ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗା ପରେ ସୋମବାର କାଳିଆ ପିନ୍ଧିଛି ସ୍ୱତନ୍ତ୍ର ହେଲମେଟ୍। ଖପୁରୀର ସୁରକ୍ଷା ପାଇଁ ଏମ୍ସ ପକ୍ଷରୁ ଏହି ହାଲୁକା ହେଲମେଟ୍ ତିଆରି କରାଯାଇଛି। ଏପଟେ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ କଟକ ଏସ୍ସିବିର ୫ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଯାଇଛନ୍ତି।
କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଖପୁରୀକୁ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ତିଆରି କରାଯାଇଛି ସ୍ୱତନ୍ତ୍ର ହେଲମେଟ୍। କିଛିଦିନ ତଳେ ଏହି ହେଲମେଟ୍ ଜଗା ପିନ୍ଧିଥିବା ବେଳେ ସୋମବାର କାଳିଆଙ୍କୁ ମଧ୍ୟ ପିନ୍ଧା ଯାଇଛି।
ପ୍ରଥମେ ଏମ୍ସ ପକ୍ଷରୁ ଜଗା ପାଇଁ ସ୍ୱତନ୍ତ୍ର ହେଲମେଟ୍ ତିଆରି କରାଯାଇଥିଲା। ପରେ କାଳିଆ ପାଇଁ ଏଭଳି ଏକ ହେଲମେଟ୍ ତିଆରି କରାଯାଇଛି।
କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ୫ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍ସ ଯାଇଛନ୍ତି। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହଉଥିବାରୁ ଜଗା-କାଳିଆ ମାର୍ଚ୍ଚ ୨ୟ ସପ୍ତାହରେ ଓଡ଼ିଶା ଫେରି ଆସିବେ। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ଓଡ଼ିଶାକୁ ନଆଣିବା ପାଇଁ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏକ ପିଟିସନ ଦାଖଲ କରିଛନ୍ତି। ଜାତୀୟ ମାନବାଧିକାର କମିସନ ଏବଂ ଅନୁସୂଚିତ ଜନଜାତି କମିସନଙ୍କୁ ନିବେଦନ କରିଛନ୍ତି।
ଓଡ଼ିଶାରେ ଚିକିତ୍ସା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସୁବିଧା ନଥିବାରୁ ଜଗା-କାଳିଆଙ୍କୁ ଡିସ୍ଚାର୍ଜ ନକରିବାକୁ ସେ ତାଙ୍କ ପିଟିସନରେ ଦର୍ଶାଇଛନ୍ତି।















