ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସେ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରିଥିଲେ। ଏଠାରେ ସେ ନିଜ ସମ୍ବୋଧନରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ନରେନ୍ଦ୍ର ମୋଦୀ ରବିବାର ରାତିରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲେ। ରାଜଭବନରେ ରାତ୍ରିଯାପନ କରିବାପରେ ସୋମବାର ସକାଳେ ବାୟୁସେନାର ହେଲିକେପ୍ଟରରେ ପ୍ରଥମେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ସେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ସ୍ଵାଗତ କରିଥିଲେ। ଏହାପରେ ସେ ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। 

“ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି ଓ ଖଣିଜ ଭଣ୍ଡାର ଅଛି। ଏହା ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭୂମିକା ବହନ କରିବ। ହେଲେ ଓଡ଼ିଶା ଏତେ ଧନୀ ହୋଇ ମଧ୍ୟ ଏଠାକର ଲୋକ ଗରିବ ଅଛନ୍ତି। ଏଥର ଏଠାରେ ବିଜେଡି ସରକାରର ଅନ୍ତ ହେବାକୁ ଯାଉଛି। ଜୁନ୍ ୧୦ ତାରିଖରେ ଓଡ଼ିଶାରେ ପ୍ରଥମ ଥର ବିଜେପି ନେତୃତ୍ଵରେ ହେବ ଡବଲ ଇଞ୍ଜିନ ସରକାର। ବିଜେପି ଯାହା କହେ, ତାହା କରିକି ଦେଖାଏ। ଆମେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରିବୁ”, କହିଛନ୍ତି ନରେନ୍ଦ୍ର ମୋଦୀ।

ଏହି ନିର୍ବାଚନୀ ସମାବେଶରେ ନରେନ୍ଦ୍ର ମୋଦୀ ବିଜେଡିକୁ ସମାଲୋଚନା କରିଥିଲେ। କେନ୍ଦ୍ର ପକ୍ଷରୁ ଗତ ୧୦ ବର୍ଷରେ ଓଡ଼ିଶାକୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଅନୁଦାନ ମିଳିଥିଲେ ମଧ୍ୟ ଏଠାକାର ସରକାର ରାଜ୍ୟକୁ କାହିଁକି ବିକାଶରୁ ଦୂରରେ ରଖିଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀମାନଙ୍କୁ ଜିତାଇବାକୁ ସେ ଅନୁରୋଧ କରିଥିଲେ।

ଚଳିତ ନିର୍ବାଚନ ସମୟରେ ଏହା ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ବ୍ରହ୍ମପୁରର ସଭାସ୍ଥଳୀରେ ଦଳର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସାମାଗମ ହୋଇଥିଲା।

ବ୍ରହ୍ମପୁରରରେ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଅଭିମୁଖେ ବାହାରିଥିଲେ। ନବରଙ୍ଗପୁର ପାପଡ଼ାହାଣ୍ଡିରେ ଅନୁଷ୍ଠିତ ବିଶାଳ ସମାବେଶରେ ସେ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରି ବିଜୟପାଲ ସିଂହ ତୋମର ଏବଂ ଦଳର ଅନ୍ୟ ପ୍ରମୁଖ ନେତା ଯୋଗ ଦେଇଥିଲେ। ଏହାସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଏବଂ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଅନ୍ୟ ନେତାମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #OdishaAssemblyElections2024 #NarendraModi #ElectionCampaign #BJP #Berhampur #Nabarangpur #Odisha 

LEAVE A REPLY

Please enter your comment!
Please enter your name here