ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଆ-ଇଂରାଜି ପ୍ରଶ୍ନପତ୍ର ଭାଇରାଲ୍
  • ବୋର୍ଡ ଅଫିସ ସମ୍ମୁଖରେ ଏବିଭିପିର ପ୍ରତିବାଦ
  • ବୋର୍ଡ ଅଫିସକୁ ଧସେଇ ପଶିଲେ ଏବିଭିପିର କର୍ମୀ
  • ପୋଲିସର ଲାଠି ଚାଳନା

ଗୋଟିଏ ପରେ ଗୋଟିଏ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏବିଭିପି କର୍ମୀ ମଙ୍ଗଳବାର ହଙ୍ଗାମା କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାଳନା କରିଥିଲା।

ଫେବ୍ରୁଆରି ୨୩ରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନ ଛାତ୍ରଛାତ୍ରୀମାନେ ଓଡ଼ିଆ ବିଷୟରେ ଦେଇଥିଲେ ପରୀକ୍ଷା। ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ହୋଇଥିଲା ଭାଇରାଲ୍। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଏକ ସ୍କୁଲରୁ ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କ ପାଖକୁ ଯିବା ପୂର୍ବରୁ ହ୍ୱାଟସ୍‌ଆପ୍‌ରେ ଘୂରି ବୁଲିଥିଲା।

ମାଟ୍ରିକ ପରୀକ୍ଷାର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରୁ ଅକଳିଆରେ ପଡ଼ିଥିଲେ ବୋର୍ଡ କର୍ତ୍ତୃପକ୍ଷ। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କ୍ରାଇମବ୍ରାଞ୍ଚ ସାଇବର ସେଲ୍‌କୁ ତଦନ୍ତ ଆଦେଶ ଦେଇଥିଲେ। ଏହାପରେ ବି ୨୬ ତାରିଖରେ ଇଂରାଜି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ହ୍ୱାଟ୍‌ସଆପ୍‌ରୁ ହ୍ୱାଟ୍‌ସ୍‌ଆପ୍‌କୁ ବୁଲିଥିଲା ପ୍ରଶ୍ନପତ୍ର।

ଯେଉଁଦିନ ଇଂରାଜି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ସେହିଦିନ କ୍ରାଇମବ୍ରାଞ୍ଚ ଟିମ୍ ବୋର୍ଡ ଅଫିସରେ ତନାଘନା କରିଥିଲେ। ବୋର୍ଡ କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଆସିଥିଲେ।

କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼ ପରେ ମଙ୍ଗଳବାର ଏବିଭିପି କର୍ମୀ ବୋର୍ଡ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପରେ ଅଫିସକୁ ଧସେଇ ପଶିଥିଲେ କର୍ମୀ। ବୋର୍ଡ କର୍ମଚାରୀମାନେ ଏବିଭିପି କର୍ମୀଙ୍କୁ ବିରୋଧ କରିଥିଲେ। ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ବୋର୍ଡ କର୍ତ୍ତୃପକ୍ଷ ପୋଲିସକୁ ଡକାଇଥିଲେ। ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଲାଠି ମାଡ଼ କରିଥିଲା।

ବୋର୍ଡ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିବା ଅଭିଯୋଗରେ କମିସନରେଟ୍ ପୋଲିସ ୨୧ ଜଣ ଏବିଭିପି କର୍ମୀଙ୍କୁ ଗିରଫ କରିଛି।

Comment