ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ‘ଚାନ୍ଦନୀ’ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ବୁଧବାର ଦିନ ପଞ୍ଚଭୂତରେ ଲୀନ ହୋଇଛି।

ଭିଲେପାଲେସ୍ଥିତ ପବନ ହଂସ ଶ୍ମଶାନରେ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଶ୍ରୀଦେବୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଛି ଅନ୍ତିମ ବିଦାୟୀ। ପତି ବୋନି କପୁର ମୁଖାଗ୍ନି ଦେଇଥିଲେ।

ଏହାପୂର୍ବରୁ ସେଲିବ୍ରେସନ କ୍ଲବରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା। ତାଙ୍କ ମରଶରୀରରେ ତ୍ରିରଙ୍ଗା ଘୋଡାଯାଇ ଶେଷ ଶୋଭାଯାତ୍ରା ବାହାରିଥିଲା। ଲାଲ ରଙ୍ଗର ଶାଢୀରେ ତାଙ୍କୁ ସଜାଯାଇ ଶେଷ ବିଦାୟ ଦିଆଯାଇଛି।

ଏକ ଟ୍ରକକୁ ଫୁଲରେ ସଜାଯାଇ ସେଥିରେ ତାଙ୍କ ମରଶରୀରକୁ ସେଲିବ୍ରେସନ କ୍ଲବରୁ ଭିଲେ ପାର୍ଲେ ସ୍ଥିତ ସେବା ସମାଜକୁ ନିଆଯାଇଛି। ବୁଧବାର ଅପରାହ୍ନ ୪ଟାରେ ବଲିଉଡ ଜଗତର ପ୍ରଥମ ମହିଳା ସୁପରାଷ୍ଟାରଙ୍କ ଜୁଇ ଜଳିଛି।

ସମସ୍ତ ବାଦ ବିବାଦ ଓ କଳ୍ପନାଜଳ୍ପନାର ଅବସାନ ପରେ ଦିବଂଗତ ନାୟିକା ଶ୍ରୀଦେବୀଙ୍କ ମୃତଦେହ ମଙ୍ଗଳବାର ରାତି ୧୦ଟାରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲା।

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ଜେଟ୍‌ ଯୋଗେ ଶ୍ରୀଦେବୀଙ୍କ ମୃତଦେହକୁ ଦୁବାଇରୁ ମୁମ୍ବଇ ଅଣାଯାଇଥିଲା।

ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚିବା ପରେ ୮ନମ୍ବର ଫାଟକ ଦେଇ ମରଶରୀରକୁ ବାହାରକୁ ଅଣାଯାଇଥିଲା। ସେଠାରୁ ସିଧାସଳଖ ଭର୍ସୋଭାରେ ଶ୍ରୀଦେବୀଙ୍କ ‘ଭାଗ୍ୟ’ ବଙ୍ଗଳାକୁ ନିଆଯାଇଥିଲା।

ଏଠାରେ ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କପୁର, ଦୁଇ ଝିଅ ଜାହ୍ନବୀ ଓ ଖୁସିଙ୍କ ସହ ରହୁଥିଲେ।ଭାଗ୍ୟ ବଙ୍ଗଳା ପରିସରରେ ସେ ଏକ ଅନାଥ ପିଲାମାନଙ୍କ ଲାଗି ବିଦ୍ୟାଳୟ ଚଳାଉଥିଲେ।

ସେଠାରୁ ମରଶରୀରକୁ ଲୋଖଣ୍ଡୱାଲା କମ୍ପ୍ଲେକ୍ସଠାରେ ଥିବା ସେଲିବ୍ରେସନ୍‌ କ୍ଲବ୍‌ ଗାର୍ଡେନଚୁ ନିଆଯାଇଥିଲା। ଏହି କ୍ଲବ୍‌ ତାଙ୍କ ବାସଭବନ ନିକଟରେ ଥିବାରୁ ସେଠାରେ ଶୁଭେଚ୍ଛୁ, ପ୍ରଶଂସକ, ବଲିଉଡ୍‌ କଳାକାର ଓ ଅନ୍ୟମାନଙ୍କ ଶେଷ ଦର୍ଶନ ଲାଗି ରଖାଯାଇଥିଲା।

ଜୟା ବଚ୍ଚନ, ଐଶ୍ୱର୍ଯ୍ୟ ରାୟ ବଚ୍ଚନ, ହେମାମାଳିନୀ ଓ ଇଷା, ଜୟାପ୍ରଦା, ସୁସ୍ମିତା ସେନ, ମାଧୁୀରୀ ଦୀକ୍ଷିତ, ଶ୍ରୀରାମ ନେନେ, କାଜଲ ଓ ଅଜୟ ଦେବଗନ ପହଞ୍ଚି ଶ୍ରୀଦେବୀଙ୍କ ଶେଷ ଦର୍ଶନ କରିଥିଲେ।

ଶନିବାର ବିଳମ୍ବିତ ରାତିରେ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଦୁବାଇସ୍ଥିତ ଜୁମିରା ଏମିରେଟ୍ସ ଟାୱାର ହୋଟେଲର ଗାଧୁଆ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ମୃତ ଘୋଷଣା କରାଯାଇଥିଲା। ଭଣଜା ମୋହିତ ମାରୱାଙ୍କ ବିବାହ ଲାଗି ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କପୁର ଓ ଝିଅ ଖୁସି ଦୁବାଇ ଯାଇଥିଲେ।

ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ୫୦ ବର୍ଷ ଫିଲ୍ମ କ୍ୟାରିୟରେ ଭିନ୍ନ ଭିନ୍ନ ଭାଷାରେ ୩୦୦ଟି ଫିଲ୍ମ କରି ପ୍ରଶଂସକଙ୍କ ହୃଦୟରେ ଜାଗା ସୃଷ୍ଟି କରିପାରିଥିଲେ। ତେବେ ୨୪ ତାରିଖ ରାତିରେ ଦୁବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ସ୍ୱଦେଶ ପହଞ୍ଚିବା ପାଇଁ ୩ ଦିନ ସମୟ ଲାଗି ଗଲା। ଶେଷରେ ମଙ୍ଗଳବାର ରାତି ୧୦.୩୦ରେ ତାଙ୍କ ପାର୍ଥିବ ଶରୀର ମୁମ୍ବାଇରେ ପହଞ୍ଚିଥିଲା।

Comment