ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳ ବିଭାଗର ଖାମ୍ଖିଆଲ ନୀତି ତଥା ଦାୟିତ୍ଵହୀନତା କାର୍ଯ୍ୟ କାହାକୁ ଅଛପା ନାହିଁ। କେତେବେଳେ ଟ୍ରେନ୍ ଦୁର୍ଘଟଣା ହେଲାଣି ତ ଆଉ କେତେବେଳେ ଟ୍ରେନ୍ରେ ଦିଆଯାଉଥିବା ଖାଦ୍ୟରେ ପୋକ ବାହାରିଲାଣି। ଏମିତି ଦାୟିତ୍ଵହୀନତାର ସଦ୍ୟତମ ଉଦାହରଣ ହେଉଛି ବିନା ଇଞ୍ଜିନ୍ରେ ୧୩ କିଲୋମିଟର ପଛକୁ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍।
ଶନିବାର ରାତିରେ ପ୍ରାୟ ୧,୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଅହମଦାବାଦ୍-ପୁରୀ ଏକ୍ସପ୍ରେସ୍ ଟିଟିଲାଗଡ଼ ଷ୍ଟେସନ୍ରୁ ବିନା ଇଂଜିନରେ ପ୍ରାୟ ୧୩ କିମି ପଛକୁ ଗଡ଼ିଯିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।
ଟିଟିଲାଗଡ଼ ଷ୍ଟେସନ ନିକଟରେ ଟ୍ରେନ୍ର ୨୨ଟି ଡବା ଇଞ୍ଜିନରୁ ଅଲଗା ହୋଇ ଯାଇଥିଲା। ଟିଟିଲାଗଡ଼ଠାରୁ ପ୍ରାୟ ୧୫ କିଲୋମିଟର ଦୂର କେସିଙ୍ଗା ନିକଟରେ ଟ୍ରେନ୍ର ଡବାକୁ ରେଳ ଧାରଣାରେ ପଥର ରଖି ରେଳ କର୍ମଚାରୀମାନେ ଟ୍ରେନ୍ରେ ଅକଟାଇଥିଲେ। ଟ୍ରେନ୍ ବଗି ଇଞ୍ଜିନ ଛାଡି ଭୁଲବାଟରେ ଗଡ଼ିବା ଯାତ୍ରୀ ଜାଣିବା ପରେ ଭୟଭୀତ ହୋଇପଡିଥିଲେ।
ଅଘଟଣର କାରଣ
ଜରୁରିକାଳୀନ ବ୍ରେକ୍ ଲଗାଇବାରୁ ଟ୍ରେନ୍ ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲା। ଟିଟିଲାଗଡ଼ ଷ୍ଟେସନରେ ଇଞ୍ଜିନ ବଦଳା ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା। ସଠିକ୍ ଢଙ୍ଗରେ ସ୍ପିଡ଼୍ ବ୍ରେକ୍ର ବ୍ୟବହାର କରାଯାଇନଥିବାରୁ ଏପରି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତ ପରେ ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି।
ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍ ଟିଟିଲାଗଡ଼ରୁ କେସିଙ୍ଗା ପର୍ଯ୍ୟନ୍ତ ବିନା ଇଞ୍ଜିନ୍ରେ ଗଡ଼ିବା ଘଟଣାରେ ରେଳବାଇ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୩ ଇଞ୍ଜିନ ଚାଳକ ଓ ୩ ବଗି ମରାମତି କର୍ମଚାରୀଙ୍କ ସମେତ ୭ଜଣଙ୍କୁ ଏହି ଘଟଣାରେ ନିଲମ୍ବନ କରାଯାଇଛି।
ଯାତ୍ରୀଙ୍କ ଜୀବନ ସହ ଖେଳ
ପାଖାପାଖି ଦେଢ଼ ହଜାର ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍ ପଛକୁ ଗଡ଼ିବା ପରେ ରେଳବିଭାଗର ଦାୟିତ୍ବହୀନତା ପଦାରେ ପଡ଼ିଛି। ଟ୍ରେନଟି ପଛକୁ ଗଡ଼ିଲା ବେଳେ ରାସ୍ତାରେ ଥିଲା ଗୋଟିଏ ଷ୍ଟେସନ ଏବଂ ୬ଟି ଲେବଲ କ୍ରସିଂ। ଟ୍ରେନ ଭିତରେ ଥିଲେ ପ୍ରାୟ ଦେଢ଼ ହଜାର ଯାତ୍ରୀ ଏବଂ ଗଡ଼ିଲା ବେଳେ ଏହାର ବେଗ ଥିଲା ଘଣ୍ଟାକୁ ୩୦ରୁ ୪୦ କିଲୋମିଟର। ଯଦି ଟ୍ରେନ୍ ଅଟକା ଯାଇପାରିନଥାନ୍ତା ତେବେ ସେହି ଯାତ୍ରୀଙ୍କ ଅବସ୍ଥା କ’ଣ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
କେମିତି ଥିଲା ଯାତ୍ରୀଙ୍କ ଅବସ୍ଥା?
ବିନା ଇଞ୍ଜିନରେ ଟ୍ରେନ ଗଡ଼ିଲା ବେଳେ ପ୍ରଥମେ ଯାତ୍ରୀ ଜାଣି ପାରିନଥିଲେ। ଜାଣିବା ପରେ କେତେକ ଯାତ୍ରୀ ବାହାରକୁ ଡେଇଁବା ପାଇଁ ଚେଷ୍ଟା କରିଥିଲେ ତ ଆଉ କେତେକ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଠାକୁରଙ୍କ ଡାକିଥିଲେ।
ଦୁର୍ଘଟଣା ପରେ ପଦକ୍ଷେପ
ଚୋର ଗଲା ପରେ ବୁଦ୍ଧି ପଶିବା ଭଳି ଅଘଟଣ ଘଟିବା ପରେ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେଳ ଦୁର୍ଘଟଣା ରୋକିବା ଲାଗି ସାରା ଭାରତରେ ହେବ ସୁରକ୍ଷା ଅଭିଯାନ ବା ସେଫ୍ଟି ଡ୍ରାଇଭ୍। ଏନେଇ ସୂଚନା ଦେଇଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ। ବିଭିନ୍ନ ଷ୍ଟେସନରେ ହେବାକୁ ଥିବା ଏହି ଅଭିଯାନରେ ଅପରେଟିଂ ଏବଂ ଇଲେକ୍ଟ୍ରିକାଲ୍ ବିଭାଗ କର୍ମଚାରୀ ସାମିଲ ହେବେ। ରେଲୱେର ମୁଖ୍ୟ ନିରାପତ୍ତା ଅଧିକାରୀ ସୁରକ୍ଷା ଅଭିଯାନର ତଦାରଖ କରିବେ। କ’ଣ କଲେ ରେଳ ଦୁର୍ଘଟଣା ରୋକାଯାଇପାରିବ, ଏନେଇ ଜିଏମ୍ ରିପୋର୍ଟ କରିବେ।















