ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡ଼ିଆରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମହିଳା ଏଜେଣ୍ଟଙ୍କ ସହାୟତାରେ ନିଜ ଜାଲ ବିଛାନ୍ତି। ପ୍ରଥମେ ଟଙ୍କା, ପରେ ବିଦେଶ ବୁଲାଇ ନେବାର ଲୋଭ, ଅଶ୍ଲୀଳ ଭିଡ଼ିଓ ଓ ଫଟୋ ଦେଖାଇ ଗୋପନୀୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି ‘ହନିଟ୍ରାପ୍’।
ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ‘ହସିନ୍’ଙ୍କ ଜାଲରେ ଫସିଯାଇଛନ୍ତି ଜଣେ ବାୟୁସେନା ଅଧିକାରୀ । ଗୋପନୀୟ ତଥ୍ୟ ଆଦାନପ୍ରଦାନ କରୁଥିବାରୁ ତାଙ୍କୁ ଗିରଫ୍ କରାଯାଇଛି।
ସୋସିଆଲ୍ ମିଡ଼ିଆରେ ଆଇଏସଆଇ ପକ୍ଷରୁ ଜାଲ ବିଛାଯାଏ। ପୁଣି ଟଙ୍କାର ଲୋଭ, ତା’ପରେ ବିଦେଶ ବୁଲାଇ ନେବାର ଲାଳସା ଦେଇ ଗୋପନୀୟ ତଥ୍ୟ ସବୁ ହାସଲ କରେ।
ପୂର୍ବରୁ ମଧ୍ୟ ଆଇଏସ୍ଆଇ ପକ୍ଷରୁ ଅନେକ ଭାରତୀୟ ସେନା ଅଧିକାରୀଙ୍କୁ ଫସାଇ ଦିଆଯାଇଛି।
ଆସନ୍ତୁ ଜାଣିବା ବର୍ତ୍ତମାନ କେଉଁମାନେ ଏହି ‘ହନିଟ୍ରାପ୍’ର ଶିକାର ହୋଇସାରିଛନ୍ତି।
ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନଙ୍କ ଉପରେ ଆରୋପ
ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଜାସୁସୀ କରିବା ଓ ଗୋପନୀୟ ତଥ୍ୟ ଗୁଡିକ ପ୍ରଘଟ କରିବା ଘଟଣାରେ ଦିଲ୍ଲୀ ପୋଲିସ୍ର ସ୍ପେଶାଲ୍ ସେଲ୍ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଅରୁଣ ମାରବାହ(୫୧ ବର୍ଷ)ଙ୍କୁ ଗିରଫ୍ କରିଛି। କିଛିଦିନ ପୂର୍ବରୁ ଆଇଏସଆଇର ଏକ ଏଜେଣ୍ଟ୍ ନିଜକୁ ଜଣେ ମହିଳାର ପରିଚୟ ଦେଇ ମାରବାହଙ୍କ ସହ ସମ୍ପର୍କ ରଖିଥିଲା।
ସଂସଦରେ ବରୁଣ ଗାନ୍ଧିଙ୍କ ଉପରେ ଲାଗିଥିଲା ଆରୋପ
ବିଜେପି ସାଂସଦ ବରୁଣ ଗାନ୍ଧି କିଛି ବିଦେଶୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ଏଥିପାଇଁ ଉକ୍ତ ମହିଳାଙ୍କ ମକ୍ଷରୁ ତାଙ୍କୁ ବ୍ଲାକ୍ମେଲ୍ କରାଯାଇଥିଲା। ବାଧ୍ୟ ହୋଇ ବରୁଣ କୁଆଡେ ଭାରତୀୟ ରକ୍ଷା ମନ୍ତ୍ରାଳୟର ସହ ଜଡ଼ିତ କିଛି ତଥ୍ୟ ସେମାନଙ୍କୁ ଦେବାର ଅଭିଯୋଗ ହୋଇଥିଲା। ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏହି ଅଭିଯୋଗ ହୋଇଥିଲା। କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ବରୁଣ ଗାନ୍ଧି।
ପଠାନକୋର୍ଟରୁ ବି ଆସିଥିଲା ଏଭଳି ମାମଲା
ପଠାନକୋର୍ଟ ଏୟାରଫୋର୍ସ ଷ୍ଟେସନ୍ରେ ଥିବା ଜଣେ ଏୟାର୍ମ୍ୟାନ୍ ସୁନୀଲ କୁମାର ଅଜଣା ମହିଳାଙ୍କୁ ଗୋପନୀୟ ତଥ୍ୟ ଇମେଲ୍ କରିବା ଆରୋପରେ ଗିରଫ୍ କରାଯାଇଥିଲା।
ସୁନୀଲ କୁମାର ମୀନା ରାଇନା ନାମକ ଜଣେ ମହିଳାଙ୍କ ସହ ସୋସିଆଲ୍ ମିଡ଼ିଆରେ ସମ୍ପର୍କ ରଖିଥିଲେ। ପଠାନକୋର୍ଟ ଏୟାରଫୋର୍ସ ଷ୍ଟେସନ୍ର କିଛି ତଥ୍ୟ ସେ ଉକ୍ତ ମହିଳାଙ୍କୁ ଦେଉଥିବାର ଅଭିଯୋଗ ଉଠିଥିଲା।
ଫସିଥିଲେ ସେନାର ଜବାନ୍
ସିକନ୍ଦରାବାଦରେ କାର୍ଯ୍ୟରତ ଜଣେ ଜବାନ୍ ପାଟନ କୁମାର ପୋଦାର ପାକିସ୍ତାନର ଜଣେ ମହିଳାଙ୍କ ମାୟା ଜାଲରେ ଫସିଯାଇଥିଲେ। ଉକ୍ତ ମହିଳା ଜଣକ ପାଟନ କୁମାରଙ୍କଠାରୁ ଟଙ୍କା ନେଇ ତାଙ୍କୁ ଅଶ୍ଲୀଳ ଭିଡ଼ିଓ ଓ ଫଟୋ ସେୟାର୍ କରୁଥିଲେ। ଏହାସହ ପାଟନ କୁମାରଙ୍କୁ ଲଣ୍ଡନ ବୁଲାଇ ନେବାର ସ୍ଵପ୍ନ ବି ଦେଖାଇଥିଲା ସେହି ମହିଳା।
ଫସିଥିଲେ ସେନା ଚାଳକ
ବବିନା କ୍ୟାଣ୍ଟରେ ମୁତୟନ ଥିବା ଜଣେ ସେନା ଚାଳକ ସୁନୀତ କୁମାର ଫେସବୁକ୍ ମାଧ୍ୟମରେ ଆଇଏସ୍ଆଇ ଏଜେଣ୍ଟ୍ ପୁନମ ପ୍ରକାଶ ଓ ରିଆଙ୍କ ସହ ସମ୍ପର୍କରେ ଆସିଥିଲେ। ଟଙ୍କା ଲୋଭ ଦେଖାଇ ସେ ଗୁଇନ୍ଦା ତଥ୍ୟ ଦେଇ ଗିରଫ୍ ହୋଇଥିଲେ।


















