ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୩୫୦ଟଙ୍କିଆ ମୁଦ୍ରା ପ୍ରସ୍ତୁତ କରିବାକୁ ଯୋଜନା ଚଳାଇଛି। ଲିମିଟେଡ ଏଡିସନରେ ଏହି ମୁଦ୍ରା ପ୍ରଚଳନ କରାଯିବ। ଏ ସମ୍ପର୍କରେ ବ୍ୟାଙ୍କ୍ ପକ୍ଷରୁ ଅଧିସୂଚନା ମଧ୍ୟ ଜାରି କରାଯାଇଛି।

ଏପର୍ଯ୍ୟନ୍ତ ଆପଣଙ୍କ ପକେଟରେ ଏକ ଟଙ୍କାରୁ ଆରମ୍ଭ କରି ୧୦ଟଙ୍କା ପର୍ଯ୍ୟନ୍ତ ମୁଦ୍ରା ରଖିଥିବେ। କିନ୍ତୁ ଖୁବଶିଘ୍ର ପକେଟରେ ୩୫୦ଟଙ୍କିଆ ମୁଦ୍ରା ରଖିବାର ଆପଣ ସୁଯୋଗ ପାଇପାରିବେ। ବଜାରକୁ ୩୫୦ଟଙ୍କିଆ ମୁଦ୍ରା ଆଣିବାର ଯୋଜନା କରୁଛି ଆରବିଆଇ ।

ଆରବିଆଇ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ମୁତାବକ ମୁଦ୍ରା ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ତମ ପ୍ରକାଶ ଉତ୍ସବ ଅବସରରେ ଜାରି କରାଯିବାର ବ୍ୟବସ୍ଥା କରାଯାଇଛି। ଲିମିଟେଡ ଏଡିସନରେ ଏହି ମୁଦ୍ରା ବଜାରକୁ ଛଡ଼ାଯିବ ବୋଲି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

୩୫୦ଟଙ୍କିଆ ମୁଦ୍ରା ପ୍ରସ୍ତୁତ ପାଇଁ ଚାନ୍ଦି, ତମ୍ବା ଓ ଜିଙ୍କ୍ ବ୍ୟବହାର କରାଯିବ। ଏହି ମୁଦ୍ରାର ବ୍ୟାସାର୍ଦ୍ଧ ୪୪ମିଲିମିଟର ହେବ। ୫୦ପ୍ରତିଶତ ଚାନ୍ଦି, ୪୦ ପ୍ରତିଶତ ତମ୍ବା ଓ ୫ ପ୍ରତିଶତ ନିକେଲ ଓ ୫ ପ୍ରତିଶତ ଜିଙ୍କରେ ପ୍ରସ୍ତୁତ ହେବ ଏହି ମୁଦ୍ରା।

ମୁଦ୍ରାର ଉପର ପାର୍ଶ୍ଵରେ ଅଶୋକ ସ୍ତମ୍ବ ରହିବ। ଏହାର ତଳ ପାର୍ଶ୍ଵରେ ସତ୍ୟମେବ ଜୟତେ ଲେଖା ହୋଇଥିବାର ନଜର ଆସିବ। ଏହାଛଡ଼ା ମୁଦ୍ରାର କେନ୍ଦ୍ରରେ ୩୫୦ଟଙ୍କା ଲେଖାଯିବ।

ମୁଦ୍ରାର ଉଭୟ ପାର୍ଶ୍ଵରେ ଇଂରାଜୀରେ ‘ଇଣ୍ଡିଆ’ ଲେଖାଯାଇଥିବାର ନଜର ଆସିବ। ପଛ ପାର୍ଶ୍ଵରେ ପାଟନାସ୍ଥିତ ହରିମନ୍ଦିର ସାହେବଙ୍କ ଚିତ୍ର ରହିବ। ‘ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ତମ ପ୍ରକାଶ ଉତ୍ସବ’ ଲେଖାଥିବା ମଧ୍ୟ ନଜର ଆସିବ। ଏହାସହ ମୁଦ୍ରାରେ ୧୬୬୬-୨୦୧୬ ଲେଖା ହୋଇଥିବାର ନଜର ଆସିବ।

ଆରବିଆଇ ପକ୍ଷରୁ କୁହଯାଇଛି ଯେ, ୩୫୦ଟଙ୍କିଆ ମୁଦ୍ରାର ଓଜନ ୩୪.୬୫ ରୁ ୩୫.୩୫ ଗ୍ରାମର ହେବ। ବର୍ତ୍ତମାନ ବଜାରରେ କେତେ ପରିମାଣର ୩୫୦ଟଙ୍କିଆ ମୁଦ୍ରା ଆସିବ ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନଥିଲେ ମଧ୍ୟ ଲିମିଟେଡ ଏଡିସନରେ ଏହି ମୁଦ୍ରା ଜାରି କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

Comment