ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ୮୩ତମ ଓଡିଶା ଦିବସ ସମାରୋହ-୨୦୧୮ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢୀ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।
ଏପ୍ରିଲ ୧ତାରିଖ ଭୋର ୪ଟା୩୦ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ, ଭାଷା ବନ୍ଦନା ସଙ୍ଗୀତ ସମେତ ଅନ୍ୟାନ୍ୟ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯିବ। ପ୍ରାତଃ ୭ ଘଟିକା ସମୟରେ ସ୍କୁଲର ଛାତ୍ର-ଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସକାଳ ୮ଟା୩୦ରେ ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ସାମୂହିକ ମାଲ୍ୟାର୍ପଣ କରାଯିବ। ଚଳିତ ବର୍ଷ ଜିଲ୍ଲା ଶିଳ୍ପ କେନ୍ଦ୍ର ସମ୍ମୁଖସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂଷ୍ଟେସନ ଛକରେ ଥିବା ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ରୋଗୀମାନଙ୍କୁ ଫଳ ବଂଟନ କରାଯିବ। ପୂର୍ବାହ୍ନ ଘ୧୦.୩୦ମି ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ସାଧାରଣ ସଭା ଓ ବିଭନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ବିଭିନ୍ନ କାର୍ଯ୍ୟାଳୟ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ଏବଂ ସରକାରୀ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଆଲୋକମାଳାରେ ସଜ୍ଜିତ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଥିଲା।
ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ କୁମାର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିବେକାନନ୍ଦ ଦାସ, ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ କାହ୍ନୁଚରଣ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାସ ନିଆଲ ଉପସ୍ଥିତ ଥିଲେ।














