ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ନବକଳେବର ଉପରେ ଜୋର୍ ଦେଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କୁ କଟାକ୍ଷ କରିବା ସହ କଂଗ୍ରେସ ପୁଣି ଉଠିବ ବୋଲି କହିଛନ୍ତି।

ଜଣକ ପରେ ଜଣେ ନେତା କଂଗ୍ରେସ ଛାଡ଼ିବା ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଥମ ଥର ପାଇଁ ଆଜି ମୁହଁ ଖୋଲୁଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କ ଉପରେ ମନଭରି ବର୍ଷିଛନ୍ତି। ଏହାସହ କଂଗ୍ରେସର ନବକଳେବର ଖୁବଶିଘ୍ର ବୋଲି କହିଛନ୍ତି।

ଦଳିତଙ୍କୁ ସମର୍ଥନ କରି ସାରା ଦେଶରେ କଂଗ୍ରେସ ଆଜି ଅନଶନ କରିଛି। ରାଜଧାନୀ ଭୁବନେଶ୍ୱରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ସମର୍ଥକଙ୍କ ସହ ଅନଶନରେ ବସିଛନ୍ତି। ଏହି ଅବସରରେ ପ୍ରସାଦ ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି।

ପ୍ରସାଦ କହିଛନ୍ତି, “ଲୋଭ ଓ ଲାଭ ପାଇଁ ନେତାମାନେ କଂଗ୍ରେସ ଛାଡ଼ୁଛନ୍ତି। ହେଲେ ଏଥିରେ ଦଳର କୌଣସି କ୍ଷତି ହେବ ନାହିଁ। ଦଳ ଦୁର୍ବଳ ହେବ ନାହିଁ। ଆମେ ସବଳ ହେବୁ। ଯେଉଁମାନେ ଦଳ ଛାଡ଼ୁଛନ୍ତି ସେମାନଙ୍କ କଥା ଲୋକେ ବିଚାର କରିବେ। ଲୋକେ ସେମାନଙ୍କୁ ଉଚିତ୍ ଜବାବ ଦେବେ।”

ଏପ୍ରିଲ ୨ରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସାରା ଦେଶରେ ଦଳିତ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ୯ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହା ବିରୋଧରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଅନଶନ ଡାକରା ଦିଆଯାଇଛି। ଉପବାସ ରଖି କଂଗ୍ରେସ ନେତାମାନେ ଧାରଣାରେ ବସିଛନ୍ତି। ଭୁବନେଶ୍ୱରରେ ହୋଇଥିବା ଧାରଣାରେ ବରିଷ୍ଠ କଂଗ୍ରେସ ନେତାମାନେ ସାମିଲ ହୋଇଥିଲେ।

“ପାଉଁଶ ତଳୁ ନିଆଁ ବାହାରିବା ଭଳି କଂଗ୍ରେସ ପୁଣି ଉଠିବ। ଆମେ ଏକାଠି ହୋଇ ଲଢ଼ିବୁ। ବିରୋଧୀଙ୍କୁ ମୁକାବିଲା କରିବୁ। କଂଗ୍ରେସ କେବେ ଦୁର୍ବଳ ହୋଇନି। ଆମ ସଙ୍ଗଠନ ମଜଭୁତ ଥିଲା ଏବଂ ଏବେ ବି ରହିଛି। ଖୁବଶୀଘ୍ର ରାଜ୍ୟ କଂଗ୍ରେସର ନବକଳେବର ହେବ”, ଏହା କହିଛନ୍ତି ପ୍ରସାଦ।

ରାଜ୍ୟ କଂଗ୍ରେସର ଭାଗ୍ୟ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱକୁ ବିରୋଧ କରି ବହୁ ନେତା ଦଳ ଛାଡ଼ିଛନ୍ତି। ନିକଟରେ ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ଯୁବ ନେ ତା ବିକ୍ରମ ପଣ୍ଡା ଏବଂ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି।

ବ୍ରହ୍ମପୁର ମହାନଗର ନିଗମର ସମସ୍ତ କର୍ପୋରେଟର ବି କଂଗ୍ରେସ ଛାଡ଼ିଛନ୍ତି। ଫଳରେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି।

LEAVE A REPLY

Please enter your comment!
Please enter your name here