ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ଶୁକ୍ରବାର ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏଥିରେ ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମ, କଟକ ଟେବୁଲ ଟେନିସ୍ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର ସାମିଲ ରହିଛି। ୬୬୦ କୋଟି ଟଙ୍କା ବ୍ୟୟରେ ଏଗୁଡ଼ିକର ନିର୍ମାଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁ ପ୍ରକଳ୍ପର ଉଦଘାଟନ କରିବା ସହ ଅନ୍ୟ ୧୧ଟି କ୍ରୀଡ଼ା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ତୃଣମୂଳ ସ୍ତରରେ ଓଡ଼ିଶାର ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏସବୁ ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଯୋଗ, ଚେସ୍, ଭାରୋତ୍ତୋଳନ, ଆଦି କ୍ରୀଡ଼ା ପାଇଁ କୋର୍ଟ ସହ ବିଭିନ୍ନ ସୁବିଧା ସୁଯୋଗ ରହିବ।

ସେହିପରି କଟକରେ ଉଦଘାଟିତ ହୋଇଥିବା ଟେବୁଲ ଟେନିସ୍ ଏକାଡେମୀରେ ୧୬ଟି ଉଚ୍ଚମାନର ଟିଟି ଟେବୁଲ ସହିତ ଏକ ଅତ୍ୟାଧୁନିକ ଜିମ୍ନାସିୟମ୍ ରହିଛି। ଏହାସହ ଓଡ଼ିଶାରେ ଜିମ୍ନାଷ୍ଟିକ୍ସର ବିକାଶ ଉଦ୍ଦେଶ୍ୟରେ ରାଉରକେଲା ଜିମ୍ନାଷ୍ଟିକ୍ସ ଏକାଡେମୀର ନିର୍ମାଣ କରାଯାଇଛି।

ଅନ୍ୟପଟେ ଶୁକ୍ରବାର ଶୁଭାରମ୍ଭ ହୋଇଥିବା ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ରରେ (ଏଚଟିସି) ଆଧୁନିକ ସିନ୍ଥେଟିକ୍ ଟର୍ଫ ସହ ଅନ୍ୟାନ୍ୟ ଉତ୍ତମ ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ ୨୩ଟି ହକି ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ସେଥିରୁ ସର୍ବାଧିକ ୧୭ଟି ଏଚଟିସି ସୁନ୍ଦରଗଡ଼ରେ ରହିଛି।  

“ଆମେ ରାଜ୍ୟର ଯୁବ କ୍ରୀଡ଼ାବିତମାନଙ୍କୁ ସର୍ବୋତ୍ତମ କ୍ରୀଡ଼ା ସୁବିଧା ଯୋଗାଇ ଦେବାକୁ ଚାହୁଁଛୁ, ଯାହାଦ୍ୱାରା ସେମାନେ ନିଜ କ୍ରୀଡ଼ା ପ୍ରତିଭା ବଳରେ ରାଜ୍ୟ ପାଇଁ ଗୌରବ ଆଣିପାରିବେ। ମୁଁ ଆଶା କରୁଛି ଶୁଭାରମ୍ଭ ହୋଇଥିବା ଏହିସବୁ ପ୍ରକଳ୍ପ ରାଜ୍ୟରେ କ୍ରୀଡ଼ା ବିକାଶକୁ ଅଧିକ ଗତି ପ୍ରଦାନ କରିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରେମୁଣା, ବାଲିଗୁଡ଼ା, ଟିଟିଲାଗଡ଼ ଓ କରଞ୍ଜିଆରେ ୪ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସମେତ ମୋଟ ୧୧ଟି କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏଥିରେ ବାରିପଦା ଷ୍ଟାଡିୟମ ଏବଂ ଭଦ୍ରକର ନେହେରୁ ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟ ସାମିଲ ରହିଛି।

ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର୍ ଭିନୀଲକ୍ରିଷ୍ଣା ଏବଂ ବିଏମସି ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। 

Tags: #SportsInfrastructure #SportsDevelopment #CmNaveenPatnaik #SportsOdisha

Comment