ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ଚାଷୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ଦେଶବ୍ୟାପୀ ଆଜି ବନ୍ଦ ପାଳନ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଏହି ବନ୍ଦ ସଫଳ ହୋଇଛି। ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନର କର୍ମୀମାନେ ନବରଙ୍ଗପୁର ସଦର ମହକୁମାରେ ବନ୍ଦ ପାଳନ କରିଛନ୍ତି।

ଆଜିର ଏହି ବନ୍ଦ ଡାକରାରେ ନବରଙ୍ଗପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିଲା। କେବଳ ସ୍ଥାନେ ସ୍ଥାନେ ଦୁଇଚକିଆ ଗାଡ଼ି ଯିବାଆସିବା କରୁଥିଲା। କିନ୍ତୁ ଚାରିଚକିଆ ଯାନ, ବସ ଏବଂ ଟ୍ରକ ଆଦିର ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। କେବଳ ଜରୁରୀ ସେବା ଚାଲୁ ରହିଥିଲା।ନବରଙ୍ଗପୁରରେ ଭାରତ ବନ୍ଦ ଡାକରାକୁ ଜିଲ୍ଲା କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିଛି। କଂଗ୍ରେସର କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ରୋକ୍ କରିବା ସହ ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳନ କରିଥିଲେ।

ଆଜିର ଏହି ବନ୍ଦ ଡାକରାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ଲାଲୁ ତ୍ରିପାଠୀ, ଦିଲ୍ଲୀପ ବେହେରା, ପରୀ ସାହୁ, କୁନା ପାଢ଼ୀ, ପ୍ରଣତୀ ତ୍ରିପାଠୀ, ଅବଦୁଲ ଫିରୋଜ, ଦିବାକର ପୂଜାରୀ, ଚନ୍ଦ୍ରଧ୍ୱଜ ମାଝୀ, ଭଗବାନ ବୈରାଗୀ, କମୁଳୁ ହରିଜନ, ଲକ୍ଷ୍ମଣ ଭତ୍ରା ଏବଂ ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଂଯୋଜକ ନରହରି ନାୟକଙ୍କ ସମେତ କୃଷକମାନେ ସାମିଲ ହୋଇଥିଲେ।

Comment