ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରକୁ ପୁରିଲା ୭୦ ବର୍ଷ। ଏଥିପାଇଁ ରାଜଧାନୀରେ କେତେ କ’ଣ କାର୍ଯ୍ୟକ୍ରମ। ଟେମ୍ପୁଲ ସିଟିରୁ ସ୍ମାର୍ଟ ସିଟିରେ ପରିଣତ ହୋଇଛି ଆମ ରାଜଧାନୀ। ବିକାଶ ଦୌଡ଼ରେ ଆଗକୁ ମାଡ଼ି ଚାଲିଛି ଭୁବନେଶ୍ୱର। ଯୁବ ସୁଲଭ ଗୁଣରେ ସଜାଇ ହୋଇଛି ରାଜଧାନୀର ପ୍ରତ୍ୟେକଟି କୋଣ ଅନୁକୋଣ।
ଗାଁ’ରୁ ସହର ସବୁବେଳେ ଗଡ଼ୁଥାଏ ରାଜଧାନୀକୁ ଗାଡ଼ି। ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ସଜେଇ ହୁଏ ରାଜଧାନୀ। ନିଅନ୍ ଲାଇଟର ଚିକ୍ମିକ୍ ଆଲୁଅ ଆଉ ବଡ଼ ବଡ଼ ହୋଟେଲରେ କକଟେଲ୍ ପାର୍ଟି ଭୁବନେଶ୍ୱରକୁ ଦିଏ ଭିନ୍ନ ଏକ ପରିଚୟ। ବଦଳିଛି ସମୟ, ଏହାସହିତ ତାଳ ଦେଇଛି ରାଜଧାନୀ। ଦିନକୁଦିନ ରାଜଧାନୀରେ ବଢ଼ିଚାଲିଛି ତାତି। ପାରଦର ତାତି ହେଉ ବା ରାଜନୀତିର ତାତି।
ରାଜଧାନୀର ମୂଳ ବାସିନ୍ଦାଙ୍କଠାରୁ ଢେର ଅଧିକ ବାହାର ଲୋକଙ୍କ ଭିଡ଼। କାରଣ ପ୍ରତିଦିନ ହଜାର ହଜାର ଲୋକ ସେମାନଙ୍କର ଜୀବିକା ପାଇଁ ଧାଇଁ ଆସନ୍ତି ସ୍ୱପ୍ନର ସହର ଭୁବନେଶ୍ୱରକୁ। କାହାରିକୁ ନିରାଶ ନକରି ଆପଣାଇ ନେଇଛି ନିଜ କୋଳରେ। ଅର୍ଥ ଉପାର୍ଜନର ସହର ସାଜିଛି ଆମ ରାଜଧାନୀ ଭୁବନେଶ୍ୱର। ଲୋକଙ୍କ ଭିଡ଼ ଓ ଗାଡି ଘୋଡାର କୋଳାହଳ ରାଜଧାନୀକୁ ଦେଇଛି ଏକ ନୂଆ ପରିଚୟ।
ଟେମ୍ପୁଲ୍ ସିଟିରେ ଏବେ ଆଇଟି ହବ୍। ଶିକ୍ଷା ନୁଷ୍ଠାନ, ବଡ଼ ବଡ଼ କମ୍ପାନୀର ପ୍ରଥମ ପସନ୍ଦ ପାଲଟିଛି ଆମ ରାଜଧାନୀ। ହାଇଟେକ୍ ସ୍ୱାସ୍ଥ୍ୟ ସେବା ବି କୌଣସି ମେଟ୍ରୋ ସହର ତୁଳନାରେ କମ୍ ନୁହେଁ। ବିଶେଷତଃ ଶିକ୍ଷା ଓ ଷ୍ଟାଟଅପ୍ କମ୍ପାନିକୁ ନେଇ ଖୁବ୍ ଆଗରେ ଆମ ରାଜଧାନୀ। ଆଇଆଇଟି, ନାଇଜର, ଏମସ୍, ଆଇଆଇଟି ପରି ଶିକ୍ଷାନୁଷ୍ଠାନର ଭିଡ଼ ଲାଗୁଛି ଭୁବନେଶ୍ୱରରେ।
ବିଶାଳ ମଲ୍, ସପିଂ କମ୍ପ୍ଲେକ୍ସ, ପାର୍କ, ରେସ୍ତୋରାଁକୁ ଦେଖିଲେ ଲାଗୁଛି ସହର କେତେ ଆଗେଇଛି। ନୂଆ ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନକୌଶଳରେ ରାଜଧାନୀର ଚେହେରା ପୁରାପୁରି ବଦଳିଛି। ଭାଷ୍ଟ ଆଉ ଆଡଭାନ୍ସ ହେଉଛି ଲାଇଫଷ୍ଟାଇଲ୍।
କେମିତି ଥିଲା ରାଜଧାନୀର ପ୍ରଥମ ଅବସ୍ଥା
“ଆମ ବେଳେ ରାଜଧାନୀ ଭୁବନେଶ୍ୱର କହିଲେ କେବଳ ଓଲଡ ଟାଉନ୍, ଖଣ୍ଡଗିରି, ନୟାପଲ୍ଲୀ, ବରଗଡ଼ ଓ ବରମୁଣ୍ଡାକୁ ବୁଝାଉଥିଲା। ରେଳ ଷ୍ଟେସନରେ ଯେଉଁମାନେ ଓହ୍ଲାଉଥିଲେ ସେମାନେ ଶଗଡ଼ରେ ଯାଉଥିଲେ। ରାଜଧାନୀରେ ସବୁଆଡେ ଗଛବୃକ୍ଷ ଭରପୁର ଥିଲା। ଦିନରେ ବାଘ, ଭାଲୁଙ୍କ ଯୋଗୁଁ ବାହାରକୁ ଯିବାକୁ ଭୟ ଲାଗୁଥିଲା। ଯୁଆଡ଼େ ଦେଖିଲେ କେବଳ ଜଙ୍ଗଲ ହିଁ ଦେଖାଯାଉଥିଲା”, କହିଛନ୍ତି ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ।
ସ୍ମାର୍ଟ ସିଟିର ବିମାନ ବନ୍ଦର
ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିଛି ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା। ଯାହା ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ। ପୂର୍ବରୁ ମାତ୍ର ଗୋଟିଏ କିମ୍ବା ଦୁଇଟି ବିମାନ ଭୁବନେଶ୍ୱରରୁ କଲିକତା ହୋଇ ଭାରତ ବା ଭାରତ ବାହାରର ବିଭିନ୍ନ ଜାଗାକୁ ଉଡ଼ାଣ କରୁଥିଲା। ଏବେ କିନ୍ତୁ ସିଧାସଳଖ ଭାବେ କିଛି ଦେଶକୁ ବିମାନ ଚଳାଚଳ ଆରମ୍ଭ ହୋଇଯାଇଛି। ବିଭିନ୍ନ ଘରୋଇ ବିମାନ କମ୍ପାନି ଏବେ ବିମାନ ବନ୍ଦରରୁ ସେମାନଙ୍କର ବ୍ୟବସାୟକୁ ବଢ଼େଇବାକୁ ଚାହୁଁଛନ୍ତି। ବିମାନ ବନ୍ଦରର ଭିତ୍ତିଭୂମି ଏବଂ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଉଛି।
ସ୍ଥାନାନ୍ତର ହେବ ବିଏମସିର କାର୍ଯ୍ୟାଳୟ
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ହେଉଛି ଜନସଂଖ୍ୟା। ତେଣୁ ବିଶାଳ ଜନସଂଖ୍ୟାରୁ ଆସୁଥିବା ସମସ୍ୟାକୁ ସମାଧାନ କରିପାରୁନି ବିଏମସିର ଛୋଟ କାର୍ଯ୍ୟାଳୟ। ତେଣୁ ଖୁବ୍ଶୀଘ୍ର ସତ୍ୟନଗର ଶ୍ମଶାନ ସମ୍ମୁଖରେ ବିଏମସିର ମୁଖ୍ୟ କାର୍ଯ୍ୟାଳୟ ଖୋଲିବ। ୧୨ ମହଲା ବିଶିଷ୍ଟ ଏହି ବିଲଡିଂରେ ସ୍ମାର୍ଟ ସିଟି ଭୁବନେଶ୍ୱରକୁ କିପରି ପରିଚାଳନା କରାଯିବ ସେଥିପାଇଁ ବିଭିନ୍ନ ବିଭାଗ କାର୍ଯ୍ୟ କରିବ।
ବଦଳୁଛି ସହରର ଟ୍ରାଫିକ୍ ସମସ୍ୟା
ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ ବଦଳୁଛି ଟ୍ରାଫିକ୍ ସମସ୍ୟା । ଓଭରବ୍ରିଜ୍ ହେବା ଫଳରେ ଗାଡ଼ିଗୁଡ଼ିକ ସୁବିଧାରେ ଯାତାୟାତ କରିଚାଲିଛି। ସ୍ମାର୍ଟ ଲାଇଟରେ ନିୟନ୍ତ୍ରିତ ହେଉଛି ଟ୍ରାଫିକ୍ ବ୍ୟବସ୍ଥା। କିନ୍ତୁ ଆହୁରି ଟ୍ରାଫିକ୍ ସମସ୍ୟାକୁ ସୁଧାରିବାକୁ ପଡ଼ିବ ବୋଲି ଅନେକ ଲୋକଙ୍କର ମତ।
ଷ୍ଟାର୍ଟଅପ୍ ହବ୍
ଯୁବ ଉଦ୍ୟୋଗୀଙ୍କ ପାଇଁ ଭୁବନେଶ୍ୱର ପ୍ରକୃଷ୍ଟ ସହର ବୋଲି ଅନେକ ବ୍ୟବସାୟୀ ମତ ଦେଇଛନ୍ତି। ଷ୍ଟାର୍ଟଅପକୁ ନେଇ ଭୁବନେଶ୍ୱରର ଯୁବପିଢ଼ିମାନେବେଶ୍ ଉତ୍ସାହିତ। ବହୁ ଉଚ୍ଚଶିକ୍ଷିତ ଯୁବକ-ଯୁବତୀମାନେ ସେମାନଙ୍କର ଚାକିରି ଛାଡ଼ି ନୂଆ କିଛି କରିବାକୁ ଆଗେଇ ଆସୁଛନ୍ତି ଭୁବନେଶ୍ୱରକୁ। ଟେକ୍ନୋଲୋଜି ମାଧ୍ୟମରେ ଆରମ୍ଭ କରୁଛନ୍ତି ସେମାନଙ୍କର ବ୍ୟବସାୟ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସେବାକୁ ନେଇ ଯୁବପିଢ଼ିମାନେ ଆରମ୍ଭ କଲେଣି ସେମାନଙ୍କର ବ୍ୟବସାୟ। ସେ ମାଛ ଶୁଖୁଆର ବ୍ୟବସାୟ ହେଉ ବା ଠାକୁରଙ୍କ ପାଖରେ ପୂଜା ହେଉଥିବା ଫୁଲ ଆଉ ଘିଅର ବ୍ୟବସାୟ ହେଉ। ବ୍ୟବସାୟ କ୍ଷେତ୍ରରେ ବେଶ୍ ଆଗୁଆ ରାଜଧାନୀ ଭୁବନେଶ୍ୱର।














