ଓଡ଼ିଶାଲାଇଭ୍‌ ବ୍ୟୁରୋ

ସର୍ବ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଜିଏସ୍‌ଟି ବ୍ୟବସ୍ଥା ସରଳିକରଣ ଦାବିରେ ହୋଇଥିବା ଏହି ବନ୍ଦକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି। ଫଳରେ ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ପଡ଼ିଛି। ବନ୍ଦ ଯୋଗୁଁ ରାଜ୍ୟରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ଗମନାଗମନ ସ୍ୱାଭାବିକ ରହିଛି।

୨୦୧୭ ମସିହା ଜୁଲାଇ ୧ ତାରିଖରେ କେନ୍ଦ୍ର ସରକାର ସାରା ଭାରତରେ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବାକର ଆଇନ (GST)କୁ ପ୍ରବର୍ତ୍ତନ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ପ୍ରାୟ ୯୫୦ ଥରରୁ ଅଧିକା ଥର ପରିବର୍ତ୍ତନ କରାଯାଇଛି। ଫଳରେ ଏହାର ମୂଳ ସ୍ୱରୂପ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ତେଣୁ ଏହା ଏକ ବ୍ୟବସାୟୀ ତଥା ଜନସାଧାରଣ ବିରୋଧୀ ଆଇନରେ ପରିଣତ ହୋଇଥିବା ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ସଂଘର ଅଭିଯୋଗ ଅନୁସାରେ ଜିଏସଟି ଅଧୀନରେ ଯଦି ଜଣେ ପଞ୍ଜୀକୃତ ବ୍ୟବସାୟୀ ଅନ୍ୟ ଜଣେ ପଞ୍ଜୀକୃତ ବ୍ୟବସାୟୀଙ୍କ ସହ କାରବାର କରନ୍ତି, ତେବେ ପ୍ରଥମ ବ୍ୟବସାୟୀଜଣକ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଟିକସ ଅନ୍ୟ ବ୍ୟବସାୟୀଙ୍କୁ ଦେଇଥାନ୍ତି। କିନ୍ତୁ ଯଦି ଉକ୍ତ ବ୍ୟବସାୟୀ ଟିକସକୁ ଠିକ୍ ସମୟରେ ସରକାରଙ୍କ ପାଖରେ ପୈଠ ନ କରନ୍ତି, ତେବେ ପ୍ରଥମ ବ୍ୟବସାୟୀଙ୍କୁ ପୁଣିଥରେ ଏହି ଟିକସ ଭରିବାକୁ ପଡ଼େ। ଫଳରେ ବ୍ୟବସାୟୀଙ୍କୁ ଦୁଇଥର ଟିକସ ଦେବାକୁ ପଡ଼ିଥାଏ। ତେଣୁ ଏହି ନିୟମରେ ସୁଧାର ଆଣିବାକୁ ସଂଘ କହିଛି।

ସେହିପରି ଅନଲାଇନ ବ୍ୟବସାୟ ଉପରେ ଆଜି ପର୍ଯ୍ୟନ୍ତ ସରକାର କୌଣସି ନିର୍ଦ୍ଦିଷ୍ଟ ଆଇନ ପ୍ରବର୍ତ୍ତନ କରିନାହାନ୍ତି। ଫଳରେ ଅନଲାଇନ କମ୍ପାନିମାନେ ଅଫଲାଇନ୍ ବ୍ୟବସାୟୀଙ୍କ ବ୍ୟବସାୟ ବନ୍ଦ କରିବା ପାଇଁ ନାନା ପ୍ରକାର ଚକ୍ରାନ୍ତ କରି ଗ୍ରାହକମାନଙ୍କୁ ଭ୍ରମିତ କରୁଛନ୍ତି। ଖାଦ୍ୟ ନିରାପତ୍ତା ମାନ ଆଇନ (F S S A I)ରେ ପ୍ରତ୍ୟେକ ବର୍ଷ ନୂଆ ଭାବେ ଲାଇସେନ୍ସ ନେବା ପାଇଁ ନିର୍ଦ୍ଦିଷ୍ଟ ତାରିଖରୁ ବିଳମ୍ବ ହେଲେ ବ୍ୟବସାୟୀମାନଙ୍କୁ ଦୈନିକ ୧୦୦ ଟଙ୍କା ଜରିମାନା ଦେବାର ନିୟମ ରହିଛି। ତେଣୁ ସରକାରଙ୍କ ଏହି କଠୋର ନିୟମଗୁଡ଼ିକୁ ବିରୋଧ କରି  ବ୍ୟବସାୟୀ ସଂଘ ଦାବି କରିଛନ୍ତି।

Comment