ଡକ୍ଟର ହରପ୍ରସନ୍ନ ଦାସ

(ପ୍ରଥମ ଭାଗ)

ଜୀବନ ଦକ୍ଷତା କ୍ଷେତ୍ରରେ ଯେଉଁ ୧୦ଟି ଗୁଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଅନୁମୋଦନ କରିଛନ୍ତି ସେଥିରେ ପ୍ରଥମଟି ହେଲା ଆତ୍ମ ସଚେତନତା (Self-awareness) ଅବା ନିଜେ ନିଜକୁ ଚିହ୍ନିବା। ଆମ ଜୀବନର ବିକାଶ ପାଇଁ ଆମେ ପ୍ରଥମେ ନିଜେ ନିଜକୁ ଭଲ ରୂପେ ଚିହ୍ନିବା ଦରକାର। ଆତ୍ମ ବିକାଶର ତାହାହିଁ ପ୍ରଥମ ପାହାଚ। ନିଜେ ନିଜକୁ ଠିକ୍ ରୂପେ ଚିହ୍ନିପାରିଲେ ହିଁ ବିକାଶର ପଥ ପ୍ରସ୍ତୁତ କରିପାରିବା।

ଏହା ନିରାଟ ସତକଥା ଯେ ଆମେମାନେ ନିଜକୁ ଭଲଭାବେ ଚିହ୍ନିବାକୁ କେବେ ଚେଷ୍ଟା କରିନୁ। ଯଦିବା ଅଳ୍ପ କେତେଜଣ ଚେଷ୍ଟା କରିଥିବେ ତେବେ ଠିକ୍ ରୂପେ ନୁହେଁ କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଆମେମାନେ ଆମ ଜୀବନର ବେଶୀ ସମୟ ଦେଇଥାଉ ଅନ୍ୟକୁ ଚିହ୍ନିବାରେ ଅବା ଅନ୍ୟକୁ ବୁଝିବା ପାଇଁ। ଯିଏ ନିଜକୁ ଠିକ୍ ରୂପେ ଚିହ୍ନିନାହିଁ, ସେ ଅନ୍ୟମାନଙ୍କୁ କିପରି ଠିକ୍‌ ରୂପେ ଚିହ୍ନିପାରିବ। ଏଣୁ ଆମର ପ୍ରଥମ ଦାୟିତ୍ୱ ହେଲା ଆମେ ନିଜେ ନିଜକୁ ଠିକ୍ ରୂପେ ଚିହ୍ନିବା ଦରକାର। ଏହି କାମଟି ବି ଏତେ ସହଜ ନୁହେଁ ମୁଁ କିଏ ପ୍ରଶ୍ନର ଉତ୍ତର ହେବ- ମୁଁ ଏକ ମଣିଷ। ପ୍ରକୃତରେ କ’ଣ ମୁଁ ମଣିଷପରି ମଣିଷଟିଏ। ମୋ ଭିତରେ ମଣିଷ ପଣିଆର ଗୁଣଗୁଡ଼ିକ ଅଛି କି? ଏହିପରି ଅନେକ ପ୍ରଶ୍ନ ନିଜେ ନିଜକୁ ପଚାରିବାକୁ ହେବ ନିରପେକ୍ଷ ଭାବରେ ନିଜକୁ ଭଲ ଭାବେ ଚିହ୍ନିବାକୁ ହେବ।

ନିଜକୁ ଚିହ୍ନିବା ଏକ ସାଧନା। ଏକ ସକରାତ୍ମକ ମନୋଭାବ ନେଇ ଆତ୍ମ-ବିଶ୍ଲେଷଣ କଲେ ହିଁ ଆମେ ନିଜକୁ ଚିହ୍ନିପାରିବା। କୌଣସି ଲୋକ ସବୁ ଦୃଷ୍ଟିରୁ ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ ଅବା ଶତକଡ଼ା ଶହେ ଭାଗ ସୁଗୁଣସମ୍ପନ୍ନ ନୁହେଁ। ଆମ ସମସ୍ତଙ୍କର ଭଲଗୁଣ (Strength) ଓ ମନ୍ଦଗୁଣ (weakness) ମିଶାମିଶି ହୋଇ ରହିଛି। ଭଲ ଓ ମନ୍ଦ ଗୁଣର ସମ୍ମିଶ୍ରଣରେ ହିଁ ଆମ ଜୀବନ ଗଢ଼ା। କିନ୍ତୁ ଭାଗମାପ ଅନୁସାରେ ଆମର ପରିଚୟ ସୃଷ୍ଟି ହୋଇଥାଏ। ଯାହାର ଭଲଗୁଣଗୁଡ଼ିକ ମନ୍ଦଗୁଣ ଅପେକ୍ଷା ଅଧିକ ତା’କୁ ଆମେ ଭଲଲୋକ ବୋଲି କହିଥାଉ। ସେହିପରି ଯାହାର ଭଲଗୁଣ ଅପେକ୍ଷା ମନ୍ଦଗୁଣ ଅଧିକ ତା’କୁ ଆମେ ମନ୍ଦଲୋକ ବୋଲି କହିଥାଉ। ତାହାହିଁ ଆମର ପରିଚୟ ସୃଷ୍ଟି କରିଥାଏ।

ଆମେ ଆମ ନିଜକୁ ଚିହ୍ନିବା ବା ଜାଣିବାର ଅର୍ଥ ହେଉଛି, ଆମର ଭଲ ଓ ମନ୍ଦ ଗୁଣ ଉଭୟକୁ ଠିକ୍ ଭାବେ ଚିହ୍ନିବା। ଆମେ ଆମର କାମକୁ ଠିକ୍ ରୂପେ ସମୀକ୍ଷା କରିବା। ଆମର ବ୍ୟବହାରକୁ ଠିକ୍ ରୂପେ  ମାପିବା ଓ ଓଜନ କରିବା। ନିଜକୁ ଚିହ୍ନିବାର ପ୍ରଥମ ପଦକ୍ଷେପ ହେଲା ନିଜ ସହିତ କଥାହେବା। ଆମେ ସାଧାରଣତଃ ନିଜ ସହିତ ଖୁବ୍ କମ୍ କଥାହେଉ। ଏଣୁ ଏଥିପାଇଁ ଯାହା ଦରକାର ସେଗୁଡ଼ିକ ହେଲା – ୧-ସ୍ଥିର ମନ, ୨-ଥଣ୍ଡା ମୁଣ୍ଡ, ୩-ନିରୋଳା ସମୟ, ୪-ଖାତା ଓ କଲମ।

ନିଜ ସହିତ କଥାହୋଇ ଖାତାରେ ଲେଖିବାକୁ ହେବ। ଭଲଗୁଣ ଓ ମନ୍ଦଗୁଣଗୁଡ଼ିକର ତାଲିକା ଆମକୁ କରିବାକୁ ହେବ। ଭଲଗୁଣ ଲେଖିବାକୁ କିଛି କଷ୍ଟ ହେବନାହିଁ। କିନ୍ତୁ କଷ୍ଟ ହୁଏ ନିଜର ମନ୍ଦଗୁଣଟିର ତାଲିକା କରିବା ପାଇଁ। କାରଣ ନିଜର ଦୁର୍ବଳତା ବା ମନ୍ଦଗୁଣ ବିଷୟରେ ଲେଖିବା ପାଇଁ କାହାର ଇଚ୍ଛା ହୁଏ ନାହିଁ।

ଏଇଟା ହିଁ ଆମ ପାଇଁ ବଡ଼ ପରୀକ୍ଷାର ସମୟ। ନିଜେ ହିଁ ନିଜର ମନ୍ଦଗୁଣ ବା ଦୁର୍ବଳତାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ତାଲିକା କରିପାରିବା। ତାହାହିଁ ହେବ ଆମ ଜୀବନ ବିକାଶର ପ୍ରଥମ ପଦକ୍ଷେପ। ଯିଏ ଏହି କାମଟିକୁ ସହଜରେ କରିପାରିବ ସେ ହିଁ ଦୃଢ଼ତାର ସହିତ ନିଜ ଜୀବନକୁ ସଫଳତାର ବାଟରେ ଆଗେଇ ନେଇପାରିବ। ଏଥିପାଇଁ  ଆମର ସକାରାମତ୍କ ମନୋଭାବ ଥିବା ଦରକାର। ନିଜର ତ୍ରୁଟିକୁ ବା ଦୁର୍ବଳତାକୁ ଆମେ କେତେଦିନ ଅବା ଘୋଡ଼ାଇ ରଖିପାରିବା। ଆମେ ନ ମାନିଲେ ବି ଅନ୍ୟମାନେ ତ ଆମ ମନ୍ଦଗୁଣକୁ ବାଛି ଆମ ସମ୍ମୁଖରେ ରଖିଦେବେ। ଆଜି ନହେଲେ ତ କାଲି ଆମ ଦୁର୍ବଳତା ପଦାରେ ପଡ଼ିବ। ଏଣୁ ବୁଦ୍ଧିମାନର କାମ ହେବ ଯଦି ଆମେ ନିଜେ ନିଜର ମନ୍ଦଗୁଣକୁ ଚିହ୍ନଟ କରି ତାହାର ପ୍ରତିକାର କରିପାରିବା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

Comment