ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗଞ୍ଜାମ ଜିଲ୍ଲାରୁ ସଫା ହୋଇଗଲା କଂଗ୍ରେସ
  • ତାରା କହିଲେ, “ଚନ୍ଦ୍ରଶେଖରଙ୍କ ଇସ୍ତଫା ଦଳ ପାଇଁ କ୍ଷତି”
  • ଚନ୍ଦ୍ରଶେଖରଙ୍କୁ କାଉନ୍‌ସିଲରରୁ କେନ୍ଦ୍ରମନ୍ତ୍ରୀ କରିଥିଲା କଂଗ୍ରେସ: ସନ୍ଧ୍ୟା ମହାପାତ୍ର

ଦକ୍ଷିଣଓଡ଼ିଶାର ଟାଣୁଆ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ଶୁକ୍ରବାର ରାତିରେ ଦଳରୁ ଇସ୍ତଫା ଦେବା ପରେ ଶନିବାର ମୁହଁ ଖୋଲିଛନ୍ତି। ରାଜନୀତିରେ ତାଙ୍କର ଯେଉଁ ଅଭିଜ୍ଞତା ରହିଛି ତାହାକୁ ଦଳ ଉପଯୋଗ କରିପାରିଲା ନାହିଁ ବୋଲି ମତ ଦେଇଛନ୍ତି। ଚନ୍ଦ୍ରଶେଖରଙ୍କ ସମେତ ଅନ୍ୟ ୩ ନେତା ଇସ୍ତଫା ଦେବା ପରେ କଂଗ୍ରେସରେ ତୁତୁ ମେମେ ଆରମ୍ଭ ହୋଇଛି।

ଚନ୍ଦ୍ରଶେଖର ସାହୁ କହିଛନ୍ତି, “ରାଜନୀତିରେ ମୋର ଦୀର୍ଘଦିନର ଅଭିଜ୍ଞତା ରହିଛି। ହେଲେ ମୋ ଅଭିଜ୍ଞତାକୁ ଦଳରେ କାର୍ଯ୍ୟକାରୀ କରାଗଲା ନାହିଁ। ମୋତେ କୌଣସି କାମରେ ପଚରାଗଲା ନାହିଁ। ୨୦୦୯ ପରଠାରୁ ମୋତେ ସମ୍ପୂର୍ଣ୍ଣ ଅଣଦେଖା କରାଗଲା। ତାଛଡ଼ା ବିଜେପୁରରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ମୋତେ ମର୍ମାହତ କରିଥିଲା। ଏସବୁକୁ ବିଚାର କରି ମୁଁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲି।”

“ଆଗାମୀ ଦିନରେ କ’ଣ କରିବି ସେନେଇ କୌଣସି ନିଷ୍ପତ୍ତି ନେଇନାହିଁ। ମୋ ସମର୍ଥକଙ୍କହ ଆଲୋଚନା କରି ଦୁଇ ତିନି ଦିନ ଭିତରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବି।”

ଚନ୍ଦ୍ରଶେଖର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସମ୍ପାଦକ ତଥା ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଏବଂ ଛାତ୍ର ଓ ନଗର କଂଗ୍ରେସ ସଭାପତି ଦଳ ଛାଡ଼ିଛନ୍ତି।

ଏହି ୫ ଜଣ ଛାମୁଆ ନେତାଙ୍କ ଇସ୍ତଫା ପରେ ଗଞ୍ଜାମ ଜିଲ୍ଲାରୁ କଂଗ୍ରେସ ଏକ ପ୍ରକାର ସଫା ହୋଇଯାଇଥିବା କୁହାଯାଉଛି। ଏହାକୁ ନେଇ ଶନିବାର ଦିନ ତମାମ୍ କଂଗ୍ରେସରେ ଆକ୍ଷେପ ପ୍ରତ୍ୟାକ୍ଷେପ ଚାଲିଛି।

“ଗଞ୍ଜାମ ଜିଲ୍ଲାରୁ କଂଗ୍ରେସ ନେତାମାନେ ଇସ୍ତଫା ଦେବା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ପ୍ରସଙ୍ଗ ଆଗାମୀ ଦିନରେ ଦଳ ପାଇଁ କ୍ଷତି ହୋଇପାରେ। ଦଳରେ ଚନ୍ଦ୍ରଶେଖର ସାହୁଙ୍କ ପରି ଜଣେ ଅଭିଜ୍ଞ ନେତାଙ୍କୁ ଅଣଦେଖା କରି ରଖାଯାଇଥିଲା। ତାଙ୍କର ପିସିସି ନେତୃତ୍ବଙ୍କ ଉପରେ ଅସନ୍ତୋଷ ରହିଥିଲା”, କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଚନ୍ଦ୍ରଶେଖର ସାହୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର।

ସେ କହିଛନ୍ତି, “ଚନ୍ଦ୍ରଶେଖର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅମୂଳକ। ତାଙ୍କୁ କାଉନସିଲରରୁ କେନ୍ଦ୍ରମନ୍ତ୍ରି କରିଥିଲା କଂଗ୍ରେସ। ତାଙ୍କ ପାଇଁ ଦଳ ଆଉ କ’ଣ କରିଥାନ୍ତା? ବସନ୍ତରେ ଗଛ ପତ୍ରଝଡ଼ା ଦିଏ। ଯିଏ ଛାଡ଼ିବା କଥା ଦଳ ଛାଡ଼ନ୍ତୁ। ଚନ୍ଦ୍ରଶେଖର ସାହୁ ଦଳ ଛାଡ଼ିଲେ କିଛି ଅସୁବିଧା ନାହିଁ। ଗଞ୍ଜାମ ଜିଲ୍ଲାରେ ପୁଣି ନବକଳେବର ହେବ। ନୂଆ ଲୋକଙ୍କୁ ଦାୟିତ୍ୱ ଦିଆଯିବ।”

Comment