ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ରାତିରେ ଏକାସାଙ୍ଗରେ ଦେଖିବାକୁ ମିଳିବ ସୁପରମୁନ୍, ବ୍ଲୁ ମୁନ୍ ଏବଂ ଚନ୍ଦ୍ରଗ୍ରହଣ। ଏହି ମହାଜାଗତିକ ଦୃଶ୍ୟକୁ ବୈଜ୍ଞାନିକମାନେ କହୁଛନ୍ତି ‘ସୁପର ବ୍ଲୁ ବ୍ଲଡ ମୁନ୍’।

ବୁଧବାର ହେଉଛି ମାଘ ପୂର୍ଣ୍ଣିମା। ଏହିଦିନ ମହାକାଶରେ ଘଟିବ ମହାଜାଗତିକ ଦୃଶ୍ୟ। ପୂର୍ଣ୍ଣମାରେ ହେଉଛି ଚନ୍ଦ୍ରଗ୍ରହଣ। ଏହି ଗ୍ରହଣକୁ ବୈଜ୍ଞାନିକମାନେ ନିଆରା ବୋଲି କହିଛନ୍ତି। ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ‘ସୁପର ବ୍ଲୁ ବ୍ଲଡ ମୁନ୍’।

ବୁଧବାର ସନ୍ଧ୍ୟାରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ୨୦୧୮ର ଏହା ହେଉଛି ପ୍ରଥମ ଚନ୍ଦ୍ରଗ୍ରହଣ। ସନ୍ଧ୍ୟା ୫ଟା୧୮ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେଉଥିବା ବେଳେ ରାତି ୮ଟା୩୧ରେ ଏହା ଶେଷ ହେବ।

ପୃଥିବୀ ଓ ଚନ୍ଦ୍ରର ଦୂରତା ସାଧାରଣ ଦୂରତାଠାରୁ କମ୍ ଥିଲେ ଚନ୍ଦ୍ରର ଉଜ୍ଜ୍ବଳତା ଅଧିକ ଦେଖାଯାଏ। ଏହାସହ ଜହ୍ନ ବଡ଼ ଦେଖାଯାଏ। ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଜହ୍ନ ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ।

ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ କିରଣ ପ୍ରତିସରଣ ହୋଇ ଚନ୍ଦ୍ରପୃଷ୍ଠରେ ପଡ଼ିଥାଏ। ଫଳରେ ଗ୍ରହଣ ଚନ୍ଦ୍ର ଫିକା ଲାଲ୍ ବା ନାରଙ୍ଗୀ ଦେଖାଯାଏ। ଏଣୁ ବୁଧବାର ହେଉଥିବା ଗ୍ରହଣରେ ଚନ୍ଦ୍ର ଲାଲ ଦେଖାଯିବ। ଏହାକୁ ଲାଲ୍ ଜହ୍ନ ମଧ୍ୟ କୁହାଯାଉଛି।

ଚନ୍ଦ୍ରଗହଣ ଯୋଗୁଁ ବୁଧବାର ସକାଳ ୬ଟା୨୫ରୁ ଦେବନୀତି, ପାକ ତ୍ୟାଗ ଏବଂ ଅନ୍ନ ଭୋଜନ ନିଷେଧ କୁହାଯାଉଛି। ଓଡ଼ିଶାରେ ଏହି ଜାଗତିକ ଦୃଶ୍ୟର ମଜା ସନ୍ଧ୍ୟା ୬ଟା୨୧ରୁ ରାତି ୭ଟା୩୭ ମଧ୍ୟରେ ନେଇ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ କୁହାଯାଇଛି।

୧୯୮୨ରେ ଏହି ବିରଳ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥିଲା। ୨୦୧୮ ପରେ ପୁଣି ୨୦୨୮ ଏବଂ ୨୦୩୭ରେ ଏହା ଦେଖିବାକୁ ମିଳିବ ବୋଲି ନାସା ପକ୍ଷରୁ କୁହାଯାଇଛି।

ଭାରତରେ ଏହି ବିରଳ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଏହାସହ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସମେତ କାନାଡାର କିଛି ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିବ।

 

 

LEAVE A REPLY

Please enter your comment!
Please enter your name here