ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ନଭେମ୍ବର ୨୮ରୁ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ୍। ହକି ବିଶ୍ୱକପ୍ରେ ଭାଗ ନେବାକୁ ଥିବା ୧୬ଟି ଦେଶର ଖେଳାଳିଙ୍କ ସମେତ ଅଧିକାରୀ, ସମର୍ଥକଙ୍କୁ ମିଶାଇ ୧୫ ହଜାରରୁ ଅଧିକ ଲୋକ ଭୁବନେ୍ଶ୍ୱର ଆସିବେ। ଏହି ପ୍ରତିନିଧିମାନେ କେଉଁଠି ଏବଂ କିପରି ରହିବେ ସେନେଇ ପର୍ଯ୍ୟଟନ ବିଭାଗ ଏବଂ ହୋଟେଲ ଆଣ୍ଡ ରୋସ୍ତରା ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଖେଳାଳି ଏବଂ କ୍ରୀଡ଼ା ପ୍ରତିନିଧିଙ୍କ ରହିବାରେ ଯେପରି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ନ ହୁଏ ସେଥିପ୍ରତି ପର୍ଯ୍ୟଟନ ବିଭାଗ ତରଫରୁ ଦୃଷ୍ଟି ଦିଆଯାଇଛି।
ବାହାର ଦେଶର ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ଭୁ୍ବନେଶ୍ୱର, କଟକ ଓ ପୁରୀରେ ଥିବା ହୋଟେଲଗୁଡ଼ିକର ଭିତ୍ତିଭୂମି ବଢ଼ାଇବା ପାଇଁ ବୁଧବାର ଭୁବନେଶ୍ୱରରେ ଆୟୋଜିତ ହାରୋ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ସମ୍ମିଳନୀରେ ଆଲୋଚନା ହୋଇଛି।
ଏହି ସମ୍ମିଳନୀରେ ପର୍ଯ୍ୟଟନ ସଚିବ ଡକ୍ଟର ମୋନା ଶର୍ମା ଯୋଗଦେଇ କହିଲେ, “ବିଶ୍ବ କପ୍ ହକି ପୂର୍ବରୁ ରାଜଧାନୀ ଭୁବନେଶ୍ବର ସ୍ପୋର୍ଟସ୍ ହବ୍ରେ ପରିଣତ ହେବ। ଏହାସହ ପର୍ଯ୍ୟଟନ ଡେଷ୍ଟିନେସନ୍ ପଏଣ୍ଟ ଭାବେ ପ୍ରସ୍ତୁତ ହେବ। ଏଥିପାଇଁ ରାଜ୍ୟ ହୋଟେଲ ଆଣ୍ଡ ରୋସ୍ତାରୋ ଆସୋସିଏସନକୁ ସହାୟତା ପ୍ରଦାନ କରାଯିବ।”
ଅନେକ ହୋଟେଲ ଷ୍ଟାର୍ବର୍ଗ ମାନ୍ୟତା ପାଇବାକୁ ଯୋଗ୍ୟତା ରହିଥିଲେ ମଧ୍ୟ ସେମାନେ ଆଜି ପର୍ଯ୍ୟନ୍ତ ଷ୍ଟାର୍ ମାନ୍ୟତା ହାସଲ କରି ପାରି ନାହାନ୍ତି। ତେଣୁ ଆସନ୍ତା ୩ ମାସ ମଧ୍ୟରେ ହୋଟେଲଗୁଡ଼ିକ ଷ୍ଟାର୍ବର୍ଗରେ ସାମିଲ ହେବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ, ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ସଜାଡ଼ିବା ଲାଗି ପର୍ଯ୍ୟଟନ ବିଭାଗ ସଚିବ ଡକ୍ଟର ଶର୍ମା ଆଜି ହୋଟେଲଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
ଡକ୍ଟର ଶର୍ମା ଆହୁରି କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫୬ ହୋଟେଲରେ ୮ ହଜାର ରୁମ୍ ଚିହ୍ନଟ ହୋଇଛି। ଅନ୍ଲାଇନ୍ ବୁକିଂ ବି ଆରମ୍ଭ ହୋଇଛି। ହକି ଫେଡେରେସନ୍କୁ ବି ତଥ୍ୟ ଦିଆଯାଇଥିବା ନେଇ ପର୍ଯ୍ୟଟନ ସଚିବ ଶ୍ରୀମତୀ ଶର୍ମା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ହକି ବିଶ୍ୱକପ୍ ୧୫ ଦିନ ପୂର୍ବରୁ ଦର୍ଶକଙ୍କ ଆଗମନ ହେବ। ତାହାକୁ ଦୃଷ୍ଟିରେ ରଖି ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ। ନଭେମ୍ବର ପ୍ରଥମ ସପ୍ତାହରୁ ଡିସେମ୍ବର ଶେଷ ସପ୍ତାହ ମଧ୍ୟରେ ୧୫ ହଜାର ଲୋକ ଆସିବାର ଆକଳନ କରାଯାଉଛି। ତାହାକୁ ଦୃଷ୍ଟିରେ ରଖି ପୁରୀ, କଟକ, ଭୁବନେଶ୍ୱରରେ ଥିବା ହୋଟେଲର ଭିତ୍ତିଭୂମି ବିକାଶ କରାଯିବାର ଆବଶ୍ୟକତା ରହିଛି।
ବିଦେଶୀମାନେ ଷ୍ଟାର୍ ହୋଟେଲରେ ରହିବାକୁ ପସନ୍ଦ କରିଥାନ୍ତି। ସେହି ଦୃଷ୍ଟିରୁ ଓଡ଼ିଶାର ଅନେକ ହୋଟେଲ ରହିଛି, ଯେଉଁମାନଙ୍କ ଷ୍ଟାର ମାନ୍ୟତା ପାଇବା ଲାଗି ଯୋଗ୍ୟତା ରହିଛି। କିନ୍ତୁ ସେମାନେ ଷ୍ଟାର ବର୍ଗର ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି। ତେଣୁ ଆଜି ହୋଟେଲ କର୍ତୃପକ୍ଷଙ୍କୁ ସଚେତନ କରାଯାଇଛି। ଯେଉଁମାନଙ୍କ ଭିତ୍ତିଭୂମି ରହିଛି, ସେମାନଙ୍କୁ ଅନୁମତି ଦେବାରେ କୌଣସି ବି ବାଧା ଉପୁଜିବ ନାହିଁ।
ଯେଉଁମାନଙ୍କର ଭିତ୍ତିଭୂମି ନାହିଁ, ସେମାନଙ୍କୁ ଏଥିପ୍ର୍ରତି ଗୁରୁତ୍ୱ ଦେବାକୁ ହେବ। ୨ରୁ ୩ମାସ ମଧ୍ୟରେ ଭିତ୍ତିଭୂମି ସୁଦୃଢ଼ କରି ସେମାନେ ଷ୍ଟାର୍ ମାନ୍ୟତା ଲାଗି ଆବେଦନ କରିପାରିବେ। ରାଜ୍ୟସ୍ତରୀୟ କମିଟି ହୋଟେଲଗୁଡ଼ିକୁ ମାନ୍ୟତା ପ୍ରଦାନ କରୁଥିବାରୁ କୌଣସି ଅସୁବିଧା ହେବ ନାହିଁ ବୋଲି ପର୍ଯ୍ୟଟନ ବିଭାଗ ସଚିବ କହିଛନ୍ତି।
ଏହି କର୍ମଶାଳାରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନିତୀନ ଭାନୁଦାସ ଜଓ୍ଵାଲେ, ହାରୋର ଅଧ୍ୟକ୍ଷ ଜେକେ ମହାନ୍ତିଙ୍କ ସମେତ ପର୍ଯ୍ୟଟନ ବିଭାଗ ଓ ହାରୋର ସଦସ୍ୟମାନେ ଉପସ୍ଥିତ ଥିଲେ।
ଜେ କେ ମହାନ୍ତି କହିଛନ୍ତି, “ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ବସ୍ତରୀୟ କନଭେନସନ ସେଣ୍ଟରର ଆବଶ୍ୟକତା ରହିଛି। ବିଶ୍ୱକପ୍ ହକି ପୂର୍ବରୁ ରାଜ୍ୟ ସରକାର ରାଜ୍ୟ ପର୍ଯ୍ୟଟନର ବିକାଶ ପାଇଁ ଜଣେ ସେଲିବ୍ରିଟିଙ୍କୁ ପର୍ଯ୍ୟଟନ ବୈଭବର ବ୍ରାଣ୍ଡ ଆମ୍ବାସାଡାର କରିବା ଦିଗରେ ପଦକ୍ଷେପ ନେବା ଉଚିତ୍।”
ଏହି ସମ୍ମିଳନୀରେ ହୋଟେଲଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯେଉଁ ହୋଟେଲ ଆଜି ପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ନାହାନ୍ତି ସେମାନେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି।

















