ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛି ଆଇଏଏସ୍ ଅଫିସର ସଂଘ। ରାଜ୍ୟ ଅତିଥି ଭବନରେ ଏକ ଜରୁରୀ ବୈଠକ କରି ସଂଘ ପାଣ୍ଡିଆନଙ୍କ ସପକ୍ଷରେ ରହିଥିବା ସ୍ପଷ୍ଟ କରିଛି।
ପାଣ୍ଡିଆନଙ୍କ ବାସଭବନକୁ ଗୋବର ମାଡ଼ କରିଥିବା ବିଜେପି କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସଂଘ।
ସଂଘ ସମ୍ପାଦକ ବିଶାଲ ଦେବ କହିଛନ୍ତି, “ପାଣ୍ଡିଆନଙ୍କ ବାସଭବନକୁ ଗୋବର ମାଡ଼ କରିବା ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ପାଣ୍ଡିଆନଙ୍କ ସପକ୍ଷରେ ଆମେ ରହିଛୁ। ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଭେଟିବୁ।
ଶନିବାର ପାଣ୍ଡିଆନଙ୍କ ବାସଭବନକୁ ବିଜେପିର କିଛି କର୍ମୀ ଗୋବର ମାଡ଼ କରିଥିଲେ। ତାଙ୍କ ବାସଭବନରେ ଧସେଇ ପଶି ଫୁଲକୁଣ୍ଡ ଭାଙ୍ଗିଥିଲେ। ଏହି ଘଟଣାରେ କମିଶନରେଟ ପୋଲିସ ୪ ଜଣଙ୍କୁ ଗିରଫ କରିଛି।
ଘଟଣା ଘଟିବା ଦିନ ଆଇଏଏସ୍ ଅଫିସର ନିନ୍ଦା କରିଥିବା ବେଳେ ରବିବାର ଏକ ଜରୁରୀ ବୈଠକ ଡାକି ପାଣ୍ଡିଆନଙ୍କ ସହ ରହିଥିବା ସ୍ପଷ୍ଟ କରିଛି।