ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଏବଂ ଦର୍ଶକଙ୍କ ପାଇଁ ଖୁସି ଖବର। ୨୦୧୭ ଭଳି ୨୦୧୮ରେ ମଧ୍ୟ ଏକାଧିକ ଫିଲ୍ମ ପରଦାକୁ ଆସିବା ପାଇଁ ସଜବାଜ ହେଉଛି।

ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସଂଖ୍ୟା ଦୃଷ୍ଟିରୁ ଓଲିଉଡ ପାଇଁ ଏକ ଭଲ ବର୍ଷ ହେବ ବୋଲି କୁହାଯାଇଛି। ଏଥିମଧ୍ୟରେ ୨୦୧୮ରେ ପ୍ରଥମ ଓଡ଼ିଆ ଛବି ଭାବେ ବାବୁସାନ୍ ଓ ସୁପ୍ରିୟାଙ୍କ ଅଭିନୀତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଓନଲି ପ୍ୟାର୍’ ମୁକ୍ତି ଲାଭ କରିସାରିଛି।

ଏ ବର୍ଷର ଦ୍ୱିତୀୟ ଓଡ଼ିଆ ଛବି ରୂପେ ପରଦାକୁ ଆଜି ଆସିଛି ତରଙ୍ଗ ସିନେ ପ୍ରଡକ୍ସନସର ନୂଆ ସିନେମା ‘ହାପି ଲକି’। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍‌ମରେ ଅଛନ୍ତି ସମ୍ବିତ୍, ସସ୍ମିତା, ଜ୍ୟୋତି ଓ ଏଲିନା।

ବର୍ତ୍ତମାନ କେତେକ ଓଡ଼ିଆ ସିନେମା ରିଲିଜ୍ ଅପେକ୍ଷାରେ ରହିଛି ଓ ଆଉ କେତୋଟି ସିନେମା ଫ୍ଲୋରରେ ରହିଛି, ଯାହା ୨୦୧୮ରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି। ଏହି କ୍ରମରେ ଅଛନ୍ତି ରୋନକ ସାହୁ ଓ ମିନତୀ ସାହୁଙ୍କ ପ୍ରଯୋଜିତ ତଥା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ସିନେମା ‘ଶକ୍ତି’। ଏହି ଫିଲ୍ମରେ ନବାଗତ କରଣ, ସୁରମୟୀ ଓ ମିହିର ଦାସ ମୁଖ୍ୟ ଭୂମିକାରେ ଅଛନ୍ତି।

ଏଯାବତ୍ ୨୨ଟି ଓଡ଼ିଆ ଛବିର ନିର୍ମାଣ କରିସାରିଥିବା ସାର୍ଥକ ମ୍ୟୁଜିକର ନୂଆ ସିନେମା ‘ଟୋକାଟା ଫସିଗଲା’ ବି ମୁକ୍ତି ପ୍ରତୀକ୍ଷାରେ ରହିଛି। ରମେଶ ରାଉତ ଏହାର ନିର୍ଦ୍ଦେଶକ ଓ ଏଥିରେ ପ୍ରଥମ ଥର ପାଇଁ ଦର୍ଶକ ସୋବର ବୟ ସବ୍ୟସାଚୀ ଓ କ୍ୟୁଟ୍‍ ଏଲିନା ସାମନ୍ତରାୟଙ୍କ ଯୋଡ଼ିକୁ ପରଦାରେ ଭେଟିବେ।

ତା’ ପଛକୁ ରହିଛି ଶ୍ରୀଧର ମାର୍ଥାଙ୍କ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ଛବି ‘ଯୋଗୀ’। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ ବେହେରା। ଏଥିରେ ପରଦାକୁ ପ୍ରଥମ ଥର ପାଇଁ ଆସିବ ଏକ ସମ୍ପୂର୍ଣ୍ଣ ନୂଆ ଯୋଡ଼ି ଆର୍ଯ୍ୟନ ଦାଶ କୁମାର ଓ ନିକିତା ମିଶ୍ର। ଏତଦବ୍ୟତୀତ ହର ରଥ, ବିଜୟ ମହାନ୍ତି, ସ୍ମିତା ମହାନ୍ତି ଓ ମନୋଜ ମିଶ୍ର ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଦେବେ ଏହି ସିନେମାରେ।

୨୦୧୮ର ଏକ ଗୁରୁତ୍ୱପୂର୍ଣ୍ଣ ରିଲିଜ୍ ତାଲିକାରେ ରହିଛି ଓଡ଼ିଆ ସିନେମା ‘ଦିୱାନା ହେଲି ତୋ ପାଇଁ’। ଏହି ଫିଲ୍ମ ଜରିଆରେ ପୁଣି ଦିଓ୍ବାନା କ୍ଷେତ୍ରକୁ ଫେରିଛନ୍ତି ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ୍ ଦାସ। ଏହି ଫିଲ୍ମରେ ନିଜେ ଶ୍ରୀତମ ଦାସ ଖଳନାୟକ ଭୂମିକା ନିଭାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନବାଗତ ମୁନା, ରିୟା ଦେ, ପପୁ ପମ୍ ପମ୍, ସିଦ୍ଧାର୍ଥ ଓ ଉଷଶୀ ମିଶ୍ର ଅଛନ୍ତି ମୁଖ୍ୟ ଭୂମିକାରେ।

ଅମିତ ନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ବ୍ଲାକମେଲ୍’ ମାର୍ଚ୍ଚ ମାସରେ ଆସିବ ବୋଲି କୁହାଯାଇଛି। ଏଥିରେ ଅର୍ଦ୍ଧେନ୍ଦୁ, ତମନ୍ନା , ଆହାନା ଓ ସିଦ୍ଧାନ୍ତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ମୁଖ୍ୟ ଭୂମିକାରେ। ଠିକ୍ ସେହିପରି ସୋନମ୍ ସିଂହଙ୍କ ପ୍ରଯୋଜିତ ତଥା ବିଭୁଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଅଜାତଶତ୍ରୁ’ ବି ରିଲିଜ୍ ପାଇଁ ପ୍ରସ୍ତୁତ ଅଛି।

ନିରଞ୍ଜନ ବେହେରାଙ୍କ ‘ଆଣ୍ଟି ନମସ୍କାର’ ବି ଏବର୍ଷ ପରଦାକୁ ଆସିବ। ଏହି ଫିଲ୍ମରେ ଶ୍ରୀତମ୍ ଦାସ, ଜିନା ଓ ରବି ମିଶ୍ର ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ। କିଛିଦିନ ହେବ ରିଲିଜ୍ ପାଇଁ ଅପେକ୍ଷାରେ ଥିବା ‘ବାଜି ବାଜି ବାବାଜି’ ୨୦୧୮ରେ ମୁକ୍ତିଲାଭ କରିବ। ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାରେ ମିଟୁ ମିଥୁନ, ବାଦଲ ମହାନ୍ତି, ରକ୍ ପାତ୍ର ଓ ରତିସି ପ୍ରମୁଖ ଅଭିନୟ କରିଛନ୍ତି।

ସବ୍ୟସାଚୀଙ୍କ ଅଭିନୀତ ‘ଯେତେ ଗୋରୀ ସେତେ ଷ୍ଟୋରୀ’ ଓ ‘ଅମର ପ୍ରେମ’ ବି ଏବର୍ଷ ମୁକ୍ତିଲାଭ କରିପାରେ। ନିର୍ଦ୍ଦେଶକ ଜିତୁ ରାଉତଙ୍କ ‘ରାମନାମ ସତ୍ୟ ହେ’ ୨୦୧୮ରେ ପରଦାକୁ ଆସିବାକୁ ଅପେକ୍ଷାରେ ରହିଛି। ଠିକ୍ ସେହିପରି ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଡୁ ଆଣ୍ଡ ଗୁଡ୍ଡି’ ଏବେ ରିଲିଜ୍ ଅପେକ୍ଷାରେ ରହିଛି। ଏଥିରେ ଦର୍ଶକ ଏକ ନୂଆ ଯୋଡ଼ି  ସୂର୍ଯ୍ୟକାନ୍ତ ଓ ହିମିକାଙ୍କୁ ଦେଖିବାକୁ ପାଇବେ।

ଅପରପକ୍ଷରେ ଟି.ଗଣେଶଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ହତ୍ୟା’ ବି ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ନରୋତ୍ତମ ପରିଡାଙ୍କ ନିର୍ଦ୍ଦେଶିତ ‘କୋଟିଏରେ ଗୋଟିଏ ମନ’। ପୁରୁଖା ନିର୍ଦ୍ଦେଶିତ ‘ଦିପୁ ଦ ଡ୍ୟାନସର ବଏ’, ସୁଶାନ୍ତ ରାଉତଙ୍କ ‘ତୁ ମୋ ଜାନ୍’, ସୁଧାକର ବସନ୍ତଙ୍କ ‘ବୋବାଲ୍ ଟୋକା’, କୁମାର ସରୋଜଙ୍କ ‘ବିଗ୍‌ ବ୍ରଦର’, ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଲୁଚେଇ ଦେ ମୋତେ ଛାତି ଭିତରେ’, ଏନ୍ ପାଢ଼ି ‘ତୋ ପ୍ରେମରେ ପାଗଳ ମୁଁ’, ମନୋରଞ୍ଜନ ପାଲଙ୍କ ‘ବେଷ୍ଟ ଅଫ୍ ଲକ୍’ ଓ ‘ଫେସବୁକ’, ମାଧବ ପରିଡାଙ୍କ ‘ଗେଷ୍ଟହାଉସ୍’ ଓ ମୃତ୍ୟୁଞ୍ଜୟ ସାହୁଙ୍କ ‘ଲଭ୍ ୨୦୨୦’ ଆଦି ମଧ୍ୟ ୨୦୧୮ରେ ରିଲିଜ୍ ହେବାର ସମ୍ଭାବନା ରହିଛି।

ଏତଦବ୍ୟତୀତ ଅନେକ ପ୍ରସ୍ତାବିତ ଓଡ଼ିଆ ସିନେମା ବି ଏବର୍ଷ ଦର୍ଶକଙ୍କ ସାମନାକୁ ଆସିବ ବୋଲି କୁହାଯାଇପାରେ।

Comment