ଓଡ଼ିଶାଲାଇଭ୍ ବ୍ୟୁରୋ
ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କ ବିରୋଧରେ ଲମ୍ବୂଛି ଅଭିଯୋଗର ଫର୍ଦ୍ଦ। ତିନି ଦିନ ଭିତରେ ଆସିଲାଣି ୩ଟି ବ୍ଲକରୁ ଅଭିଯୋଗ। ଏଣୁ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବିଜେଡିରେ ବିପଦ ବଢ଼ୁଥିବା ଆଲୋଚନା ହେଉଛି। ଏପଟେ ବୈଜୟନ୍ତ ଟୁଇଟ୍ କରି ତାଙ୍କ ବିରୋଧରେ ୩ ବର୍ଷ ହେଲା ଚକ୍ରାନ୍ତ ହେଉଛି କହି ପୁଣି ବିଜେଡିରେ କମ୍ପନ ସୃଷ୍ଟି କରିଛନ୍ତି।
ପ୍ରଥମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ତରଫରୁ ନବୀନ ପଟ୍ଟନାୟକଙ୍କ ପାଖକୁ ଆସିଥିଲା ଅଭିଯୋଗ। ସାଂସଦ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଦଳୀୟ କର୍ମୀ ଫେରାଦ୍ ହୋଇଥିଲେ। ଏହାପରେ ଅଭିଯୋଗ ନେଇ ଆସିଥିଲେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ବରାଳ। ସେ ମଧ୍ୟ ନବୀନଙ୍କ ଆଗରେ ସମାନ ଅଭିଯୋଗ ନେଇ ଫେରାଦ୍ ହୋଇଥିଲେ।
ସାଂସଦ ଦଳୀୟ କର୍ମୀଙ୍କୁ ପଚାରନ୍ତି ନାହିଁ କି ତାଙ୍କ କାର୍ଯ୍ୟକ୍ରମ ବିଷୟରେ ଜଣାନ୍ତି ନାହିଁ। ସବୁବେଳେ ବିରୋଧୀ ଗୋଷ୍ଠୀଙ୍କୁ ନେଇ ସେ ନିର୍ବାଚନମଣ୍ଡଳୀକୁ ଆସନ୍ତି ବୋଲି ସସ୍ମିତା ଅଭିଯୋଗ କରିଥିଲେ।
ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ପରେ ବୁଧବାର ସାଲେପୁର ବ୍ଲକରୁ ଆସିଥିଲେ ବିଜେଡି କର୍ମୀ। ବିଜେଡି କର୍ମୀ ନବୀନନିବାସରେ ନବୀନଙ୍କୁ ଭେଟି ସାଂସଦଙ୍କ ବିରୋଧରେ କରିଥିଲେ ବିଷୋଦ୍ଗାର୍। ନିଶ୍ଚିନ୍ତକୋଇଲି ଏବଂ ମହାକାଳପଡ଼ା ବ୍ଲକର ବିଜେଡି କର୍ମୀ ଯେଉଁ ଅଭିଯୋଗ କରିଥିଲେ ସେହି ଅଭିଯୋଗ କରିଥିଲେ ସାଲେପୁରର କର୍ମୀ। ନିଜ ନିର୍ବାଚନମଣ୍ଡଳୀରୁ ଅଭିଯୋଗ ଆସିବା ପରେ ବୈଜୟନ୍ତଙ୍କ ସ୍ଥିତି ବିଜେଡିର କ’ଣ ହେବ ତାକୁନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ଜିଲ୍ଲା ପର୍ଯ୍ୟବେକ୍ଷକ କରିବେ ତଦନ୍ତ
କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ୩ଟି ବ୍ଲକରୁ ସାଂସଦ ବୈଜୟନ୍ତଙ୍କ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ କଠୋର ହୋଇଛନ୍ତି ନବୀନ। ଘଟଣାର ତଦନ୍ତ କରିବା ପାଇଁ କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଉଷା ଦେବୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ସାଂସଦଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ବିଜେଡି ସଭାପତିଙ୍କୁ ପ୍ରଦାନ କରିବେ।
“ଦଳ ଭିତରେ କନ୍ଦଳ ରହିବା କଥା ନୁହେଁ। ଦଳରେ କନ୍ଦଳ ଲାଗି ରହିଲେ ବାହାରକୁ ଏକ ଖରାପ ବାର୍ତ୍ତା ଯିବ। ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଥିବା କନ୍ଦଳର ତଦନ୍ତ ପାଇଁ ମୋତେ ନିର୍ଦ୍ଦେଶ ଦିଆଯାଇଛି। ମୁଁ ତଦନ୍ତ କରି ସଭାପତିଙ୍କୁ ରିପୋର୍ଟ ଦେବି”, କହିଛନ୍ତି ଉଷାଦେବୀ।
କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ କହିଛନ୍ତି, “ତଦନ୍ତ ପାଇଁ ମୁଁ ଗୁରୁବାର କିମ୍ବା ଶୁକ୍ରବାର କେନ୍ଦ୍ରାପଡ଼ା ଯିବି। ଉଭୟ ପକ୍ଷର ସମର୍ଥକଙ୍କୁ ଡାକି ଆଲୋଚନା କରିବି। ନିରପେକ୍ଷ ଭାବେ ତଦନ୍ତ ହେବ। ତଦନ୍ତ ରିପୋର୍ଟ ବିଜେଡି ସଭାପତିଙ୍କୁ ଦିଆଯିବ।”
ମାହାଙ୍ଗା ଅଣ୍ଡାମାଡ଼ ଘଟଣାର ବି ତଦନ୍ତ ହୋଇଥିଲା
୨୦୧୭ ମେ’ ୩୦ ତାରିଖରେ ମାହାଙ୍ଗା ଜାତିପାରିଲୋରେ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରିଥିଲେ ବିଜେଡିର କିଛି କର୍ମୀ। ଏପରିକି ସାଂସଦଙ୍କ ଉପରକୁ ଅଣ୍ଡା ଏବଂ ଢ଼େଲା ମାଡ଼ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିଲା। ବିଜେଡିରେ କନ୍ଦଳ ରହିଥିବା ଚର୍ଚ୍ଚା ହେବା ପରେ ବିଜେଡି ସଭାପତି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ତଦନ୍ତ ଆଦେଶ ଦେଇଥିଲେ। ଆଦେଶ ମୁତାବକ ଉଷା ଦେବୀ ମାହାଙ୍ଗା ଯାଇଥିଲେ। କର୍ମୀଙ୍କ ସହ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେ ତାଙ୍କ ରିପୋର୍ଟ ବିଜେଡି ସଭାପତିଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ ବିଜେଡି ସୁପ୍ରିମୋ ପର୍ଯ୍ୟବେକ୍ଷକଙ୍କୁ ଦେଇଛନ୍ତି। ହେଲେ ଏହି ତଦନ୍ତ ରିପୋର୍ଟ ପରେ ବିଜେଡି ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ନୀରବ ରହିବେ ତାହା ଅପେକ୍ଷା କରି ଦେଖିବାର କଥା।
ବୈଜୟନ୍ତଙ୍କ ଟୁଇଟ୍: ୩ ବର୍ଷ ହେଲା ଚାଲିଛି ଚକ୍ରାନ୍ତ
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବା ପରେ ବୈଜୟନ୍ତ ଟୁଇଟ୍ କରି ଏହାର ଜବାବ ଦେଇଛନ୍ତି। କହିଛନ୍ତି, “୩ ବର୍ଷ ହେଲା ମୋ ବିରୋଧରେ ଦଳରେ ଚକ୍ରାନ୍ତ ଚାଲିଛି। ମୋ ଦଳର ନେତାଙ୍କ ମୁଣ୍ଡରେ ମୋ’ ବିରୋଧରେ ସନ୍ଦେହ ପୂରା ଯାଇଛି।
କ’ଣ ପାଇଁ ଚର୍ଚ୍ଚାରେ ବୈଜୟନ୍ତ?
କିଛିଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ୍ କରି ବିବାଦରେ ଛନ୍ଦି ହୋଇ ଯାଇଥିଲେ ବୈଜୟନ୍ତ। ଏପରିକି ଅଫିସର ସର୍ଭିସ୍ ରୁଲ୍କୁ ଭୁଲି ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି ଏହି ବରିଷ୍ଠ ନେତା। ଲାଗାତାର ବୈଜୟନ୍ତ ଏବଂ ତାଙ୍କ ରାଜନୈତିକ ସଚିବ ତୃତୀୟ ମହଲାକୁ ଆଟାକ୍ କରି ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲେ କମ୍ପନ।
ଏହି କମ୍ପନ ଏମିତି ଥିଲା ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଜବାବ ରଖିବାକୁ ବାଧ୍ୟ ହୋଇଥିଲେ। ବୈଜୟନ୍ତଙ୍କ ଅଣଓଡ଼ିଆ ଅଫିସରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ନବୀନ କଡ଼ା ଭାଷାରେ ତାଗିଦ୍ କରିଥିଲେ। କହିଥିଲେ, “ଯେଉଁମାନଙ୍କ ପାଖରେ କିଛି ପ୍ରସଙ୍ଗ ନଥାଏ ସେମାନେ ମୋ କାର୍ଯ୍ୟାଳୟ ଉପରେ ଆଲୋଚନା କରନ୍ତି।”
ନବୀନଙ୍କ ଏହି ବିବୃତି ଆସିବା ପରେ ବୈଜୟନ୍ତ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ସୋସିଆଲ ମିଡିଆରେ। ତାଙ୍କ ଦଳର ନେତା ଯାହା ବିଚାର କରିଛନ୍ତି ତାହାକୁ ଆଉଥରେ ତର୍ଜମା କରିବାକୁ ଅନୁରୋଧ କରିଥିଲେ। ଏହାସହ ନବୀନଙ୍କ ‘ପ୍ରସଙ୍ଗ ହୀନ’ ମନ୍ତବ୍ୟରେ ମତ ରଖିବାକୁ ଯାଇ ବିଭିନ୍ନ ପ୍ରଶ୍ନବାଣରେ ଛନ୍ଦିଥିଲେ ବୈଜୟନ୍ତ। ବିଜୁବାବୁଙ୍କ ଉଦାହରଣ ଦେଇ ପୁଣିଥରେ ଅଫିସରଙ୍କ ଉପରେ ବର୍ଷିଥିଲେ।
କ’ଣ ଥିଲା ଘଟଣା
ସାଂସଦ ପାଣ୍ଠିରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକର ବୁହାଳୋ ପଞ୍ଚାୟତରେ ହୋଇଥିଲା ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ନିର୍ମାଣ। ଏହାକୁ ଉଦ୍ଘାଟନ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡା କରିଥିଲେ ଯୋଜନା। ହେଲେ ଏହାକୁ ବିରୋଧ କରିଥିଲା ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା କରି ପାଣିଟାଙ୍କି ଉଦଘାଟନ ପାଇଁ ଅନୁମତି ନଦେବାକୁ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଏହି ଘଟଣାରୁ ହିଁ ଆରମ୍ଭ ହୋଇଥିଲା ବିବାଦ। କିଛି କୁଚକ୍ରୀ ଗୋଷ୍ଠୀ ଏବଂ ଅଣଓଡ଼ିଆ ଅଫିସର ପାଣିଟାଙ୍କି ଉଦଘାଟନ ହେଉ ବୋଲି ଚାହୁଁ ନଥିବା ବୈଜୟନ୍ତଙ୍କ ଅଫିସ ଅଭିଯୋଗ କରିଥିଲା।
ଗୋଟିଏ ପଟେ ବ୍ଲକ ବିଜେଡି ସାଂସଦଙ୍କୁ ବିରୋଧ କରିଥିବା ବେଳେ ବୁହାଳୋ ସରପଞ୍ଚ ବୈଜୟନ୍ତଙ୍କୁ ଦେଇଥିଲେ ସମର୍ଥନ। ସାଂସଦ ଆସିଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଜିଲ୍ଲାପାଳଙ୍କୁ ଲେଖିଥିଲେ ଚିଠି। ଶେଷରେ ବୈଜୟନ୍ତ ଆସିଲେ ଏବଂ ପାଣିଟାଙ୍କି ଉଦଘାଟନ କଲେ। ଉଦଘାଟନ କରିବା ପରେ ବୈଜୟନ୍ତ ଥାର୍ଡ ଫ୍ଲୋରକୁ ଟାର୍ଗେଟ୍ କରିଥିଲେ।








ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ତାଙ୍କ ବିରୋଧରେ ଲମ୍ବୂଛି ଅଭିଯୋଗର ଫର୍ଦ୍ଦ। ତିନି ଦିନ ଭିତରେ ଆସିଲାଣି ୩ଟି ବ୍ଲକରୁ ଅଭିଯୋଗ। ଏଣୁ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବିଜେଡିରେ ବିପଦ ବଢ଼ୁଥିବା ଆଲୋଚନା ହେଉଛି। ଏପଟେ ବୈଜୟନ୍ତ ଟୁଇଟ୍ କରି ତାଙ୍କ ବିରୋଧରେ ୩ ବର୍ଷ ହେଲା ଚକ୍ରାନ୍ତ ହେଉଛି କହି ପୁଣି ବିଜେଡିରେ କମ୍ପନ ସୃଷ୍ଟି କରିଛନ୍ତି।





