ନୀଳାମ୍ବର ରଥ

ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ, ଯାହାକି ଏସସି-ଏସଟି ଆକ୍ଟ ନାଁରେ ପରିଚିତ, ତାକୁ ନେଇ ଆଜି ଦେଶରେ କାହିଁକି ଜଳୁଛି ନିଆଁ? ଏ ପ୍ରଶ୍ନର ଉତ୍ତର ସାଧାରଣ ବର୍ଗ ଅପେକ୍ଷା ସେହି ବର୍ଗର ରାଜନେତା ଓ ସାମାଜିକ ନେତାମାନେ ଖୋଜିବା ଦରକାର।

ସୋମବାର ଦିନ ଅନୁସୂଚିତ ଜାତି ଓ ଜନଜାତି ସ୍ଵାର୍ଥ ପାଇଁ କାମ କରୁଥିବା ବିଭିନ୍ନ ସଙ୍ଗଠନର ଭାରତ ବନ୍ଦ ହିଂସାତ୍ମକ ରୂପ ନେଇଛି। ଦେଶର ବିଭିନ୍ନ ସ୍ଥାନରେ ବନ୍ଦ ବେଳେ ଜଳାପୋଡ଼ା ହୋଇଛି। ଏହି ଘଟଣାରେ ପୋଲିସ୍ ଗୁଳିରେ ୯ ଜଣ ଆନ୍ଦୋଳନକାରୀ ପ୍ରାଣ ହରାଇଛନ୍ତି। କୌଣସି ଗଣତନ୍ତ୍ର ପାଇଁ ଏହା ଶୁଭ ସଙ୍କେତ ନୁହେଁ। ତେବେ ପ୍ରଶ୍ନ ଉଠୁଛି କୌଣସି ଆଇନରେ ସାମାନ୍ୟ ପରିବର୍ତ୍ତନ ବେଳେ ଏଭଳି  ହିଂସାତ୍ମକ ପ୍ରତିକ୍ରିୟା କାହିଁକି ତିଆରି କରାଯାଉଛି? ଏହା ବାସ୍ତବିକ ସମାଜର ସମ୍ପୂର୍ଣ୍ଣ ବର୍ଗର ଲୋକଙ୍କ ଅଧିକାର ପାଇଁ କରାଯାଉଛି ନା ବିଭିନ୍ନ ସଙ୍ଗଠନ ନିଜର ପତିଆରା ବଜାୟ ରଖିବା ପାଇଁ ଏହାକୁ ଏକ ମୌକା ଭାବେ ବ୍ୟବହାର କରୁଛନ୍ତି?

୧୯୮୯ ସେପ୍ଟେମ୍ବର ୯ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ କଂଗ୍ରେସ ସରକାର ସମୟରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ସମାଜର ଦଳିତ ବର୍ଗର ଲୋକଙ୍କ ସ୍ଵାର୍ଥରକ୍ଷା ବା ଅଧିକାରର ସୁରକ୍ଷା ଏହି ଆଇନର ମୂଳ ଲକ୍ଷ୍ୟ ଥିଲା। ଏହି ଆଇନକୁ କଡ଼ାକଡ଼ି କରିବା ସହ ଆଇନର ଉଲ୍ଲଂଘନ କରୁଥିବା ଲୋକଙ୍କୁ ତତ୍କାଳ ବାନ୍ଧିବାର ବ୍ୟବସ୍ଥା କରାଯାଇଥିଲା। ଅର୍ଥାତ୍ ଏହି ବର୍ଗର କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିଙ୍କ ବିରୋଧରେ ଏହି ଆଇନ ଅନ୍ତର୍ଗତ ଅଭିଯୋଗ ଉଠାଇଲେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି ଜେଲରେ ଠୁଙ୍କି ଦେଉଥିଲା। ଦଳିତମାନଙ୍କ ପ୍ରତି କୌଣସି ଜାତିଆଣ ମନ୍ତବ୍ୟକୁ ଧର୍ତ୍ତବ୍ୟ ଅପରାଧ ଭାବେ ବିଚାର କରିବା ସହ ଏଭଳି ଅଭିଯୋଗ ଆସିଲେ ଜାମିନ ନମିଳିବାର ବ୍ୟବସ୍ଥା କରାଯାଇଥିଲା।

ତେବେ ଆମ ଦେଶରେ ଏହି ଆଇନର ବହୁ ଦୁରୁପଯୋଗ ଅଭିଯୋଗ ଆସିବା ଫଳରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କର ଏହି ନିର୍ଦ୍ଦେଶକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବାକୁ ବାହାରିଛନ୍ତି କିଛି ସଙ୍ଗଠନ।

ସାମାନ୍ୟ ପରିବର୍ତ୍ତନ, ଅସାମାନ୍ୟ ପ୍ରତିକ୍ରିୟା!

ରାଜୀବ ଗାନ୍ଧିଙ୍କ ସମୟରେ ଆସିଥିବା ଏହି ଆଇନ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ କେହି ସେମାନଙ୍କ ଜାତି ସମ୍ପର୍କରେ କୌଣସି ଆକ୍ଷେପ ବା ଇଙ୍ଗିତ ଆଣିବା ଦଣ୍ଡନୀୟ। ଏଭଳି ଅଭିଯୋଗ ଆସିଲେ ଅଭିଯୁକ୍ତଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଉଥିଲା। ଆଇନର ବ୍ୟବସ୍ଥା ଅନୁଯାୟୀ ପୋଲିସ୍ ଘଟଣାର ତଦନ୍ତ କରିବା ପୂର୍ବରୁ ମଧ୍ୟ ଗିରଫ କରୁଥିଲା। ୨୦୧୫ ମସିହାରେ ଏନ୍‌ଡିଏ ସରକାର ଏହି ଆଇନକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ତହିଁରେ ଏକ ନୂଆ ଧାରା ଯୋଡ଼ିଥିଲେ। ଏହି ସଂଶୋଧିତ ବ୍ୟବସ୍ଥା ଧାରା ଅନୁଯାୟୀ ସମ୍ପୃକ୍ତ ବର୍ଗର କୌଣସି ମହିଳାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଛୁଇଁବାକୁ ଯୌନ ନିର୍ଯାତନା ଭାବେ ବିଚାର କରାଗଲା।

ତେବେ ଏହି ଆଇନର ବାରମ୍ବାର ଦୁରୁପଯୋଗ ହୋଇ ଆସୁଥିଲା। ସମ୍ପୃକ୍ତ ବର୍ଗର ଅନେକ ବ୍ୟକ୍ତି କଥା କଥାକେ ଅନ୍ୟମାନଙ୍କୁ ଏହି ଆଇନର ଆଧାର କରି ବାନ୍ଧିବାକୁ ଧମକ ଦେବା ଭଳି ଘଟଣା ସାଧାରଣରେ ଅଛପା ନାହିଁ। ସେହିପରି ପୋଲିସ୍ ମଧ୍ୟ ଏହି ଆଇନରୁ ବେଶ୍ ଫାଇଦା ଉଠାଉଥିବାର ଅଭିଯୋଗ ହୋଇଥିଲା। ଅନେକ ଜାଗାରେ ନିରୀହ ବ୍ୟକ୍ତିମାନେ ଉଭୟ ଅଭିଯୋଗକାରୀ ଏବଂ ପୋଲିସର ଚାପରେ ପଡ଼ୁଥିଲେ। ବହୁ ଘଟଣାରେ ମିଥ୍ୟା ଅଭିଯୋଗକୁ ଆଧାର କରି ପୋଲିସ୍ ଅଭିଯୁକ୍ତ ନାଁରେ ନିରୀହ ଲୋକଙ୍କୁ ବାନ୍ଧି ହାଜତକୁ ପଠାଇ ଦେଉଥିଲା।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ସୁପ୍ରିମକୋର୍ଟ ଏବେ ଏ ସମ୍ପର୍କରେ ଏକ ଉଚିତ୍ ରାୟ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଭଳି କୌଣସି ଅଭିଯୋଗ ଆସିଲେ ପୋଲିସ୍ ବିଧିବଦ୍ଧ ତଦନ୍ତ ନକରି କାହାକୁ ଗିରଫ କରିପାରିବ ନାହିଁ। ସେହିପରି ଏସସି-ଏସଟି ଆକ୍ଟ ଅଧୀନରେ ଗିରଫ ହେଉଥିବା ବ୍ୟକ୍ତିଙ୍କୁ ଆଗରୁ ଜାମିନ୍ ମିଳୁନଥିଲା। ବର୍ତ୍ତମାନ ସମ୍ପୃକ୍ତ କ୍ଷେତ୍ରରେ ଜାମିନ୍ ମିଳିବାର ବ୍ୟବସ୍ଥା କରାଯାଇଛି। ଏଭଳି ଅଭିଯୋଗ କ୍ଷେତ୍ରରେ ଜଣେ ଡିଏସପି ପାହ୍ୟାର ପୋଲିସ୍ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଦନ୍ତ କରାଯିବ। ଏହି ଯାଞ୍ଚ ୭ ଦିନ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ଦେଶର ସାଧାରଣ ନାଗରିକଙ୍କ ସ୍ଵାର୍ଥକୁ ସୁରକ୍ଷା ଦେବା ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ଏହା ଏକ ଐତିହାସିକ ରାୟ। ଜଣେ ବ୍ୟକ୍ତିଙ୍କର ସ୍ଵାଧୀନତା ହାନି ହେଲେ ସେ ଅଭିଯୋଗ ଆଣିପାରିବେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଘଟଣାର ଆବଶ୍ୟକ ତଦନ୍ତ କରାନଯାଇ ତଥାକଥିତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯିବ। ଯଦି ଅଭିଯୋଗକାରୀ ମିଥ୍ୟା ଅଭିଯୋଗ ଆଣିଥାନ୍ତି ଏବଂ ତାଙ୍କ ଅଭିଯୋଗକୁ ଆଧାର କରି ଜଣେ ନିରୀହ ବ୍ୟକ୍ତିକୁ ଜେଲଦଣ୍ଡ ଭୋଗିବାକୁ ପଡେ ଏହା କ’ଣ ଆଇନର ଏକ ବଡ଼ ଦୁର୍ବଳତା ନୁହେଁ? ଜଣେ ବ୍ୟକ୍ତିର ସ୍ଵାଧୀନତାକୁ ସୁରକ୍ଷା ଦେବାକୁ ଯାଇ ଆଉ ଜଣେ ବ୍ୟକ୍ତିର ସ୍ଵାଧୀନତାକୁ ବିପନ୍ନ କଲା ଭଳି କଥା ନୁହେଁ କି? ଭାରତୀୟ ଦଣ୍ଡବିଧି ଆଇନର ସାରମର୍ମ ହେଉଛି: ‘ଶହେ ଦୋଷୀ ପଛେ ଛାଡ଼ ପାଇଯାନ୍ତୁ, କିନ୍ତୁ ଜଣେ ନିରପରାଧ ଦଣ୍ଡିତ ନ ହେଉ’। ସୁପ୍ରିମକୋର୍ଟ ଆଜି ସେହି ଆଦର୍ଶର ପାଠ ପଢ଼ାଇଛନ୍ତି।

 ସେହି ଐତିହାସିକ ମାମଲା

୨୦୦୯ ମସିହାରେ ମହାରାଷ୍ଟ୍ରର ଏକ ସରକାରୀ ଫାର୍ମାସୀ କଲେଜରେ ଜଣେ ଦଳିତ କର୍ମଚାରୀ ତାଙ୍କ ଉପର ଅଧିକାରୀଙ୍କ ବିରୋଧରେ ଏହି ଆପ୍ ଅନୁଯାୟୀ ଅଭିଯୋଗ ଆଣିଥିଲେ। ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଖୋଜୁଥିବା ବେଳେ ସେ ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ଜାମିନ୍ ପାଇଁ ଆବେଦନ କରିଥିଲେ।  ଏହି ଆଇନର ଦୁରୁପଯୋଗ ଅଭିଯୋଗକୁ ବିଚାରକରି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ୍ ଲାଗି ନିର୍ଦ୍ଦେଶ ଦେଇଥିଲେ।

ମାର୍ଚ୍ଚ ମାସ ୨୦ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ପୁନର୍ବିଚାର ବେଳେ ହୃଦବୋଧ କରିଥିଲେ ଯେ ଏହି ଆଇନର ବାରମ୍ବାର ଦୁରୁପଯୋଗ ହେଉଛି। ତେଣୁ ଏଭଳି କୌଣସି ଅଭିଯୋଗ କ୍ଷେତ୍ରରେ ତଥାକଥିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୂର୍ବରୁ ଏଭଳି ମାମଲାରେ ଜାମିନ୍ ପ୍ରଦାନ ଲାଗି ବ୍ୟବସ୍ଥା ନଥିବା ବେଳେ ଏବେ ଅଭିଯୁକ୍ତଙ୍କୁ ଜାମିନ୍ ମିଳିପାରିବ। ମୋଟାମୋଟି ଭାବେ ସୁପ୍ରିମକୋର୍ଟ ଏଭଳି କୌଣସି ମାମଲାରେ ଉଭୟପକ୍ଷଙ୍କୁ ଆଇନ ଅନୁଯାୟୀ ସୁଯୋଗ ଦେବା ସ୍ଵାଗତଯୋଗ୍ୟ।

ସବୁରି ମୂଳରେ ରାଜନୀତି

ସୁପ୍ରିମକୋର୍ଟଙ୍କ ଏହି ରାୟରେ ଦେଶର ପ୍ରମୁଖ ଦଳର ରାଜନୈତିକ ଦଳମାନେ ଖୁସି ନୁହନ୍ତି। କାରଣ ଭାରତରେ ଦଳିତ ରାଜନୀତି ଏକ ବଡ଼ ବିଷୟ। ଏହା ସିଧାସଳଖ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରୁଥିବାରୁ ରାଜନୈତିକ ଦଳ ହସ୍ତକ୍ଷେପ କରିବାକୁ ନ ଚାହିଁବା ସ୍ଵାଭାବିକ। ତେଣୁ ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଧର୍ମଘଟ ଏବଂ ହିଂସାକାଣ୍ଡରେ ଜୀବନହାନିକୁ ଦର୍ଶାଇ ଏହି ଆଇନର ପୂର୍ବ ପ୍ରାବଧାନକୁ ବଜାୟ ରଖିବା ଲାଗି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନରେ କୋର୍ଟଙ୍କ ରାୟର ପୁନର୍ବିଚାର କରିବା ପାଇଁ ଅନୁରୋଧ କରାଯାଇଛି। ଏହାକୁ ଆଧାର କରି ସୁପ୍ରିମକୋର୍ଟରେ ଶୁଣାଣି ହେଉଛି।

ସୁପ୍ରିମକୋର୍ଟଙ୍କ ଏହି ବିଚାରକୁ ନେଇ ବିଜେପି ନେତୃତ୍ଵରେ ପରିଚାଳିତ ଏନଡିଏ ସରକାର ସହ କଂଗ୍ରେସ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି। ସେହିପରି ଦେଶର ପ୍ରମୁଖ ରାଜନୈତିକ ଦଳ ଆରଜେଡି ଏବଂ ବହୁଜନ ସମାଜ ପାର୍ଟି ଖୋଲଖୋଲି ଭାବେ ଏହାର ବିରୋଧ କରୁଛନ୍ତି। ଉତ୍ତରଭାରତରେ ଦଳିତ ରାଜନୀତି ଜୋରଦାର ହୋଇଥିବାରୁ ଏହି ଦଳଗୁଡ଼ିକ ସେମାନଙ୍କ ଭୋଟ୍ ବ୍ୟାଙ୍କ ହରାଇବାର ଚିନ୍ତାରେ ପଡ଼ିଯାଇଛନ୍ତି।

ସାଧାରଣ ଓ ନିରୀହ ଲୋକଙ୍କ ସ୍ଵାର୍ଥ ଅପେକ୍ଷା ଆଜିର ଦିନରେ ରାଜନୈତିକ ଦଳଗୁଡ଼ିକୁ ବେଶି ବିବ୍ରତ କରୁଛି ଭୋଟ୍ ବ୍ୟାଙ୍କ୍। ସେହି ଭୋଟ୍ ବ୍ୟାଙ୍କ ପାଇଁ ତିଆରି ହେଉଛି ଆଇନ। ସେହିପରି ପାନରୁ ଚୂନ ଖସିଗଲେ ପରିସ୍ଥିତି ବିଗିଡ଼ି ଯାଉଛି। ତା’ ନ ହୋଇଥିଲେ ୧୯୮୯ ଏସସି-ଏସଟି ଆକ୍ଟରେ ଆସିଥିବା ସକାରାତ୍ମକ ସଂଶୋଧନକୁ ସ୍ଵାଗତ କରିବା ପରିବର୍ତ୍ତେ ବିରୋଧ କରି ଦେଶରେ ନିଆଁ ଜାଳିବାକୁ କିଛି ହାତଗଣତି ରାଜନେତା ଓ ତଥାକଥିତ ସାମାଜିକ କର୍ମୀ ଆଗେଇ ଆସନ୍ତେ ନାହିଁ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ଏହି ଲେଖାରେ ପ୍ରକାଶିତ ମନ୍ତବ୍ୟ ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ)

Comment