ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଏସ୍‌ଟି ବ୍ୟବସ୍ଥାରେ ସରଳୀକରଣ ଏବଂ ତେଲ ଦର କମାଇବା ଆଦି ଦାବି ନେଇ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଦେଶର ପ୍ରାୟ ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂଗଠନ ଏବଂ ୮ କୋଟିରୁ ଅଧିକ ବ୍ୟବସାୟୀ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ମାତ୍ର ସାରା ଦେଶରେ ଏହି ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଗାଡ଼ି ମଟର ଚାଲିଥିବା ବେଳେ କେବଳ ଦୋକାନ ବଜାର ବନ୍ଦ ରହିଥିଲା।

ଦିଲ୍ଲୀରେ ଚାଷୀ ପାଳିଲେ ବନ୍ଦ

ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ସିଙ୍ଘୁ ବର୍ଡରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ଵାନ କ୍ରମେ ଚାଷୀମାନେ ଭାରତ ବନ୍ଦରେ ସାମିଲ ହୋଇଥିଲେ।

ରାଜସ୍ଥାନରେ ଫେଲ୍ ମାରିଲା ବନ୍ଦ

ଜଟିଳ ଜିଏସଟି ବ୍ୟବସ୍ଥା ଏବଂ ତେଲ ଦରରେ ବୃଦ୍ଧିକୁ ନେଇ ସର୍ବଭାରତୀୟ ବ୍ୟବସାୟ ପ୍ରତିଷ୍ଠାନ ଆଜି ଯେଉଁ ଭାରତ ବନ୍ଦ ଡାକରା ଦେଇଥିଲା ରାଜସ୍ଥାନରେ ତାହାର ପ୍ରଭାବ ଜମାରୁ ଦେଖିବାକୁ ମିଳିନି। ରାଜସ୍ଥାନରେ ପରିସ୍ଥିତି ସ୍ଵାଭାବିକ ରହିଛି। ଜୟପୁର ସହରରେ ସବୁ ଦୋକାନ ବଜାର ଖୋଲା ରହିଥିବା ବେଳେ ପ୍ରତିଦିନ ପରି ବାଣିଜ୍ୟ ବ୍ୟବସାୟ ଚାଲୁ ରହିଥିଲା।      ଓଡ଼ିଶାରେ ପଡ଼ିଲା ଆଂଶିକ ପ୍ରଭାବ

ଅନ୍ୟ ରାଜ୍ୟମାନଙ୍କ ଭଳି ଓଡ଼ିଶାରେ ମଧ୍ୟ ଆଜି ଭାରତ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟର ପ୍ରାୟ ସବୁ ସହରରେ କେବଳ ଦୋକାନ ବଜାର ବନ୍ଦ ରହିଛି। କିଛି ଅଂଶରେ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ କଟକ-ଭୁବନେଶ୍ଵରରେ ମୋ ବସ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଏବଂ ଘରୋଇ ବସ୍‌ଗୁଡ଼ିକ କିଛି ମାତ୍ରାରେ ଚାଲିଥିଲା। ସେହିପରି ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିଥିବା ଦେଖିବାକୁ ମିଳିଛି।ତେଲେଙ୍ଗାନାରେ ସବୁ ଥିଲା ସ୍ଵାଭାବିକ

ତେଲେଙ୍ଗାନାରେ ଭାରତ ବନ୍ଦର ପ୍ରଭାବ ବିଶେଷ ଭାବେ ପଡ଼ି ନାହିଁ। ରାଜ୍ୟର କେତେକ ସହର ଏବଂ ରାଜଧାନୀ ହାଇଦ୍ରାବାଦର କିଛି ସ୍ଥାନରେ କେବଳ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ତେଲେଙ୍ଗାନାର ବ୍ୟବସାୟୀମାନେ ଆଜିର ବନ୍ଦକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିଥିବା ବଦଖିବାକୁ ମିଳିନାହିଁ। ପ୍ରାୟ ସ୍ଥାନରେ ଦୋକାନ ବଜାର ଖୋଲା ଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ସ୍ଵାଭାବିକ ରହିଥିଲା।ଭୋପାଳର ବଡ଼ ବଜାର ହେଲା ଠପ୍

ମଧ୍ୟପ୍ରଦେଶରେ ଭାରତ ବନ୍ଦ ମିଶ୍ରିତ ପ୍ରଭାବ ପଡ଼ିଛି। ରାଜ୍ୟର ବଡ଼ ବଡ଼ ବଜାରଗୁଡ଼ିକର ବ୍ୟବସାୟୀମାନେ ବନ୍ଦକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୋପାଳରେ ଥିବା ମଧ୍ୟପ୍ରଦେଶର ସବୁଠୁ ବଡ଼ ବଜାରରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ପାଇଁ ଉକ୍ତ ବଜାରଟି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା।

Comment