ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବା ପରେ ବି ବିବାଦ ଥମୁନି। କେନ୍ଦ୍ରାପଡ଼ା ଏମ୍‌ପିଙ୍କୁ ମଙ୍ଗଳବାର ପ୍ରମିଳା ମଲ୍ଲିକ ଚାଲେଞ୍ଜ ଦେବା ପରେ ସାଂସଦ ଏହାର କଡ଼ା ଜବାବ ଦେଇ ରାଜନୀତିକୁ ଉଷ୍ମ କରିଛନ୍ତି।

  • ଯଦି ସାଂସଦଙ୍କର ଲୋକପ୍ରିୟତା ଅଛି ସେ ଇସ୍ତଫା ଦେଇ ଜିତିକି ଦେଖାନ୍ତୁ: ପ୍ରମିଳା
  • ତିନି ଦିନରେ ତଦନ୍ତ ରିପୋର୍ଟ ଦେବାରେ ପ୍ରମିଳାଙ୍କ ରେକର୍ଡ ରହିଛି: ବୈଜୟନ୍ତ
  • “ପ୍ରମିଳାଙ୍କୁ ଚିଟଫଣ୍ଡ ଦୁର୍ନୀତି ଏବଂ କୁନ୍ଦୁଲି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଉ”

ବିଜେଡିରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିଲମ୍ବିତ ହେବା ପରେ ବି ବିବାଦ ଥମୁନି। ନିଲମ୍ବନକୁ ନେଇ ସାଂସଦ ସୋସିଆଲ ମିଡିଆରେ ନିଜ ମତ ସାବ୍ୟସ୍ତ ଜାରି ରଖିଥିବା ବେଳେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଚାଲେଞ୍ଜ ଦେଇଛନ୍ତି।

ଯଦି ସାଂସଦଙ୍କର ଲୋକପ୍ରିୟତା ଅଛି ତାହେଲେ ଇସ୍ତଫା ଦେଇ ସେ ଜିତିକି ଦେଖାନ୍ତୁ ବୋଲି ପ୍ରମିଳା ଗଣମାଧ୍ୟମରେ କହିଛନ୍ତି।

ପ୍ରମିଳାଙ୍କ ଏହି ପଦିଏ କଥା ବୈଜୟନ୍ତଙ୍କ ଶିବିରକୁ ହଲଚଲ କରିଛି। ପ୍ରମିଳାଙ୍କ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ବୈଜୟନ୍ତ ଟୁଇଟ୍ କରିଛନ୍ତି।

“ତିନି ଦିନ ମଧ୍ୟରେ ରିପୋର୍ଟ ଦେବାରେ ଏବଂ ଦୋଷୀଙ୍କୁ ଖୋଜିବାରେ ତାଙ୍କର ପୁରୁଣା ରେକର୍ଡ ରହିଛି। ଯଦି ପ୍ରମିଳା ମଲ୍ଲିକଙ୍କୁ ରାଜ୍ୟ ସରକାର ଚିଟଫଣ୍ଡ ଦୁର୍ନୀତି ଏବଂ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ଭାର ଦିଅନ୍ତେ ତାହେଲେ ରାଜ୍ୟ ପାଇଁ ଅଧିକ ଭଲ ହୁଅନ୍ତା”, ଟୁଇଟ୍‌ରେ ଏହା ଉଲ୍ଲେଖ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ ଏବଂ ପ୍ରମିଳାଙ୍କ ମଧ୍ୟରେ ଏହି ତୁ ତୁ ମେଁ ମେଁ ଏବେ ପୁଣି ରାଜ୍ୟ ରାଜନୀତିକୁ ଉଷ୍ମ କରିଛି।

ତୃତୀୟ ମହଲାକୁ ଟାର୍ଗେଟ୍‌ କରି ବିବାଦୀୟ ହୋଇଯାଇଥିଲେ ବୈଜୟନ୍ତ। ତାଙ୍କ ବିରୋଧରେ କେନ୍ଦ୍ରାପଡ଼ା ଲୋକସଭା ଆନର ବିଜେଡି କର୍ମୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହେବା ପରେ ନବୀନ ତଦନ୍ତ ଆଦେଶ ଦେଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଏହି ତଦନ୍ତ କରିଥିଲେ। ତଦନ୍ତ ବେଳେ ବି ବୈଜୟନ୍ତ ଓ ପ୍ରମିଳାଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ସେତେବେଳେ ପ୍ରମିଳା କହିଥିଲେ ଯେ, ଘଟଣା ସମ୍ପର୍କରେ ପଚାରିବା ପାଇଁ ସେ ବୈଜୟନ୍ତଙ୍କୁ ପାଉ ନାହାନ୍ତି। ତାଙ୍କ ସହ ଯୋଗାଯୋଗ ସମ୍ଭବ ହେଉନି।

ଏହାର ଜବାବ ଦେଇଥିଲେ ବୈଜୟନ୍ତ। ପ୍ରମିଳାଙ୍କ ସହ ସେ ଫୋନରେ କଥା ହୋଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ। ଏହି ଘଟଣା ସେତେବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରମିଳାଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ବିଜେଡି ସଭାପତି ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Comment