ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀମାନଙ୍କ ପକ୍ଷରୁ ସେମାବାର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ସକାଳ ୬ଟାରୁ ଆରମ୍ଭ ହୋଇଛି, ଯାହାକି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି।

କଂଗ୍ରେସ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ଦଳ ଟ୍ରେଡ ୟୁନିୟନ, କୃଷକ, ଶିକ୍ଷକ, ଯୁବ, ଶ୍ରମିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି।

ଭାରତ ବନ୍ଦକୁ ସମର୍ଥନ କରୁଥିବା ଦଳମାନେ ମାଷ୍ଟର କ୍ୟାଣ୍ଟିନଠାରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ଏହା ଫଳରେ ଗାଡ଼ି ଚଳାଚଳା ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ସେପଟେ ବସ୍ ଏବଂ କିଛି ସ୍ଥାନରେ ରେଳ ସେବା ମଧ୍ୟ ବନ୍ଦ ରହିଛି। ସରକାରୀ ଏବଂ ବେସରକାରୀ ବସ୍  ଚଳାଚଳ ବନ୍ଦ ରହିଛି। ଅପରାହ୍ନ ୩ଟା ପରେ ଚଳାଚଳ ସ୍ଵାଭାବିକ୍ ହେବ ବୋଲି ଜଣାପଡ଼ିଛି। କେବଳ ଟୁଇନ ସିଟିରେ ମୋ ବସ୍ ସେବା ଜାରି ରହିଛି। ବଲାଙ୍ଗୀର ରେଳଷ୍ଟେସନରେ ଇସ୍ପାତ ଏକ୍ସପ୍ରେସକୁ ବିକ୍ଷୋଭକାରୀମାନେ କିଛି ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିବା ସୂଚନା ମିଳିଛି। ରାଉରକେଲା, ବାଲେଶ୍ଵର, ସମ୍ବଲପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି ହୁଏ ସେଥିପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯାଇଛି। ଟୁଇନ ସିଟିର ପ୍ରମୁଖ ଛକମାନଙ୍କରେ ମଧ୍ୟ ପୋଲିସ ଫୋର୍ସ ସଜାଗ ରହିଥିବା ଦେଖିବାକୁ ମିଳିଛି।

Comment