ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ଷମତାର ଅପବ୍ୟବହାର କରୁଛନ୍ତି ଅଫିସର୍। ଏମିତି ଅଭିଯୋଗ ଆଣିଛି ବିଜେପି। ୪ ଜଣ ଅଫିସରଙ୍କୁ ଟାର୍ଗେଟ୍ କରି ବିଜେପି ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଇଛି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନକୁ ବିଜେପି ଯୁବ ମୋର୍ଚ୍ଚା ଆଟାକ୍ କରିବା ପରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ବିଜେପି ଉପ-ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ଟିମ୍ ନିର୍ବାଚନ ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଅଫିସର ୪ ଅଫିସରଙ୍କ ବିରୋଧରେ ଫେରାଦ ହୋଇଛନ୍ତି।

ଏହି ଅଫିସରମାନେ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ୍ ପାଣ୍ଡିଆନ୍, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ, ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଭାରପ୍ରାପ୍ତ ଅଧିକାରୀ ଡି.ଏସ୍ କୁଟ୍ଟେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଗୋପବନ୍ଧୁ ଦାସ। ଏହି ଅଫିସରମାନେ କ୍ଷମତାର ଦୁରୁପୋଯୋଗ କରୁଥିବା ବିଜେପି ଅଭିଯୋଗ କରିଛି। ବିଜୁ ଜନତା ଦଳର ରାଜନୈତିକ ସ୍ୱାର୍ଥ ପାଇଁ ଏମାନେ କାମ କରୁଥିବା ବିଜେପି କହିଛି।

ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି।

ଏହି ଅଫିସରମାନଙ୍କର ଫୋନ୍, ହ୍ୱାଟ୍ସଆପ୍, ଟେଲିଗ୍ରାମ ଏବଂ ଅନ୍ୟାନ୍ୟ ଯୋଗାଯୋଗ ସୂତ୍ରକୁ ତର୍ଜମା କରିବାକୁ ନିର୍ବାଚନ କମିଶନରଙ୍କ ଠାରେ ଦାବି କରିଛନ୍ତି ଶ୍ରୀ ମହାନ୍ତି ।

ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ଦିଲିପ ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ-ସଭାପତି ଠାକୁର ରଣଜିତ୍ ଦାସ, ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ ସାଧାରଣ ସମ୍ପାଦକ ଏନ୍. ରାଜେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Comment