ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ଭାରତର ସର୍ବବୃହତ୍ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ସୁଟର ଅଭିନବ ବିନ୍ଦ୍ରାଙ୍କ ସହଭାଗିତାରେ ଏହି ଅତ୍ୟାଧୁନିକ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ନିର୍ମିତ ହୋଇଛି।
ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଖେଳାଳିମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳିବ। ଏଠାରେ କ୍ରୀଡ଼ାବିତମାନଙ୍କ ଆଘାତ ପରବର୍ତ୍ତୀ ସେବା, ରିକଭରି ଓ ପ୍ରଦର୍ଶନରେ ଉନ୍ନତି ଆଦି ଉପରେ ବିଭିନ୍ନ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ହେବ। ଏହାସହିତ ଏଠାରେ କ୍ରୀଡ଼ାବିତଙ୍କ ଖେଳ ତଥା ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ସ୍ଵତନ୍ତ୍ର ଲ୍ୟାବ୍ ଖୋଲାଯାଇଛି।
“ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ରାଜ୍ୟର ଅନେକ କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ବିଶେଷ ସହାୟକ ହେବ। ଏଠାରେ ଉନ୍ନତଧରଣର ମେସିନ୍ ସହିତ ବିଶେଷଜ୍ଞମାନଙ୍କ ପରାମର୍ଶ ମାଧ୍ୟମରେ କ୍ରୀଡ଼ାବିତ୍ମାନେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିବେ। ଏହି କେନ୍ଦ୍ର କେବଳ ଓଡ଼ିଶା ନୁହେଁ ବରଂ ସାରା ଭାରତର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଖେଳାଳିଙ୍କ ପାଇଁ ମାଇଣ୍ଡ ଲ୍ୟାବ୍, ରିକଭରି ଲ୍ୟାବ୍, ଗେଟ୍ ଲ୍ୟାବ୍, ଫଙ୍କସ୍ନାଲ ଲ୍ୟାବ୍, ବାୟୋମେକାନିକ୍ସ ଲ୍ୟାବ୍, ଫିଜିଓଲୋଜି ଲ୍ୟାବ୍, ପାରା-ଆଥଲେଟ୍ ପର୍ଫମାନ୍ସ ଲ୍ୟାବ୍ ଉପଲବ୍ଧ ଅଛି। ଏଠାରେ ଖେଳାଳିମାନଙ୍କ ସହାୟତା ପାଇଁ ବାୟୋ ମେକାନିଷ୍ଟ, ସ୍ପୋର୍ଟ୍ସ ସାଇଣ୍ଟିଷ୍ଟ, ଫିଜିଓଥେରାପିଷ୍ଟ, ଏକ୍ସରସାଇଜ୍ ଫିଜିଓଲୋଜିଷ୍ଟସ୍, ଷ୍ଟ୍ରେଂଥ ଆଣ୍ଡ କଣ୍ଡିସନିଂ ବିଶେଷଜ୍ଞ, ମନସ୍ତତ୍ତ୍ଵବିତ୍, ନ୍ୟୁଟ୍ରିସନିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି।
କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସୁଟର ଅଭିନବ ବିନ୍ଦ୍ରା, ଉନ୍ନୟନ କମିସନର ଅନୁ ଗର୍ଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର୍ ଭିନିଲ କ୍ରୀଷ୍ଣା ପ୍ରମୁଖ ଯୋଗ ଦେଇଥିଲେ।
Tags: #KalingaStadium #SportsScienceCenter #SportsDevelopment #Odisha