ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଥିବା ବିଭିନ୍ନ ରାଜ୍ୟସ୍ତରୀୟ କ୍ରୀଡ଼ା ସଂଘ ଏବଂ ଜିଲ୍ଲା କ୍ରୀଡ଼ା ସଂଘଗୁଡ଼ିକର ଅନୁଦାନ ରାଶି ବୃଦ୍ଧି ପାଇଛି। ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସଂଘଗୁଡ଼ିକୁ ବର୍ଦ୍ଧିତ ଅନୁଦାନ ରାଶି ମିଳିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ‘କ’ ବର୍ଗରେ ଥିବା ଆଥଲେଟିକ୍ସ, ହକି, ଫୁଟବଲ, କ୍ରିକେଟ, ଭାରୋତ୍ତୋଳନ, ତୀରନ୍ଦାଜୀ, ବ୍ୟାଡମିଣ୍ଟନ ଆଦି ରାଜ୍ୟ କ୍ରୀଡ଼ା ସଂଘକୁ ବାର୍ଷିକ ୧୨ ଲକ୍ଷ ଟଙ୍କାର ଅନୁଦାନ ମିଳିବ। ପୂର୍ବରୁ ସେମାନଙ୍କୁ ୬ ଲକ୍ଷ ଟଙ୍କା ମିଳୁଥିଲା।

ସେହିପରି ‘ଖ’ ବର୍ଗରେ ଥିବା ବାସ୍କେଟବଲ, ବକ୍ସିଂ, ଚେସ୍, ସାଇକେଲିଂ, ଜିମନାଷ୍ଟିକ୍ସ, ଜୁଡୋ, କାବାଡ଼ି, ଖୋ-ଖୋ, କରାଟେ, ସ୍ଵିମିଙ୍ଗ, ଟେନିସ, ଟେବୁଲ ଟେନିସ, ଟାଇକୋଣ୍ଡୋ, ଭଲିବଲ, କୁସ୍ତି ଏବଂ ରଗବି ରାଜ୍ୟ କ୍ରୀଡ଼ା ସଙ୍ଘ ଲାଗି ଅନୁଦାନ ରାଶିକୁ ୪ ଲକ୍ଷରୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

‘ଗ’ ବର୍ଗରେ ହ୍ୟାଣ୍ଡ ବଲ, ରାଇଫଲ୍ ସୁଟିଂ, ରୋଇଂ, କାଇକିଂ-କାନୋଇଂ, ସଫ୍ଟ ବଲ, ଉସୁ, ୟାଚିଂ (ସେଲିଂ) ଏବଂ ଫେନସିଂ ଭଳି ରାଜ୍ୟ କ୍ରୀଡ଼ା ସଂଘ ଲାଗି ଅନୁଦାନ ରାଶିକୁ ୧.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି। ଏହାସହ ‘ଘ’ ବର୍ଗରେ ବଡ଼ି ବିଲଡିଂ, ରୋଲର ସ୍କେଟିଂ, ବଲ ବ୍ୟାଡ଼ମିଣ୍ଟନ, ନେଟ ବଲ, ପାୱାର ଥ୍ରୋ, ଥ୍ରୋ ବଲ ଏବଂ ପିଡବ୍ଲୁଡି କ୍ରୀଡ଼ାର ରାଜ୍ୟ କ୍ରୀଡ଼ା ସଂଘ ଲାଗି ବାର୍ଷିକ ଅନୁଦାନକୁ ୩ ଲକ୍ଷ ଟଙ୍କା କରାଯାଇଛି।

ଅନ୍ୟପଟେ ୨୦ଟି ବ୍ଲକ ଥିବା ଜିଲ୍ଲାର କ୍ରୀଡ଼ା ସଂଘ ଲାଗି ଅନୁଦାନ ରାଶିକୁ ୨ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ୧୫ରୁ ୨୦ ବ୍ଲକ ଥିବା ଜିଲ୍ଲାର କ୍ରୀଡ଼ା ସଙ୍ଘର ଅନୁଦାନ ରାଶି ୧.୫ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାସହ ୧୦ ରୁ ୧୪ ବ୍ଲକ ଥିବା ଜିଲ୍ଲାର କ୍ରୀଡ଼ା ସଂଘର ଅନୁଦାନ ରାଶିକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଥିବାବେଳେ ୧୦ ରୁ କମ ବ୍ଲକ ଥିବା ଜିଲ୍ଲାର କ୍ରୀଡ଼ା ସଂଘର ଅନୁଦାନ ରାଶି ୭୫ ହଜାର ଟଙ୍କାରୁ ୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ଏହାବ୍ୟତୀତ କ୍ରୀଡ଼ା ସଂଘଗୁଡ଼ିକ ଲାଗି ଥିବା ସ୍ୱତନ୍ତ୍ର ଅନୁଦାନ ରାଶିର ଧାର୍ଯ୍ୟ ସୀମାକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଉଚ୍ଛେଦ କରାଯାଇଛି। ତେବେ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅନୁଦାନ ରାଶି ସ୍ଥିର କରିବେ ବୋଲି କୁହାଯାଇଛି।

ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର ଅନେକ କ୍ରୀଡ଼ା ସଂଗଠନ ସେମାନଙ୍କ ବାର୍ଷିକ ଅନୁଦାନ ରାଶିକୁ ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାର ଏହାକୁ ଏବେ ଅନୁମୋଦନ କରିଛନ୍ତି।

Tags: #SportsFederations #SportsDevelopment #DeptofSportsandYouthAffairs #Odisha

Comment