ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ଦେଇଛି ଅନୁଦାନ। ମୁଖ୍ୟମନ୍ତ୍ରୀ ରେଳବାଇର ବିକାଶ ପାଇଁ ୬ ହଜାର ୫୦୦ କୋଟି ମାଗିଥିବା ବେଳେ ମିଳିଛି ୫ ହଜାର ୨୫୨ କୋଟି।

ରେଳ ବଜେଟ୍‌ରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ। ରେଳବାଇର ବିକାଶ ପାଇଁ ୬ ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଥିଲେ। ହେଲେ ଓଡ଼ିଶା ଯେଉଁ ଦାବି କରିଥିଲା ସେଥିରେ ନିରାଶ ହେବାକୁ ପଡ଼ିଛି।

୬ ହଜାର ୫୦୦ କୋଟି ଟଙ୍କା ବଦଳରେ ଓଡ଼ିଶାକୁ ମିଳିଛି ୫ ହଜାର ୨୫୨ କୋଟି। ୨୦୧୮-୧୯ ବଜେଟରେ ରେଳବାଇ ପାଇଁ ପ୍ରସ୍ତାବିତ ଅର୍ଥ କିପରି ବିନିଯୋଗ ହେବ ସେନେଇ ଆଲୋଚନା ହୋଇଥିଲା। ଏ ସମ୍ପର୍କରେ ସଂସଦରେ ରେଳମନ୍ତ୍ରୀ ପୀୟୁଷ ଗୋଏଲ ପ୍ରସ୍ତାବ ରଖିବା ବେଳେ ଓଡ଼ିଶାକୁ ୫ ହଜାର ୨୫୨ କୋଟି ମିଳିବ ବୋଲି ଜଣାପଡ଼ିଥିଲା।

ପୂର୍ବରୁ ରେଳବାଇର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପନ କରାଯାଉଥିଲା। ହେଲେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଆସିବା ପରେ ପରମ୍ପରା ଭଙ୍ଗ କରାଯାଇଛି। ସ୍ୱତନ୍ତ୍ର ରେଳ ବଜେଟ୍‌କୁ ଉଚ୍ଛେଦ କରାଯାଇ ୨୦୧୭ରୁ ଗୋଟିଏ ବଜେଟ୍ କରାଯାଉଛି।

“ରେଳ ବଜେଟ୍‌ ନୈରାଶ୍ୟଜନକ। ଓଡ଼ିଶା ଯାହା ଦାବି କରିଥିଲା ତାହା ମିଳିନାହିଁ। ଗତବର୍ଷ ତୁଳନାରେ ଚଳିତବର୍ଷ ରେଳ ବଜେଟ ବଢ଼ିଥିଲେ ମଧ୍ୟ ଓଡ଼ିଶାକୁ ପ୍ରାପ୍ୟ ମିଳିନାହିଁ”, କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ସାହୁ।

କେଉଁ ବର୍ଷ କେତେ ମିଳିଥିଲା?

ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରେ ମିଳିଥିଲା ୮୬୯ କୋଟି ଟଙ୍କା। ୨୦୧୪-୧୫ରେ ୧୪୨୦ କୋଟି ଟଙ୍କା ମିଳିଥିବା ବେଳେ ୨୦୧୫-୧୬ରେ ମିଳିଥିଲା ୩୪୦୦ କୋଟି ଟଙ୍କା। ୨୦୧୬-୧୭ରେ ୪ ହଜାର ୬୮୨ କୋଟି ମିଳିଥିବା ବେଳେ ୨୦୧୭-୧୮ରେ ୫ ହଜାର ୧୦୨ କୋଟି ପାଇଥିଲା ଓଡ଼ିଶା।

୨୦୧୮-୧୯ରେ କ’ଣ ଦାବି କରିଥିଲେ ନବୀନ

ବଜେଟ୍‌ ଆଗତ ହେବାର କିଛିଦିନ ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଥିଲେ। ଓଡ଼ିଶା ପାଇଁ ୬ ହଜାର ୫୦୦ କୋଟି ଦାବି କରିଥିଲେ। ଏହାସହ ବିଭିନ୍ନ ରେଳ ପ୍ରକଳ୍ପର ଉନ୍ନତି ଏବଂ ଅଧାପନ୍ତରିଆ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ପାଇଁ ଅର୍ଥ ବ୍ୟୟବରାଦ କରିବାକୁ ଦାବି କରିଥିଲେ।

-ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପକୁ ଅଗ୍ରାଧିକାର ଦେବାକୁ ଦାବି

-ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଖୋର୍ଦ୍ଧା-ମୁମ୍ବାଇ ମଧ୍ୟରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ୍ ଚଳାଇବାକୁ ପ୍ରସ୍ତାବ।

-ଓଡ଼ିଶାର ଶିଳ୍ପାଞ୍ଚଳର ସୁବିଧା ପାଇଁ ଭାୟା ଏଫ୍‌ସିଆଇ ଦେଇ ତାଳଚେର-ଅନୁଗୁଳ, ପାରାଦୀପ-ଧାମରା, ଚମ୍ପୁଆ-ଆନନ୍ଦପୁର-ଯାଜପୁର, ବରସୁଆଁ-ବଂସପାଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିବାକୁ ଦାବି ହୋଇଥିଲା।

– ବ୍ରହ୍ମପୁର-ଫୁଲବାଣୀ-ସମ୍ବଲପୁର, ବରଗଡ଼-ନୂଆପଡ଼ା (ଭାୟା-ପଦ୍ମପୁର), ଭଦ୍ରାଚଳମ୍‌-ମାଲକାନଗିରି, ତାଳଚେର-ଗୋପାଳପୁର, ଲାଞ୍ଜିଗଡ଼-ରେଳ ଲାଇନ୍ ପ୍ରକଳ୍ପ ଉପରେ ଅଧିକ ଫୋକସ୍ କରିବାକୁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ।

– ଗଞ୍ଜାମର ଶୀତଳାପଲ୍ଲୀ ୱାଗନ୍ କାରଖାନା ପାଇଁ ଅର୍ଥ ମଞ୍ଜୁର କରିବାକୁ ଦାବି କରାଯାଇଥିଲା।

Comment