ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁରରେ ଲାଗିଛି ଷ୍ଟାର କ୍ୟାମ୍ପେନରଙ୍କ ଭିଡ଼। ଘର ଘର ବୁଲି ପ୍ରଚାର କରୁଛନ୍ତି ତାରକା। ଏସବୁ ଭିତରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ୨୦ ଓ ୨୧ ତାରିଖରେ ନବୀନ ପ୍ରଚାର କରିବାକୁ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ବି ଆସୁଛନ୍ତି ବିଜେପୁର।

ବିଜେପୁରରେ ଡେରା ପକାଇଛନ୍ତି ଷ୍ଟାର କ୍ୟାମ୍ପେନର। ସିନେ ତାରକାଙ୍କ ପ୍ରଚାରରେ ଦୁଲୁକୁଛି ବିଜେପୁର। ଓଲିଉଡର ଆଗଧାଡ଼ିର ଅଭିନେତା ଅଭିନେତ୍ରୀଙ୍କୁ ନେଇ ବିଜେପି-ବିଜେଡି ଶକ୍ତି ଦେଖାଉଥିବା ବେଳେ ପ୍ରଚାରରେ ସାମିଲ ହେବାକୁ ଯାଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି।

ନବୀନ ପଟ୍ଟନାୟକ ୨୦ ଓ ୨୧ ତାରିଖରେ ବିଜେପୁର ଯିବେ। ବିଜେପୁର, ଗାଇସିଲଟ ଏବଂ ବରପାଲି ବ୍ଲକରେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରିବେ। ୨୦ ତାରିଖରେ ନବୀନ ବରପାଲିରେ ରୋଡ ସୋ କରିବାକୁ ଥିବା ବେଳେ ୨୧ରେ ବିଜେପୁର ଏବଂ ଗାଇସିଲଟ ବ୍ଲକରେ ପ୍ରଚାର କରିବେ।

ସେହିପରି ବିଜେପି ମଧ୍ୟ ଅନ୍ୟତମ ଷ୍ଟାର କ୍ୟାମ୍ପେନର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କୁ ବିଜେପୁର ମଇଦାନକୁ ଆଣୁଛି। ସ୍ମୃତି ଇରାନି ୨୦ ତାରିଖରେ ବିଜେପୁର ଆସି ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ। ସ୍ମୃତି ଇରାନି ରୋଡ ସୋ କରି ବିଜେପି ପାଇଁ ଭୋଟ ମାଗିବେ।

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସନ୍ତୋଷ ଗଙ୍ଗଓ୍ବାର, ସାଧ୍ବୀ ନିରଞ୍ଜନା ଜ୍ୟୋତି ପ୍ରଚାର କରିଛନ୍ତି। ନିକଟରେ ବିଜେପିରେ ସାମିଲ ହୋଇଥିବା ମିହିର ଦାସ, ଅନୁ ଚୌଧୁରୀ, ମହାଶ୍ବେତା ରାୟ ମଧ୍ୟ ବିଜେପୁରରେ ପ୍ରଚାରକୁ ସରଗରମ୍ କରିଛନ୍ତି।

ବିଜେଡି ବି ପଛରେ ପଡ଼ିନି। ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରି ବିଜେଡି ବିଜେପୁରରେ ପ୍ରଚାରକୁ ଜୋରଦାର କରିଛି। ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟ ରିତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି।

ଘର ଘର ବୁଲି ଭୋଟରଙ୍କୁ ଭେଟିବା ସହ ରୋଡ ସୋ କରିଛନ୍ତି। ବିଜେଡି ସରକାରଙ୍କର ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଉଛନ୍ତି।

Comment