ଓଡ଼ିଶାଲାଇଭ୍ ବ୍ୟୁରୋ

- ପ୍ରଶ୍ନପତ୍ର ପିଛା ୩୫ ହଜାର ଟଙ୍କା
- ୧ ହଜାର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିଲା ଲିକ୍ ପ୍ରଶ୍ନପତ୍ର
- ଗୁରୁବାର ୨୫ ଜଣଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ
ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ର ଛାନ୍ଭିନ୍ କରୁଛି ଦିଲ୍ଲୀ ପୋଲିସ। ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ୪ ଘଣ୍ଟା ଧରି ଜେରା କରିଛି। ପ୍ରଶ୍ନପତ୍ର ପିଛା ୩୫ ହଜାର ଟଙ୍କା କାରବାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି।
ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରାୟ ୧ ହଜାର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ପ୍ରଶ୍ନପତ୍ର ସୁରକ୍ଷା ଦାୟିତ୍ୱରେ କିଏ ଥିଲେ, ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର କେମିତି ଯାଇଥିଲା ଆଦି ପ୍ରଶ୍ନ ପଚାରି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ଖୋଳତାଡ଼ କରିଛି।
ଏପଟେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।
ଗୁରୁବାର ଦିନ କ୍ରାଇମବ୍ରାଞ୍ଚ ପ୍ରଶ୍ନପତ୍ର ସହ ଜଡ଼ିତ ୨୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। କୋଚିଙ୍ଗ ସେଣ୍ଟର ମାଲିକ, କେତେକ ଛାତ୍ରଛାତ୍ରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି।
ମାର୍ଚ୍ଚ ୨୮ରେ ଦଶମ ଶ୍ରେଣୀ ଗଣିତ ଏବଂ ୨୬ ତାରିଖରେ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ହୋଇଥିଲା। ହେଲେ ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା।
ପ୍ରଶ୍ନପତ୍ର ଲିକ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପ୍ରଶ୍ନପତ୍ର ଲିକ୍ ହୋଇଛି ସେହି ବିଷୟରେ ଆଉ ଥରେ ପରୀକ୍ଷା କରିବା ପାଇଁ ସିବିଏସ୍ଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ଏହି ନିଷ୍ପତ୍ତିକୁ ବିଭିନ୍ନ ଛାତ୍ର ସଙ୍ଗଠନ ବିରୋଧ କରୁଛନ୍ତି।














