ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ ଫଟୋ
  • ମଙ୍ଗଳବାର ବରପାଲ୍ଲିରେ ରୋଡ ସୋ କରିବେ ନବୀନ
  • ବୁଧବାର ଗାଇସିଲଟରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ
  • ନବୀନଙ୍କୁ କାଉଣ୍ଟର କରିବା ପାଇଁ ବିଜେପିର ଅସ୍ତ୍ର ସ୍ମୃତି ଇରାନି
  • ଗାଇସିଲଟ ବ୍ଳକରେ ସ୍ମୃତି ଇରାନି ଧରିବେ ପ୍ରଚାର ମଙ୍ଗ

ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ ପ୍ରଚାର। ବିଜେପି-ବିଜେଡି ଷ୍ଟାର କ୍ୟାମ୍ପେନରଙ୍କ ଉପରେ ଜୋର୍ ଦେଇଥିବା ବେଳେ କଂଗ୍ରେସ ରାଜ୍ୟ ନେତୃବୃନ୍ଦଙ୍କୁ ନେଇ ପ୍ରଚାର କରୁଛି। ହାତରେ ଆଉ ୩ ଦିନ ଥିବାରୁ ବିଜେପି ଏବଂ ବିଜେଡି ମଉକା ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ୨୦ ତାରିଖରୁ ପ୍ରଚାର ଜୋରଦାର ହେବ ବୋଲି ଅନୁମାନ କରାଯାଉଛି।

୨୦ ତାରିଖରୁ ପ୍ରଚାର ମଇଦାନକୁ ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଦୁଇ ଦିନ ଧରି ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରିବେ। ୨୦ ତାରିଖରେ ନବୀନ ବରପାଲ୍ଲିରେ ରୋଡ ସୋ ଏବଂ ସାଧାରଣ ସଭାରେ ଯୋଗଦେବେ।

୨୦ ତାରିଖ ରାତିରେ ବରଗଡ଼ ସର୍କିଟ ହାଉସରେ ରହିବେ ନବୀନ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ରାତ୍ରିଯାପନ ପରେ ନବୀନ ୨୧ ତାରିଖ ସକାଳୁ ପୁଣି ପ୍ରଚାର ଅଭିଯାନରେ ସାମିଲ ହେବେ।

୨୧ରେ ନବୀନ ବିଜେପୁର ଓ ଗାଇସିଲଟ ବ୍ଲକରେ ପ୍ରଚାର କରିବେ। ଦୁଇଦିନ ଧରି ନବୀନ ପ୍ରଚାର କରିବାର ଥିବାରୁ ବିଜେଡି ନେତାମାନେ ଉତ୍ସାହିତ ହୋଇଯାଇଛନ୍ତି। ନବୀନଙ୍କ ପ୍ରଚାର ବିଜେପୁରରେ କାମ କରିବ ବୋଲି ବିଜେଡି ନେତା ଓ କର୍ମୀମାନେ ଆଶାବାଦୀ ଅଛନ୍ତି।

“ବିଜେଡି ଭଲ ସ୍ଥିତିରେ ରହିଛି। ଆମ ସଭାପତି ପ୍ରଚାର ମଇଦାନକୁ ଆସିବା ପରେ କର୍ମୀମାନଙ୍କ ମନୋବଳ ଆହୁରି ବୃଦ୍ଧି ପାଇବ। ଏଥିପାଇଁ ସମସ୍ତେ ନବୀନ ପଟ୍ଟନାୟକଙ୍କ ପ୍ରଚାରକୁ ଅପେକ୍ଷା କରିଛନ୍ତି”, କହିଛନ୍ତି ବିଧାୟକ ଡକ୍ଟର ଅରୁଣ ସାହୁ।

ବିଜେପି ବି ପଛରେ ପଡ଼ିନି। ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଅସ୍ତ୍ର କରିଛି ବିଜେପି। ୨୦ ତାରିଖରେ ସ୍ମୃତି ଇରାନି ଗାଇସିଲଟ ବ୍ଲକରେ ପ୍ରଚାର କରିବେ। ଏହା ପୂର୍ବରୁ ବହୁ କେନ୍ଦ୍ରମନ୍ତ୍ରୀ ବିଜେପୁରରେ ପ୍ରଚାର କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ, ସନ୍ତୋଷ ଗଙ୍ଗୱାର, ସାଧ୍ୱୀ ନିରଞ୍ଜନା ଜ୍ୟୋତି, ଜୁଏଲ ଓରାମ ପ୍ରଚାର କରିଥିବା ବେଳେ ସୋମବାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପ୍ରଚାର କରିଛନ୍ତି। ତେବେ ଏମାନଙ୍କ ବାଦ୍ ସ୍ମୃତି ଇରାନିଙ୍କ ପ୍ରଚାର ଅଧିକ ପ୍ରଭାବ ପକାଇବ ବୋଲି ବିଜେପି କର୍ମୀମାନେ ଆଶାବାଦୀ ଅଛନ୍ତି।

ବିଧାୟକ କନକବର୍ଦ୍ଧନ ସିଂଦେଓ କହିଛନ୍ତି, “ସ୍ମୃତି ଇରାନି ବିଜେପୁର ଉପ-ନିର୍ବାଚନ ପ୍ରଚାରରେ ସାମିଲ ହେବେ। ସେ ଗାଇସିଲଟ ବ୍ଲକରେ ପ୍ରଚାର କରିବେ। ସ୍ମୃତି ଇରାନିଙ୍କ ପ୍ରଚାର ଭୋଟରଙ୍କ ଉପରେ ପ୍ରଭାବ ପକାଇବ।”

କଂଗ୍ରେସ କୌଣସି ଷ୍ଟାର କ୍ୟାମ୍ପେନର ଏବଂ କେନ୍ଦ୍ର ନେତାଙ୍କ ଉପରେ ଭରସା କରିନି। ରାଜ୍ୟ ନେତୃବୃନ୍ଦ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି। ଅଭିନବ ଢଙ୍ଗରେ ପ୍ରଣୟ ଶଗଡ଼ରେ ଗାଁ ଗାଁ ବୁଲି ପ୍ରଚାର କରି ମାହୋଲ ସର୍‌ଗର୍‌ମ୍ କରିଛନ୍ତି।

Comment