ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ଵରରେ ରାଜ୍ୟ ପୁରୁଷ ହକି ଚାମ୍ପିୟନସିପର ଦ୍ଵିତୀୟ ସଂସ୍କରଣ
  • ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ କରିଛନ୍ତି ଅଂଶଗ୍ରହଣ   
  • ସେପ୍ଟେମ୍ବର ୪ରୁ ୯ ତାରିଖ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଓଡ଼ିଶା ରାଜ୍ୟ ପୁରୁଷ ହକି ଚାମ୍ପିୟନସିପ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗରେ ହକି ଆସୋସିଏସନ୍‌ ଅଫ ଓଡ଼ିଶା ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି। ସୋମବାର ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣକୁ ଉଦଘାଟନ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ୬ଟି ମ୍ୟାଚ ଖେଳାଯାଇଥିଲା। ପାରାଦୀପ ପୋର୍ଟ ଓ ପୂର୍ବତଟ ରେଳବାଇ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରାଦୀପ ପୋର୍ଟ ୫-୩ ଗୋଲରେ ବିଜୟୀ ହୋଇଥିଲା।

ସେହିପରି ଦ୍ଵିତୀୟ ମ୍ୟାଚରେ ଏସଏମଏସ ହକି ଏକାଡେମୀ ୯-୦ ଗୋଲରେ ମୟୂରଭଞ୍ଜ ଟିମକୁ ହରାଇଥିଲା। ତୃତୀୟ ମ୍ୟାଚରେ ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା ୭-୦ ଗୋଲରେ ମାଲକାନଗିରି ଦଳକୁ ପରାସ୍ତ କରିଥିଲା।

ଅନ୍ୟପଟେ ସୋମବାର ଅପରାହ୍ଣରେ ହୋଇଥିବା ମ୍ୟାଚରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି ୧୦-୦ ଗୋଲରେ ବରଗଡ଼ ହକି ଟିମକୁ ପରାସ୍ତ କରିଥିଲା। ସେହିପରି ସମ୍ବଲପୁର ୬-୦ ଗୋଲରେ କନ୍ଧମାଳକୁ ଏବଂ ଝାରସୁଗୁଡ଼ା ୭-୦ ଗୋଲରେ ଜଗତସିଂହପୁରକୁ ହରାଇଥିଲେ।

ସୋମବାର ଏହି ହକି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ହକି ଆସୋସିଏସନ୍‌ ଅଫ ଓଡ଼ିଶାର ସାଧାରଣ ସମ୍ପାଦକ ସନାତନ ସାହୁ, ହକି ଓଡ଼ିଶାର ନିର୍ଦେଶକ ଡେଭିଡ ଜନ୍‌, ରାଜ୍ୟ ହକି ପ୍ରଶିକ୍ଷଣ ନିର୍ଦେଶକ ବି ଜେ କାରିଆପ୍ପା ଏବଂ ଲୁସେଲା ଏକ୍କା ପ୍ରମୁଖ ଯୋଗ ଦେଇଥିଲେ।

ଚଳିତବର୍ଷ ରାଜ୍ୟ ପୁରୁଷ ହକି ଚାମ୍ପିୟନସିପରେ ୩୨ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୯ ତାରିଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ।

Tags: #OdishaHockeyChampionship #KalingaStadium #Hockey #Sports #Odisha

 

LEAVE A REPLY

Please enter your comment!
Please enter your name here