ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ଦଶମ ଶ୍ରେଣୀର ଗଣିତ ଏବଂ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପ୍ରଶ୍ନପତ୍ର ଲିକ୍‌ ହେବା ପରେ ତତ୍ପର ହେଇ ଉଠିଛନ୍ତି ସିବିଏସ୍‌ଇ କର୍ତ୍ତୃପକ୍ଷ। ଏହି ଦୁଇଟି ବିଷୟରେ ଆଉଥରେ ପରୀକ୍ଷା ହେବ ବୋଲି ସିବିଏସ୍‌ଇ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି।

ଓଡ଼ିଶାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍ ଘଟଣା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ପରୀକ୍ଷା ପୂର୍ବରୁ ସିବିଏସ୍‌ଇ ଦଶମ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପ୍ରଶ୍ନପତ୍ର ଦିଲ୍ଲୀରେ ଲିକ୍‌ ହୋଇଥିଲା। ଏହାକୁ ନେଇ ହୋ-ହଲ୍ଲା ହେବାରୁ ଆଉ ଥରେ ପରୀକ୍ଷା କରିବା ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ପରୀକ୍ଷା କେବେ ହେବ ସେନେଇ ସିବିଏସ୍‌ଇ ୱେବସାଇଟ୍‌ରେ ତାରିଖ ଘୋଷଣା କରାଯିବ।

ଗତ ବୁଧବାର ଦଶମ ଶ୍ରେଣୀ ଗଣିତ ପରୀକ୍ଷା ହୋଇଥିବା ବେଳେ ୨୬ରେ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ହୋଇଥିଲା। ହେଲେ ଏହି ପ୍ରଶ୍ନପତ୍ର ଆଗୁଆ ସୋସିଆଲ ମିଡିଆରେ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ସିବିଏସ୍‌ଇ କର୍ତ୍ତୃପକ୍ଷ ଅଭିଯୋଗର ଯାଞ୍ଚ୍ କରିବା ପରେ ଆଉଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନବ ସମ୍ବଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, “ହ୍ୱାଟସ୍‌ ଆପ୍‌ରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଆମ ବିଭାଗ ତରଫରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଯିଏ ଦୋଷୀ ଚିହ୍ନଟ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Comment