ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ସୁକ୍‌ମା ଜିଲ୍ଲାରେ ଆଇଆଇଡି ବିସ୍ଫୋରଣ ଘଟିବାରୁ ୯ ଯବାନ ସହିଦ ହୋଇଛନ୍ତି।

ଛତିଶଗଡ ସୁକ୍‌ମା ଜିଲ୍ଲାରେ ବଡ଼ ଧରଣର ମାଓ ହମଲା ହୋଇଛି। କିସ୍ତାରାମ ଅଞ୍ଚଳରେ ନକ୍ସଲ ଆଇଆଇଡି ବିସ୍ଫୋରଣ କରିବାରୁ ୯ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ମୃତ ଯବାନମାନେ ହେଉଛନ୍ତି ସିଆର୍‌ପିଏଫ୍ ୨୧୨ ବାଟାଲିୟନର।

ଏହି ବିସ୍ଫୋରଣରେ ୨୫ ଜଣ ଯବାନ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି।

ସିଆର୍‌ପିଏଫ୍‌ ୨୧୨ ବାଟାଲିୟନର ଯବାନମାନେ ସୁକ୍‌ମା ଜିଲ୍ଲାର କିସ୍ତାରାମ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଛନ୍ତି।

ଯବାନମାନେ ଆଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ିରେ କିସ୍ତାରାମରୁ ପାଲୋଡି ଯାଉଥିବା ବେଳେ ମାଓବାଦୀମାନେ ଆଇଆଇଡି ବିସ୍ଫୋରଣ କରିଥିଲେ। ଫଳରେ ଗାଡ଼ିଟି ଭାଙ୍ଗିରୁଜି ଚୁର୍‌ମାର୍‌ ହୋଇଯାଇଛି। ନକ୍ସଲମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିଲେ। ଆମ୍ବୁସ୍‌ରେ ୧୦୦ରୁ ଅଧିକ ମାଓବାଦୀ ସାମିଲ ହୋଇଥିଲେ।

ଛତିଶଗଡ ସ୍ୱତନ୍ତ୍ର ଡିଜି ଡି ଏମ୍ ଅବସ୍ତି କହିଛନ୍ତି, “ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନଙ୍କୁ ପଠା ଯାଇଛି। ମୃତ ଏବଂ ଆହତ ଯବାନଙ୍କୁ ଉଦ୍ଧାର କରାଯାଉଛି।”

ସିଆର୍‌ପିଏଫ୍ ଯବାନ ସହିଦ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଦୁଃଖ ପ୍ରକାଶ କରିଛନ୍ତି।

Comment