ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଲିଖନ କର୍ମଶାଳାରେ ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ଚର୍ଚ୍ଚିତ ଓଡ଼ିଆ ଉପନ୍ୟାସ ‘ଯମରାଜ ନମ୍ବର ୫୦୦୩’ର ଇଂରାଜି ଅନୂଦିତ ପୁସ୍ତକ ଉନ୍ମୋଚିତ ହୋଇଛି। ପୁସ୍ତକ ଉନ୍ମୋଚନ କରିଛନ୍ତି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ମୁଖ୍ୟ ଯୋଗାଯୋଗ ଅଧିକାରୀ ରମେନ୍ଦ୍ର କୁମାର ଓ କୋଲକାତାସ୍ଥିତ ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ସୁବୀର ଘୋଷ। ଏହାର ଅନୁବାଦ କରିଛନ୍ତି ଅଭିଜ୍ଞ ସାମ୍ବାଦିକ ଥିରୁମୟ ବାନାର୍ଜୀ।

ସ୍ୱର୍ଗରେ ଗୋଟିଏ ଯମରାଜ ନାହାନ୍ତି। ଏକାଭଳି ଦେଖାଯାଉଥିବା ହଜାର ହଜାର ଯମରାଜ ଅଛନ୍ତି। ଏହା କ୍ଲୋନିଂ ଦ୍ୱାରା ସମ୍ଭବ ହୋଇଛି। ଏମିତି କ୍ଲୋନିଂ କରାଯାଉଥିବା ବେଳେ ଗୋଟିଏ ଯମରାଜର ମ୍ୟାନୁଫ୍ୟାକ୍ଚରିଂ ଡିଫେକ୍ଟ ହୋଇଯାଏ। ତା ହୃଦୟରେ ସମ୍ବେଦନଶୀଳତା ସୃଷ୍ଟି ହୁଏ। ସେ ମଣିଷର ସୁକୁମାର ଅନୁଭୂତି ଗୁଡ଼ିକ ପ୍ରତି ସମ୍ବେଦନଶୀଳ ହୋଇପଡ଼େ।

କମ୍ ବୟସରେ ଆତ୍ମହତ୍ୟା କରିଥିବା ଜଣେ ଝିଅର ପ୍ରେମିକ ଯେତେବେଳେ ତାଙ୍କୁ ପ୍ରେମିକାର ଜୀବନ ଦାନ ପାଇଁ ଆକୁଳ ଆବେଦନ କରେ, ସେ ତାକୁ ଜୀବନଦାନ ଦେଇଦିଏ। ଏ ଘଟଣାକୁ ନେଇ ସ୍ୱର୍ଗରେ ତୁମୁଳ ଆଲୋଡ଼ନ ସୃଷ୍ଟି ହୁଏ। ସ୍ୱର୍ଗର ଶକ୍ତି ବିନ୍ୟାସ ଦୋହଲିଯାଏ। ସ୍ୱର୍ଗରେ ଶୃଙ୍ଖଳା ରଖିବା ପାଇଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଯମରାଜକୁ ଭଷ୍ମ କରିଦେବା ପାଇଁ ସ୍ଥିର କରିଦିଅନ୍ତି। ମୋଟାମୋଟି ଏହା ହେଉଛି ‘ଯମରାଜ ନମ୍ବର ୫୦୦୩’ର କାହାଣୀ।

ବହିଟି ପୂର୍ବରୁ ଅସମୀୟା ଭାଷାରେ ମୃଣାଳ କୁମାର ନାଥଙ୍କ ଦ୍ୱାରା ଅନୁବାଦ ହୋଇ ୨୦୧୬ ମସିହାରେ ଉନ୍ମୋଚନ ହୋଇଥିଲା। ଏହାର ଚାହିଦାକୁ ଆଖି ଆଗରେ ରଖି ଇଂରାଜୀ ଅନୁବାଦ କରିଛନ୍ତି ଅଭିଜ୍ଞ ସାମ୍ବାଦିକ ଥିରୁମୟ ବାନାର୍ଜୀ। ଏହାକୁ ନୂଆଦିଲ୍ଲୀର ରୁପା ପବ୍ଲିକେଶନ୍ ପ୍ରକାଶିତ କରିଛି।

ଓଡ଼ିଆ ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଜଣେ ପରିଚିତ ବ୍ୟକ୍ତିତ୍ୱ  । ୨୦୧୦ ମସିହାରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଜଗତେ ଥିବା ଯେତେଦିନ’ ବେଶ୍ ଆଦୃତି ଲାଭ କରିଥିଲା । ପୂର୍ବରୁ ସେ ପୁସ୍ତକ ନିଆଁ, କଣ୍ଢେଇ, ‘ଯମରାଜ ଛୁଟିରେ, ଏକ ସୁନ୍ଦର ଚାନ୍ଦିନୀ ରାତିରେ ଭଳି ଅନେକ ଉପନ୍ୟାସ ଲେଖି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି।

Comment