ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୋଇ ହୋଇଗଲା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ। ବନବିରା ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି ଏବଂ ଜୟନାରାୟଣ ମିଶ୍ରଙ୍କ ଗିରଫ ପ୍ରତିବାଦରେ ବିଜେପି ସଭ୍ୟ ଗୃହରେ ହଙ୍ଗାମା କରିବାରୁ ବାଚସ୍ପତି ଗୁରୁବାର ସାଢ଼େ ୧୦ଟା ଯାଏଁ ବିଧାନସଭାକୁ ମୁଲତବି କରିଛନ୍ତି।

  • ବନବିରା ଗୁଳିକାଣ୍ଡର ସିବିଆଇ ତଦନ୍ତ ଦାବି
  • ଜୟନାରାୟଣ ମିଶ୍ରଙ୍କ ଗିରଫର ପ୍ରତିବାଦ
  • ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କଲେ ବିଜେପି ସଭ୍ୟ
  • ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରା ଦେଲେ

ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଚାଲି ପାରିଲା ନାହିଁ। ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଭ୍ୟ କରିଥିଲେ ହଙ୍ଗାମା। ବନାବିରା ଗୁଳିକାଣ୍ଡ ଘଟଣାରେ ଜୟନାରା଼ୟଣ ମିଶ୍ରଙ୍କ ଗିରଫର ପ୍ରତିବାଦ କରି ହୋ-ହଲ୍ଲା କରିଥିଲେ ବିଜେପି ସଭ୍ୟ। ଏହି ଘଟଣାରେ ପକ୍ଷପାତିତା କରାଯାଇଥିବା ଅଭିଯୋଗ କରିଥିଲା ବିଜେପି। ସିବିଆଇକୁ ଗୁଳିକାଣ୍ଡ ଘଟଣାର ତଦନ୍ତ ଦାୟିତ୍ୱ ଦେବା ଦାବିରେ ବିଜେପି ଆଜି ବିଧାନସଭାରେ କରିଥିଲା ହଙ୍ଗାମା।

୧୦ଟା୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ପ୍ରତିବାଦ କରିଥିଲେ। ଜୟନାରାୟଣ ମିଶ୍ରଙ୍କୁ ରାଜନୈତିକ ଆକ୍ରୋଶ ରଖି ଗିରଫ କରାଯାଇଥିବା ଅଭିଯୋଗ କରିଥିଲେ। ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା। ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା୩୦ ପର୍ଯ୍ୟନ୍ତ ମୁଲତବି କରିଥିଲେ।

୧୧ଟା୩୦ରେ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସୁରୁଖୁରୁରେ ଚାଲିପାରି ନଥିଲା। ବିଜେପି ସଭ୍ୟ ସମାନ ପ୍ରସଙ୍ଗକୁ ଧରି ଗୃହରେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପୁନର୍ବାର ମୁଲତବି କରିଥିଲେ। ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବି ରହିଥିଲା। ଅପରାହ୍ଣ ଅଧିବେଶନ ଆରମ୍ଭ ହେବା ମାତ୍ରେ ପୁଣି ଗୃହ ହୁଲସ୍ତୁଲ କରିଥିଲେ ବିଜେପି ସଭ୍ୟ। ଶେଷରେ ବାଚସ୍ପତି ଗୃହକୁ ଗୁରୁବାର ସାଢ଼େ ୧୦ଟା ଯାଏଁ ବିଧାନସଭା ମୁଲତବି କରିଦେଇଛନ୍ତି।

ବିଜେପୁର ଉପ-ନିର୍ବାଚନ ଚାଲିଥିବା ବେଳେ ବରଗଡ଼ ଜିଲ୍ଲା ବନବିରାଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ଏବଂ ସହଯୋଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂ ଏବଂ ଡ୍ରାଇଭର ଦିଲେଶ୍ୱର ଗୁରୁତର ହୋଇଯାଇଥିଲେ। ଶେଷରେ ଦିଲେଶ୍ବରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ହାତ ରହିଥିବା ବିଜେଡି ଅଭିଯୋଗ କରିଥିଲା। ଜୟନାରାୟଣଙ୍କୁ ପୋଲିସ ଗିରଫ କରିଛି। ଏହାର ପ୍ରତିବାଦ ବିଜେପି ଆଜି ବିଧାନସଭାରେ କରିଥିଲା।

Comment