମୁଖ୍ୟଙ୍କୁ ଜଣାଇବା ପାଇଁ ମୋଦି ଏଭଳି ଗୋଟି ଚାଳନା କରୁଥିବା ଚର୍ଚ୍ଚା ହେଉଛି।

ମୋଦିଙ୍କ ଶାସନ ବେଳେ ଗୁଜରାଟରେ ଶିଳ୍ପର ବିକାଶ ଘଟିଥିଲା। ସମଗ୍ର ଦେଶରେ ଯେତିକି ଶିଳ୍ପ ଅଛି ତାର ସିଂହଭାଗ ଶିଳ୍ପ ଗୁଜରାଟରେ ରହିଛି। ଏଣୁ ଭାରତର ଜଡିପିରେ ଗୁଜରାଟ ଶିଳ୍ପର ଅନେକ ପ୍ରଭାବ ରହିଛି। ଏସବୁ ପ୍ରସଙ୍ଗ ବିଦେଶୀ ଅତିଥିଙ୍କୁ ଜଣାଇବା ପାଇଁ ମୋଦି ସେମାନଙ୍କୁ ଗୁଜରାଟ ନେଉଥିବା ରାଜନୀତି କରିଡ଼ରରେ ଆଲୋଚନା ହେଉଛି।

୨୦୧୪ରେ ପ୍ରଥମେ ଭାରତ ଆସିଥିଲେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌। ମୋଦି ତାଙ୍କୁ ସିଧାସଳଖ ଅହମ୍ମଦାବାଦ ଆଣି ଆତିଥ୍ୟ ପ୍ରଦାନ କରିଥିଲେ। ଦିନିକିଆ ଭାରତ ଗସ୍ତରେ ଆସିଥିବା ଜିନ୍‌ପିଙ୍ଗ୍‌ଙ୍କୁ ସାବରମତି ନିକଟରେ ସ୍ୱାଗତ କରାଯାଇଥିଲା। ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିଲେ ହେଁ ଜିନ୍‌ପିଙ୍ଗ୍‌ଙ୍କୁ ମୋଦି ଯେଉଁଭଳି ସ୍ୱାଗତ କରିଥିଲେ ତାହା ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା।

୨୦୧୭ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିଥିଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଆବେ ଅହମ୍ମଦାବାଦ୍ ଆସିଥିଲେ। ମୋଦି ତାଙ୍କୁ ଯେଉଁଭଳି ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ଏବଂ ରୋଡ ସୋରେ ସାବରମତି ଆଶ୍ରମ ନେଲେ ତାହା ସେତେବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ମୋଦି

ଖାଲି ସେତିକି ନୁହେଁ, ସିଞ୍ଜୋ ଆବେଙ୍କୁ ଗୁଜରାଟୀ ଖାଦ୍ୟରେ ଆପ୍ୟାୟିତ କରି ମୋଦି ଚର୍ଚ୍ଚାରେ ରହିଥିଲେ। ଚୀନ ଏବଂ ଜାପାନ୍ ରାଷ୍ଟ୍ର ମୁଖ୍ୟଙ୍କ ପରେ ଏବେ ଭାରତ ଆସିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ନେତାନ୍ୟାହୁ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସହ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି। ଏହି ଅବସରରେ ଉଭୟ ଦେଶ ମଧ୍ୟରେ ୯ଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି।

ଚୁକ୍ତି ସ୍ୱାକ୍ଷରିତ ହେବା ପରେ ନେତାନ୍ୟାହୁ ଅହମ୍ମଦବାଦ ଗସ୍ତରେ ଆସିଛନ୍ତି। ତାଙ୍କୁ ମୋଦି ଭବ୍ୟ ସ୍ୱାଗତ କରି ୯ କି ମି ରୋଡ ସୋ’ କରି ଚର୍ଚ୍ଚାରେ ରହିଛନ୍ତି।

ପୂର୍ବରୁ ଇନ୍ଦିରା ଗାନ୍ଧି ଏବଂ ଅଟଳବିହାରୀ ବାଜପେୟୀ ମଧ୍ୟ ବାହାରୁ ଆସୁଥିବା ଅତିଥିମାନଙ୍କୁ ନୂଆଦିଲ୍ଲୀ ବାହାରେ ଆତିଥ୍ୟ ପ୍ରଦାନ କରିଥିବାର ନଜିର୍ ରହିଛି।

Comment