ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମିତ ଶାହାଙ୍କ ମିଶନ୍-୧୨୦ ଗଣିତ ଉପରେ ହସି ହସି ମନ୍ତବ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କ ଏହି ସ୍ମିତହାସ୍ୟ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ୧୨୦ ମିଶନକୁ ସେତେଟା ଗରୁତ୍ୱ ଦେଉନାହିଁ ବିଜେଡି।

କଥା କମ୍ କହି ଚର୍ଚ୍ଚାରେ ରହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଣିକି ବିରୋଧୀଙ୍କ ପ୍ରତିଟି କଥାର ଜବାବ ଦେଉଛନ୍ତି। ହେଲେ ଆଜି ଏକ ଅଜବ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନବୀନ। ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଅମିତ ଶାହାଙ୍କ ମିଶନ୍-୧୨୦ ସମ୍ପର୍କରେ ପ୍ରଶ୍ନ କଲେ ସେତେବେଳେ ନବୀନ ସ୍ମିତହାସ୍ୟ ଦେଇ ଉତ୍ତର ଦେଇଥିଲେ। ଓଡ଼ିଶାରେ ବିଜେପି ୧୨୦ଟି ଆସନ ଜିତିବା ଭଳି ସମ୍ଭାବନା ଦେଖିପାରୁ ନଥିବା କହିଛନ୍ତି।

ଗଣମାଧ୍ୟମ ସମ୍ମୁଖରେ ନବୀନ କେବଳ ଏହି ଗୋଟିଏ ଧାଡ଼ି କହିଛନ୍ତି। ହେଲେ ତାଙ୍କ ହସରେ ଅନେକ କଥା ଲୁଚି ରହିଥିବା ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ବଲାଙ୍ଗିର ଯୁବ ସମାବେଶରେ ବିଜେଡି ସରକାରଙ୍କ ଉପରେ ଜମେଇକି ବର୍ଷିଥିଲେ। ବିଜେଡି ସରକାର ପଶ୍ଚିମଓଡ଼ିଶାକୁ ଅବହେଳା କରୁଥିବା ସେ ତାଙ୍କ ଭାଷଣରେ କହିଥିଲେ। ଏହାସହ ବିଜେପି ୨୦୧୯ରେ ୧୨୦ରୁ ଅଧିକ ଆସନରେ ଜିତିବ ବୋଲି କହିଥିଲେ।

ଅମିତ ଶାହାଙ୍କ ଏହି ମନ୍ତବ୍ୟର ଜବାବ ଦୁଇ ଦିନ ଧରି ଲଗାତାର ଭାବେ ଦେଉଛନ୍ତି ବିଜେଡି ସୁପ୍ରିମୋ। ବୁଧବାର ଶାହାଙ୍କ ମନ୍ତବ୍ୟକୁ ‘ଅତିରଞ୍ଜିତ’ କହିଥିବା ବେଳେ ଗୁରୁବାର ୧୨୦ ଆସନ ପାଇବ ବୋଲି କୌଣସି ସମ୍ଭାବନା ଦେଖାଯାଉ ନାହିଁ ବୋଲି ନବୀନ ହସି ହସି ଉତ୍ତର ଦେଇଛନ୍ତି।

ବିଜେପୁର ଉପ-ନିର୍ବାଚନ ଏବଂ ଅତାବିରା ଓ ହିନ୍ଦୋଳ ଏନଏସିରେ ବିପୁଳ ବିଜୟ ପରେ ବିଜେଡିର ମନୋବଳ ବୃଦ୍ଧି ପାଇଛି। ଏଣୁ ଅମିତ ଶାହାଙ୍କ ୧୨୦ ଗଣିତକୁ ନବୀନ ହସି ହସି ଉଡ଼ାଇ ଦେଇଥିବା କୁହାଯାଉଛି।

ପଶ୍ଚିମଓଡ଼ିଶାକୁ ସରକାର ଅବହେଳା କରୁଥିବା ପ୍ରସଙ୍ଗର ଜବାବ ଦେଇଛନ୍ତି ନବୀନ। ସେ କହିଛନ୍ତି, “ପଶ୍ଚିମଓଡ଼ିଶାକୁ କେବେ ବି ଅବହେଳା କରାଯାଇ ନାହିଁ।”

Comment