ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାକୁ ନେଇ ଆନ୍ଦୋଳନ କରିବ କଂଗ୍ରେସ। ନ୍ୟାୟ ଦାବିରେ ୨୫ ତାରିଖରେ ଗ୍ରାମବାସୀଙ୍କୁ ନେଇ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିବ।

ସମ୍ବଲପୁର ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ତତ୍ପରତା ପ୍ରକାଶ କରିଛି। ମୃତ ଅବିନାଶ ମୁଣ୍ଡାଙ୍କ ପରିବାରକୁ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଭେଟି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କଂଗ୍ରେସ ଦାବି କରିଛି।

ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ  ଦ୍ୱାରା ତଦନ୍ତ କରିବାକୁ ଦାବି କରିଛି ଦଳ। ଏନେଇ ୨୫ ତାରିଖରେ କଂଗ୍ରେସ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବ।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ନେତା ପ୍ରଦୀପ ମାଝି, ବିଧାୟକ ନବ ଦାସ ମୃତକଙ୍କ ପରିବାରକୁ ଭେଟି ଆାଲୋଚନା କରିଛନ୍ତି।

ଜୟଦେବ ଜେନା କହିଛନ୍ତି, “ଅବିନାଶ ମୃତ୍ୟୁ ଘଟଣା ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା କରାଯାଉ। ରାଜ୍ୟ ସରକାର ତୁରନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କଠାରୁ ଅନୁମତି ନେଇ ତଦନ୍ତ କମିସନ ବସାନ୍ତୁ।”

“ହାଜତ ମୃତ୍ୟୁ ଘଟଣାର ଉଚିତ୍ ଜବାବ କଂଗ୍ରେସ ଦଳ ଦେବ। ରାଜ୍ୟ ସରକାରଙ୍କ ଉପରେ ଭରସା ନଥିବାରୁ ଆମେ ଗ୍ରାମବାସୀଙ୍କୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବୁ। ନ୍ୟାୟ ନମଳିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ହଟିବୁ ନାହିଁ”, କହିଛନ୍ତି ପ୍ରଦୀପ ମାଝି।

୭ ତାରିଖ ରାତିରେ ଏକ ଚୋରି ମାମଲାରେ ପୋଲିସ ଅବିନାଶଙ୍କୁ ଅଟକ ରଖିଥିଲା। ହେଲେ ୮ ତାରିଖ ସକାଳେ ଅଇଁଠାପାଲି ଥାନା ହାଜତରୁ ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଏହାକୁ ଆତ୍ମହତ୍ୟ କହୁଥିବା ବେଳେ ପରିବାର ଲୋକ ପୋଲିସ ଉପରେ ଦୋଷ ଲଦିଛନ୍ତି। ଏହାକୁ ନେଇ ତୁମୁଳକାଣ୍ଡ ଘଟିଥିଲା।

ସ୍ଥାନୀୟ ଲୋକେ ଅଇଁଠାପାଲି ଥାନାରେ ଲଙ୍କାକାଣ୍ଡ କରିଥିଲେ। ଥାନାରେ ପଶି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ପୋଲିସ ଡିଜି ଥାନା ଆଇଆଇସିଙ୍କ ସମେତ ୩ ଜଣଙ୍କୁ ନିଲମ୍ବିତ କରିଥିଲେ।

ଏହି ଘଟଣାର ଏଚଆରପିସି ତଦନ୍ତ ଚାଲିଥିବା ବେଳେ ଉତ୍ତରାଞ୍ଚଳ ଆଇଜି ଏବଂ ଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜି କହିଛନ୍ତି।

LEAVE A REPLY

Please enter your comment!
Please enter your name here