ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା ବିକାଶର ମୂଳଦୁଆ ପକାଇଥିଲେ ବିଜୁବାବୁ: ମୁଖ୍ୟମନ୍ତ୍ରୀ
  • ଜୟଦେବ ଭବନ ପରିସରରେ ନୂଆ କୋଠା ଉଦଘାଟନ କଲେ ନବୀନ
  • ନୂଆ କୋଠାର ନାଁ ରହିଲା ‘ଗୀତ ଗୋବିନ୍ଦ ସଦନ’
  • ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନୀ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜୁ ସ୍ମାରକୀ ଡାକ ଟିକେଟ’ ଉନ୍ମୋଚିତ କରିଛନ୍ତି। ଭୁବନେଶ୍ୱର ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ଏହା ଉନ୍ମୋଚିତ ହୋଇଛି। ଏଥିପାଇଁ କେନ୍ଦ୍ର ସରକାର ଏବଂ ଭାରତୀୟ ଡାକ ବିଭାଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

ଏହି ଅବସରରେ ଜୟଦେବ ଭବନଠାରେ ବିଜୁବାବୁଙ୍କ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା। ଏହି ପ୍ରଦର୍ଶନୀରେ ବିଜୁବାବୁଙ୍କ ବହୁ ବିରଳ ଫଟୋ ସ୍ଥାନ ପାଇଛି। ଏହି ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଜୟଦେବ ଭବନ ପରିସରରେ ନୂଆ କୋଠା ଲୋକର୍ପଣ କରିଛନ୍ତି। ଏହି ନୂଆ କୋଠାକୁ ‘ଗୀତ ଗୋବିନ୍ଦ ସଦନ’ ନାମରେ ନାମିତ କରାଯାଇଛି।

ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ମହାନ ଜନ ନାୟକ ବିଜୁ ପଟ୍ଟନାୟକ ଥିଲେ ବିକାଶର ଭାଗିରଥ। ସେ ଥିଲେ ଓଡ଼ିଆ ସ୍ବାଭିମାନର ପ୍ରତୀକ। ଓଡ଼ିଶାରେ ବିକାଶର ମୂଳଦୁଆ ବିଜୁବାବୁ ପକାଇଥିଲେ। ବିଜୁବାବୁଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶା ଆଜି ବିକାଶ ପଥରେ ଆଗଉଛି। ଅନ୍ୟ ରାଜ୍ୟ ସହ ପ୍ରତିଯୋଗିତା କରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ଯୁବ ଓ ଛାତ୍ର ସମାଜ ଓଡ଼ିଶାର ବିକାଶ ପାଇଁ କାମ କରନ୍ତୁ।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବିଜୁବାବୁଙ୍କ ଜନ୍ମ ଦିନ ଅବସରରେ ଆମ ଗାଁ ଆମ ବିକାଶ ଯୋଜନା ଶୁଭାରମ୍ଭ ହୋଇଛି। ପଞ୍ଚାୟତ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ସରକାର ଯୋଡ଼ି ହୋଇଛନ୍ତି। ଆଗାମୀ ଦିନରେ ଗାଁ ଲୋକଙ୍କୁ ବିକାଶ ସହ ଯୋଡ଼ା ଯିବ।

ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ

ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ଫରେଷ୍ଟ ପାର୍କ ଏବଂ ବିଧାନସଭା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିପୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାସହ ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ସ୍ତରରେ ବିଜୁ ଜୟନ୍ତୀ ପାଳନ କରାଯାଇଛି। ଭୁବନେଶ୍ବରରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗଣ ଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ୍ କରି ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି, “ବିଜୁବାବୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ସେ ଲୋକଙ୍କ ସେବା କରି ଆସୁଥିଲେ। ଗରିବୀ ଦୂରୀକରଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

ଜୟଦେବ ଭବନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟାଶାଣୀ, ବିଧାୟକ ପ୍ରିୟଦର୍ଶି ମିଶ୍ର, ବିଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here