ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ନେଇ ବଢ଼ୁଛି ବିବାଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ପୁଣି ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜେ ଚେଲମଶ୍ୱର।
ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ହାଇକୋର୍ଟ ବିଚାରପତି ନିଯୁକ୍ତିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ଜଷ୍ଟିସ ଚେଲମଶ୍ୱର ଅଭିଯୋଗ କରିଛନ୍ତି। ଏହାସହ ନ୍ୟାୟପାଳିକାର ବିଭିନ୍ନ କାମରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚିଠି ଲେଖିଛନ୍ତି। ଘଟଣାର ବିଚାର କରିବା ପାଇଁ ସୁପ୍ରିମକୋର୍ଟର ପୂର୍ଣ୍ଣ ବେଞ୍ଚ୍ ଡାକିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଜଷ୍ଟିସ ଚେଲମଶ୍ୱର ତାଙ୍କ ଚିଠିର ନକଲ ସୁପ୍ରିମକୋର୍ଟର ଅନ୍ୟ ୨୨ ଜଣ ବିଚାରପତିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ଚିଠି ସମ୍ପର୍କରେ ଜଣାପଡ଼ିବା ପରେ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଛନ୍ତି। ଯଦି ଏହା ସତ ହୋଇଥାଏ ତାହାଲେ ଗଣତନ୍ତ୍ର ପାଇଁ ବିପଦ ବୋଲି ବିରୋଧୀ କହିଛନ୍ତି।
ସୁପ୍ରିମକୋର୍ଟରେ ମାମଲା ଆବଣ୍ଟନରେ ପକ୍ଷପାତିତା ଅଭିଯୋଗ କରି ଗତ ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ୪ ଜଣ ବିଚାରପତିଙ୍କ ମଧ୍ୟରେ ଥିଲେ ଚେଲମଶ୍ୱର। ସେହିଦିନଠାରୁ ସୁପ୍ରିମକୋର୍ଟକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି।
ଗୋଟିଏ ପଟେ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଏକଜୁଟ ହେଉଥିବା ବେଳେ ଚେଲମଶ୍ୱରଙ୍କ ଚିଠି ଆଉ ଏକ ନୂଆ ବିବାଦ ସୃଷ୍ଟି କରିଛି।








ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ନେଇ ବଢ଼ୁଛି ବିବାଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ପୁଣି ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜେ ଚେଲମଶ୍ୱର।





