ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କାଜୁ ମିଲରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରି କରି ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ମହଙ୍ଗା ପଡ଼ିଲା। କାଜୁ ଚୋରି ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ବିଜରାଗୁଡ଼ା ଗ୍ରାମର ଦୁଇ ଜଣ ଯୁବକ ନରହରି ଭତରା ଏବଂ ପ୍ରହ୍ଲାଦ ହରିଜନ ଗିରଫ ହୋଇ ଏବେ ଜେଲ ହାଜତ ଭିତରେ। ଏ ନେଇ ନବରଙ୍ଗପୁର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ଗତ ଫେବ୍ରୁଆରି ୧୮ ତାରିଖରେ ନବରଙ୍ଗପୁର ଥାନା ଅନ୍ତର୍ଗତ ଭତରା ଗ୍ରାମରେ ଥିବା ଏକ କାଜୁ ମିଲର ସଟର ଭାଙ୍ଗି ପ୍ରାୟ ୭.୫ କୁଇଣ୍ଟାଲ କାଜୁ ଚୋରି କରି ନେଇଥିଲେ ଦୁର୍ବୃତ୍ତ। ଏହି କାଜୁର ବଜାର ମୂଲ୍ୟ ୪ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ରହିଛି। ଏହାକୁ ନେଇ ଜାକୁ ମିଲ ମାଲିକ ଏନ୍ ଭେଙ୍କେଟ ରାଓ ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୋଲିସ ଦୁଇ ଅଭିଯୁକ୍ତ ନରହରି ଭତରା ଏବଂ ପ୍ରହ୍ଲାଦ ହରିଜନଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ପୋଲିସ ନଗଦ ୧ ଲକ୍ଷ ୬ ହଜାର ଟଙ୍କା ସହ ୧ କୁଇଣ୍ଟାଲ ୫ କିଲୋଗ୍ରାମର କାଜୁ ଜବତ କରିଥିଲା। ମିଲର ସଟର ଭାଙ୍ଗି କାଜୁ ଚୋରି କରିଥିବା ଦୁଇ ଅଭିଯୁକ୍ତ ସ୍ଵୀକାର କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ଦୁଇ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି।

Tags: #Nabarangpur #Cashew #Arrest

Comment