ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ନାପାକ୍ ହରକତ କାରଣରୁ ସୀମାରେ ଯାଇଛି ୪ ଜଣ ଭାରତୀୟ ଯବାନଙ୍କ ଜୀବନ। ଏହି ସହିଦଙ୍କ ଭିତରେ ସାମିଲ୍ ଅଛନ୍ତି ୨୨ ବର୍ଷୀୟ କ୍ୟାପେଟନ୍‌ କପିଲ କୁଣ୍ଡୁ।

୬ ଦିନ ପରେ ନିଜର ୨୩ ତମ ଜନ୍ମଦିବସ ପାଳିଥାନ୍ତେ। ତା’ପୂର୍ବରୁ ଦେଶପାଇଁ ନିଜ ଜୀବନକୁ ସମର୍ପିତ କରିଦେଲେ କପିଲ କୁଣ୍ଡୁ।

ଗତ କିଛିଦିନ ତଳେ ଆନନ୍ଦ ଫିଲ୍ମର ପ୍ରସିଦ୍ଧ ଡାଇଲଗ୍‌ ‘ଜୀବନ ଲମ୍ୱା ନୁହେଁ ବରଂ ହୃଦୟ ବଡ଼ ହେବା ଦରକାର’କୁ ନିଜ ଫେସ୍‌ବୁକ୍‌ ଷ୍ଟାଟସ୍‌ ଭାବେ ଲେଖିଥିଲେ କପିଲ୍। ମାତ୍ର କିଛିଦିନ ପରେ ତାଙ୍କ ଚିନ୍ତାଧାରା ସତ୍ୟରେ ପରିଣତ ହୋଇଛି। ଅଧିକ ବର୍ଷ ବଞ୍ଚିନାହାନ୍ତି ସତ ମାତ୍ର ବିରାଟ ହୃଦୟ ଦେଖାଇ ଦେଶ ପାଇଁ ସହିଦ ହୋଇଛନ୍ତି।

ଗୁରୁଗ୍ରାମ ବାସିନ୍ଦା କପିଲ କୁଣ୍ଡୁଙ୍କ ବାପା ଚାଲିଯିବା ପରେ ମାଆ ସୁନୀତା ପୁଅକୁ ସେନାରେ ସାମିଲ ହୋଇ ଦେଶସେବା ପାଇଁ ପଠାଇବାର ସାହାସିକ ନିଷ୍ପତ୍ତି ନେଇଥିଲେ।

ପୁଅ ସହିଦ ଖବର ଶୁଣିବା ମାତ୍ରେ  ଘରେ ଦୁଇ ଭଉଣୀ ଓ ମାଆ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ପୂରା ଗାଁ ଏକପ୍ରକାର ସ୍ତବ୍ଧ ହୋଇଯାଇଛି।

ରବିବାର ଦିନ ପାକିସ୍ତାନ ସେନା ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିଛି।  ଏଥିରେ ଭାରତୀୟ ସେନାର ୩ ଯବାନଙ୍କ ସମେତ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।

Comment